ହୋଟେଲ୍ ଭିତରକୁ ମାଡ଼ିଗଲା କାର: ୨ ମୃତ, ଜଣେ ଗୁରୁତର

ରାୟଗଡା : ରାୟଗଡା ସାଙ୍କେଶ ଗ୍ରାମ ନିକଟରେ ଆଜି ସଂଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଗୋଟିଏ ଝୁମ୍ପୁଡ଼ି ହୋଟେଲ୍ ଭିତରକୁ କାର ମାଡି ଯିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭର ଆହତ ହୋଇଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ରାୟଗଡା ଟାଉନ୍ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନାନୁଯାୟୀ, ସଂଧ୍ୟା ୫ଟା ସମୟରେ ରାୟଗଡା-କୋରାପୁଟ ରାଜପଥର ସାଙ୍କେଶ ନିକଟରେ ରାସ୍ତା କଡରେ ଥିବା ଏକ ଝୁମ୍ପୁଡ଼ି ହୋଟେଲରେ କିଛି ଲୋକ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ରାୟଗଡାରୁ ଲକ୍ଷ୍ମୀପୁର ଅଭିମୁଖେ ଯାଉଥିବା ଚେଭ୍ରୋଲେଟ୍ କାର ନଂ-ଓଆର୧୮ସି-୨୭୬୧ ଭାରସାମ୍ୟ ହରାଇ ହୋଟେଲ୍ ଭିତରକୁ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସଂଗେ ସଂଗେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡା ମେଡ଼ିକାଲକୁ ପଠାଇଥିଲେ। ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାର ଡ୍ରାଇଭରକୁ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ଝୁମ୍ପୁଡ଼ି ହୋଟେଲ୍ ସଂପୂର୍ଣ ଭାଙ୍ଗି ଯାଇଥିବା ବେଳେ କାର ସମ୍ମୁଖ ଚୁରମାର୍ ହୋଇଯାଇଛି। ରାୟଗଡା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରା ଘଟଣାର ତଦନ୍ତ କରୁଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ଜଣା ପଡିନାହିଁ।

ସମ୍ବନ୍ଧିତ ଖବର