ବେଦାନ୍ତ ବିଜ୍ଞାନ ଗୁରୁକୁଳରେ ‘ବେଦାନ୍ତ ପାଠ୍ୟକ୍ରମ’

ଭୁବନେଶ୍ବର : ଭୁବନେଶ୍ବରର ଶିଶୁପାଳଗଡ଼ ନିକଟ ବଡ଼ଧାନପୁରସ୍ଥିତ ‘ବେଦାନ୍ତ ବିଜ୍ଞାନ ଗୁରୁକୁଳମ୍‌’ରେ ଅବିବାହିତ ସ୍ନାତକ ଯୁବକମାନଙ୍କୁ ପୂର୍ଣ୍ଣାଙ୍ଗ ସମୃଦ୍ଧ ଜୀବନ ଗଠନର ପ୍ରାଚୀନ ଶିକ୍ଷା ପ୍ରଦାନ କରାଯିବ। ଗୁରୁକୁଳର ଅଧ୍ୟକ୍ଷ ସ୍ବାମୀ ଭାଗବତାନନ୍ଦ ସରସ୍ବତୀଙ୍କ ତତ୍ତ୍ବାବଧାନରେ ଓଡ଼ିଆ ଓ ଇଂରାଜୀ ଭାଷାରେ ତିନି ମାସର ଏହି ପାଠ୍ୟକ୍ରମ ଆସନ୍ତା ଫେବ୍ରୁଆରି ୧୦ ତାରିଖ ଶ୍ରୀପଞ୍ଚମୀରୁ ଆରମ୍ଭ ହେବାକୁ ଯାଉଛି। ୧୮ରୁ ୩୦ ବର୍ଷ ବୟସର ଅବିବାହିତ ସ୍ନାତକ ଯୁବକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରାଯିବ। ସଦାଚାରୀ ଜିଜ୍ଞାସୁମାନଙ୍କ କ୍ଷେତ୍ରରେ ବୟସ ଓ ଶିକ୍ଷାଗତ ଯୋଗ୍ୟତାରେ କୋହଳ କରାଯିବ। ତିନିମାସ ପରେ ଗଭୀର ଅଧ୍ୟୟନର ଆଗ୍ରହୀମାନଙ୍କ ନିମନ୍ତେ ପାଠ୍ୟକ୍ରମକୁ ପରିବର୍ଦ୍ଧିତ କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। କୌଣସି ବ୍ରହ୍ମଚାରୀ, ସାଧୁ ସନ୍ୟାସୀଙ୍କର ଶାସ୍ତ୍ର ଅଧ୍ୟୟନର ଆଗ୍ରହ ଥିଲେ ଉକ୍ତ ପାଠ୍ୟକ୍ରମରେ ଯୋଗ ଦେଇପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ଉପନିଷଦ, ଭଗବତଗୀତା, ପ୍ରକରଣ ଓ ଅନ୍ୟାନ୍ୟ ଶାସ୍ତ୍ର ସହିତ ସଂସ୍କୃତ, ଯୋଗ, ପ୍ରାଣାୟମ, ଧ୍ୟାନ, ବେଦପାଠ ଇତ୍ୟାଦି ବୈଦିକ ପରମ୍ପରାକୁ ଭିତ୍ତିକରି ଜୀବନର ଗଭୀର ଆତ୍ମ ବିଶ୍ଲେଷଣ, ଅନୁଧ୍ୟାନ ଅନୁଶୀଳନର ଦିବ୍ୟ ଶିକ୍ଷା, ଜିଜ୍ଞାସୁ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରାଯିବ। ଏହି ପ୍ରାଚୀନ ଶିକ୍ଷା ସଂପୂର୍ଣ୍ଣ ନିଃଶୁଳ୍କ ପ୍ରଦାନ କରାଯିବା ସହ ଖାଦ୍ୟପେୟ ଓ ରହିବାର ସୁବିଧା ଯୋଗାଇ ଦିଆଯାଉଛି। କଟକ, ଭୁବନେଶ୍ବର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳର ଆତ୍ମଜ୍ଞାନ ଲାଭ କରିବାକୁ କୌଣସି ବର୍ଗର ଆଗ୍ରହୀ ଜିଜ୍ଞାସୁମାନେ ଗୁରୁକୂଳରେ ନ ରହି ଯାତାୟତ କରି ମଧ୍ୟ ଅଧ୍ୟୟନ କରିବାର ସୁଯୋଗ ପାଇପାରିବେ।

ଏଥିନିମନ୍ତେ ନିମ୍ନ ଲିଖିତ ଠିକଣାରେ ଯୋଗଯୋଗ କରିବାକୁ ଅନୁରୋଧକରାଯାଇଛି। ବେଦାନ୍ତ ବିଜ୍ଞାନ ଗୁରୁକୁଳମ୍‌, ବଡ଼ଧାନପୁର ଶିଶୁପାଳଗଡ଼, ଭୁବନେଶ୍ବର-୭୫୧୦୦୨, ଫୋନ୍‌: ୯୪୩୭୨୭୩୧୦୪, ଇମେଲ୍‌ : [email protected].

ସମ୍ବନ୍ଧିତ ଖବର