ନାଗାବଳୀରେ ଭାସିଗଲେ ୨ ଯୁବତୀ

ଫଟୋ ଉଠାଇବା କାଳ ହେଲା

ରାୟଗଡ଼ା : ଫଟୋ ଉଠାଇବା କାଳ ହେଲା। ନାଗାବଳୀ ନଦୀର ଏକ ପଥର ଉପରେ ଠିଆ ହୋଇ ଜଣେ ଯୁବତୀ ଫଟୋ ଉଠାଉଥିବା ବେଳେ ଗୋଡ଼ ଖସିଗଲା। ତାଙ୍କୁ ଉଦ୍ଧାର କରିବା ପାଇଁ ଯାଉ ଆଉ ଜଣେ ମଧ୍ୟ ନଦୀ ସ୍ରୋତରେ ଭାସିଗଲେ। ଏଭଳି ହାତ ଧରାଧରି ହୋଇ ୨ଜଣ ଆନ୍ଧ୍ର ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଲା। ମୃତ ମହିଳାଦ୍ୱୟ ହେଲେ ବିଶାଖାପାଟଣାର ଇ.ଜ୍ୟୋତି(୨୭) ଏବଂ ଗଜପତି ନଗର(ବିଜୟନଗରମ ଜିଲ୍ଲା)ର ସାଂଗାପୁ ଦେବୀ (୨୪)। ଉଭୟ ବିଶାଖାପାଟଣାର ଗୋଟିଏ ସୁନା ଗହଣା ଦୋକାନରେ କାମ କରୁଥିଲେ। ମୃତ ଜ୍ୟୋତି ବିବାହିତା ଏବଂ ତାଙ୍କର ୭ ବର୍ଷର ଏକ ଝିଅ ରହିଛି।

ନାଗାବଳୀ ନଦୀରେ ଭାସିଯିବା ଖବର ପାଇ ଅଗ୍ନି ସେବା ଦଳ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ଗୁରୁମୁଗୁଡ଼ାରୁ ଦୁଇ ଜଣଙ୍କ ଶବ ଉଦ୍ଧାର କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ବିଶାଖାଟଣାରେ ବିଭିନ୍ନ ଦୋକାନରେ କାମ କରୁଥିବା ୯ ଜଣ ଝିଅ ରାୟଗଡ଼ାର ମା’ ମଝି ଘରିଆଣୀଙ୍କ ଦର୍ଶନ ପାଇଁ ସକାଳ ୧୦ଟାରେ ସମତା ଏକ୍ସପ୍ରେସ ଟ୍ରେନରେ ଆସି ପହଞ୍ଚିଥିଲେ। ଷ୍ଟେସନରୁ ଅଟୋ ଭଡ଼ା କରି ମନ୍ଦିର ଯାଇଥିଲେ। ଆଜି ଗୁରୁବାର ମନ୍ଦିରରେ ଭିଡ଼ ନଥିବାରୁ ଶୀଘ୍ର ମାଙ୍କ ଦର୍ଶନ ସରିଯାଇଥିଲା। ଫେରିବା ପାଇଁ ଟ୍ରେନ ଅପରାହ୍ନ ୩ ଟାରେ ଥିବାରୁ ଏହା ପୂର୍ବରୁ କିଛି ଦର୍ଶନୀୟ ସ୍ଥାନକୁ ଏହି ଯୁବତୀମାନେ ଅଟୋ ଚାଳକଙ୍କୁ ଅନୁରୋଧ କରିଥିଲେ। ଫଳରେ ନାଗାବଳୀ ନଦୀ ଉପରେ ନିର୍ମାଣ ହୋଇଥିବା ଝୁଲା ପୋଲ ନିକଟକୁ ଯାଇଥିଲେ। ଝୁଲା ପୋଲ ତଳକୁ ଓହ୍ଲାଇ ଫଟୋ ଉଠାଇଥିଲେ। ନଦୀ ଶଯ୍ୟାରେ ଏକ ପଥର ଉପରେ ଚଢ଼ି ଜ୍ୟୋତି ଫଟୋ ଉଠାଉଥିବା ବେଳେ ଭାରସାମ୍ୟ ହରାଇ ଖସି ପଡିଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ଦେବୀ ମଧ୍ୟ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ।

ଗତ ୬ ବର୍ଷ ମଧ୍ୟରେ ରାୟଗଡ଼ା ଝୁଲାପୋଲ ନିକଟରେ ଏଭଳି ଦୁର୍ଘଟଣା ଘଟି ୧୮ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ହେଲେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ମା’ ମଝି ଘରିଆଣୀ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନି।

ସମ୍ବନ୍ଧିତ ଖବର