ଉଜ୍ଜଳା ହିତାଧିକାରୀଙ୍କ ସହ କଥା ହେଲେ ଦୁଇ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ୨୮ଟି ସ୍ଥାନରେ ଆଜି ଉଜ୍ଜଳା ସ୍ବାଭିମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ ହଜାରରୁ ଅଧିକ ଉଜ୍ଜଳା ହିତାଧିକାରୀ ସାମିଲ ହୋଇଥିଲେ। ନୂଆଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମ‌ରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀ ହିତା‌ଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।

ଶ୍ରୀ ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆଜି ମହିଳାଙ୍କ ସମ୍ମାନ ବଢ଼ାଇଛି। ଏହି ଯୋଜନା ଫଳରେ ଗରିବ ମା’ ଭଉଣୀମାନେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇଛନ୍ତି। ଉଜ୍ଜଳା ମହିଳାମାନଙ୍କ ଜୀବନରେ ନୂଆ ଉତ୍ସାହ ଭରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ଆଜି ଦେଶର ୬ କୋଟି ଗରିବ ମା’, ଭଉଣୀମାନେ ଉଜ୍ଜଳା ଗ୍ୟାସ ପାଇପାରିଛନ୍ତି। ଓଡ଼ିଶାରେ ଏହି ସଂଖ୍ୟା ୩୬ ଲକ୍ଷରେ ପହଞ୍ଚିଛି। ଆଗାମୀ ଦିନରେ ସବୁ ଗରିବ ପରିବାରରେ କିପରି ଉଜ୍ଜଳା ଗ୍ୟାସ ପହଞ୍ଚିପାରିବ, ଏ ନେଇ ମୋଦୀ ସରକାର ପ୍ରୟାସ ଜାରି ରଖିଛନ୍ତି।

ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ କହିଲେ, ମୋଦୀ ସରକାରଙ୍କ ଦ୍ବାରା ଗରିବ ଲୋକମାନଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହୋଇଥିଲା ବେଳେ ରାଜ୍ୟର ଲୋକମାନଙ୍କୁ ତାଙ୍କ ହକ୍‌ରୁ ରାଜ୍ୟ ସରକାର ବଞ୍ଚିତ କରୁଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବାରମ୍ବାର ରାଜ୍ୟ ସରକାରଙ୍କୁ ନିବେଦନ କଲେ ମଧ୍ୟ ରାଜ୍ୟରେ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଦେଶର ବଡ଼ ବଡ଼ ହସ୍ପିଟାଲ୍‌ରେ ଓଡ଼ିଆ ଲୋକଙ୍କୁ ଚିକିତ୍ସାରୁ ବଞ୍ଚିତ କରାଯାଉଛି। କେବେ ସରକାରଙ୍କୁ ସଦ୍‌ବୁଦ୍ଧି ହେବ, ତାହା ଦେଖିବାକୁ ବାକି ରହିଲା।

କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଇରାନୀ କହିଲେ, ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅସମ୍ଭବକୁ ସମ୍ଭବ କରିଛି। ଖୁବ୍ କମ୍ ସମୟ ମଧ୍ୟରେ ୬ କୋଟି ପରିବାରରେ ଉଜ୍ଜଳା ଗ୍ୟାସ୍ ପହଞ୍ଚିପାରିଲା। ପ୍ରଧାନମନ୍ତ୍ରୀଙ୍କ ଏହି ପରିକଳ୍ପନାକୁ ଓଡ଼ିଶାର ପୁଅ ଧର୍ମେନ୍ଦ୍ର ପ୍ରଧାନ ସୁଚାରୁରୂପେ ସମ୍ପାଦନ କଲେ। ମହିଳାଙ୍କ ଶକ୍ତି ଓ ସାମର୍ଥ୍ୟକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରିଚାଲିଛନ୍ତି। ଓଡ଼ିଶାରେ ଆୟୁଷ୍ମାନ ଯୋଜନା କାହିଁକି କାର୍ଯ୍ୟକାରୀ ହେଉନି, ସେ ନେଇ ସ୍ଥାନୀୟ ପ୍ରଶାସନକୁ ଜବାବ ମାଗିବାକୁ ସେ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର