ଜାଲ୍ ପଟ୍ଟାରେ ୧୦ ଲକ୍ଷ ଚଳୁ, ସେଟେଲ୍‌ମେଣ୍ଟ୍‌ ସୁପରଭାଇଜର୍ ଗିରଫ

ଖଣ୍ତଗିରି,: ଜମି କିଣାବିକାରେ ଜାଲିଆତି କରି ଗ୍ରାହକମାନଙ୍କୁ ଠକି ବିଲଡର୍‌ ବା ଦଲାଲ ଗିରଫ ହେବା ଘଟଣା ନୂଆ କଥା ନୁହେଁ। କିନ୍ତୁ ଜାଲ୍ ଜମି ପଟ୍ଟା ଯୋଗାଇ ଖୋଦ୍ ଜଣେ ବନ୍ଦୋବସ୍ତ କର୍ମଚାରୀ ଗିରଫ ହେବା ଏକ ବିରଳ ଘଟଣା। ଏମିତି ଏକ ଅଭିଯୋଗରେ ରବିବାର ଖଣ୍ତଗିରି ଥାନା ପୁଲିସ ଜଣେ ବନ୍ଦୋବସ୍ତ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେେଲ, କଟକ ପୁରୀଘାଟ ଥାନା ଅଞ୍ଚଳର ରବୀନ୍ଦ୍ର ସେଠୀ(୫୨)। ଜାଲ୍ ପଟ୍ଟା ଦେଇ ସେ ୩ ଜଣଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସେ ଗିରଫ ହେବା ପରେ ତାଙ୍କ ଦ୍ବାରା ଠକାମିର ଶିକାର ହୋଇଥିବା ଅଭିଯୋଗକାରୀଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡ଼ିଛି। ସୂଚନାନୁସା‌‌ରେ, ୨୦୧୧ ମସିହାରେ ଚନ୍ଦକା ଥାନା ଅନ୍ଧା‌ରୁଆ ମୌଜାରେ ଭୂବନ୍ଦୋବସ୍ତ କାର୍ଯ୍ୟ ଚାଲିଥିଲା ଓ ଭରତପୁରରେ ଉକ୍ତ ବନ୍ଦୋବସ୍ତ ଶିବିର ଚାଲିଥିଲା। ସେତେବେଳେ ସେଠାରେ ରବୀନ୍ଦ୍ର ସୁପରଭାଇଜର୍ ଥିଲେ। ତେଣୁ ଏଠାରେ ଜମି କିଣିଥିବା ବା ଲିଜ୍ ପାଇଥିବା ଲୋକେ ପଟ୍ଟା କରାଇବା ପାଇଁ ରବୀନ୍ଦ୍ରଙ୍କୁ ଯୋଗାଯୋଗ କରୁଥିଲେ। ଏହି ମଉକାରେ ରବୀନ୍ଦ୍ର ଲୋକଙ୍କୁ ବିଭିନ୍ନ ବାହାନାରେ ଲୁଟିବାରେ ଲାଗିଥିଲେ। ବିଶେଷକରି ଲିଜ୍‌ଧାରୀମାନେ ସ୍ଥାୟୀ ପଟ୍ଟା କରାଇବା ପାଇଁ ରବୀନ୍ଦ୍ରଙ୍କ ନିକଟରେ ଗୋଡ଼ ଭାଙ୍ଗି ଠିଆ ହେଉଥିଲେ ଓ ମୋଟା ଅଙ୍କର କାରବାର ହେଉଥିଲା। ଯାଜପୁରର ଅଶୋକ ବିଶ୍ବାଳ ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଏମିତି ଏକ ଘଟଣାକ୍ରମେ ଜମି ପଟ୍ଟା କରାଇବା ପାଇଁ ରବୀନ୍ଦ୍ରଙ୍କୁ ୧୦ଲକ୍ଷ ଟଙ୍କା ଦେଇଥିଲେ। ସେମାନଙ୍କ ଜମି କିଣାବିକାରେ ବହୁ ତ୍ରୁଟିଥିବା ଦର୍ଶାଇ ରବୀନ୍ଦ୍ର ଉକ୍ତ ୩ ଜଣଙ୍କଠାରୁ ଏତେ ପରିମାଣ ଦାବି କରିଥିଲେ। ରାଜଧାନୀ ଉପକଣ୍ଠର ଏହି ଦାମୀ ଜମି ପାଇଁ ସେମାନେ ମଧ୍ୟ ୧୦ ଲକ୍ଷ ଟଙ୍କା ଗଣି ଦେବାକୁ କୁଣ୍ଠାବୋଧ କରିନଥିଲେ। ରବୀନ୍ଦ୍ର ମଧ୍ୟ ଧାର୍ଯ୍ୟ ସମୟରେ ସେମାନଙ୍କୁ ପଟ୍ଟା ଦେଇଥିଲେ। କିନ୍ତୁ ମାସକ ତଳେ ଅଶୋକ ଓ ତାଙ୍କ ଦୁଇ ବନ୍ଧୁ ଜମି ପାଇଁ ଅନ୍ଧାରୁଆ ଯିବା ପରେ ଏହି ଠକାମି କଥା ଜଣାପଡ଼ିଥିଲା। ସ୍ଥାନୀୟ ଆର୍ଆଇ ଉକ୍ତ ପଟ୍ଟା ନକଲି ବୋଲି ସେମାନଙ୍କୁ ବୁଝାଇ ଦେଇଥିଲେ। ତେଣୁ ସେମାନେ ଖୋଜି ଖୋଜି କଟକ ଜୋବ୍ରାସ୍ଥିତ ଭୂବନ୍ଦୋବସ୍ତ କାର୍ଯ୍ୟାଳୟରେ ରବୀନ୍ଥଙ୍କୁ ପାଇଥିଲେ ଓ ଜାଲ୍ ପଟ୍ଟା ବାବଦରେ ପଚାରିଥିଲେ। କିନ୍ତୁ ସେମାନଙ୍କ କଥାକୁ ବାଏଁ ବାଏଁ ଉଡ଼ାଇ ଦେଇଥିଲେ ରବୀନ୍ଦ୍ର। ତେଣୁ ସେମାନେ ଖଣ୍ତଗିରି ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର