ଅଲବିଦା ଅନିତା

କଟକ : ବଲିଉଡର ନିରୂପା ରୟଙ୍କ ସହ ତାଙ୍କୁ ତୁଳନା କରାଯାଉଥିଲା। ଓଲିଉଡ୍‌ରେ ସୁଜାତା ଆନନ୍ଦଙ୍କ ପରେ ସେ ହିଁ ଥିଲେ ସବୁଠୁ ଲୋକପ୍ରିୟ ମା’ ଚରିତ୍ରର ଅଭିନେତ୍ରୀ। ଦୁଃଖିନୀ ମା’ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ଆଖିରେ ଲୁହ ଆଣି ଦେଉଥିଲେ। ମା’, ଭାଉଜ ଭଳି ଭୂମିକାରେ ସେ ଅଭିନୟ କରି ସଫଳତା ହାସଲ କରିଥିଲେ ବି ‘ତପସ୍ୟା’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ହାସଲ କରିଥିଲେ। ଓଲିଉଡ୍‌ରେ ସମସ୍ତଙ୍କ ପ୍ରିୟ ଅନିତା ଅପା ଆଉ ଇହ ଜଗତରେ ନାହାନ୍ତି। ତାଙ୍କ ପରଲୋକ ଖବରରେ ସାରା ଓଲିଉଡ ସ୍ତବ୍ଧ ଆଉ ସ୍ତମ୍ଭୀଭୂତ। ସମସ୍ତଙ୍କ ଆଖିରେ ଲୁହ। କେବଳ ଓଲିଉଡର କଳାକାର ନୁହନ୍ତି, ଓଡ଼ିଆ ଫିଲ୍ମର ଅଗଣତି ଦର୍ଶକ ଆଜି ମର୍ମାହତ। ଖୁବ୍‌ କମ୍‌ ବୟସରେ ଚାଲିଗଲେ ଅନିତା ଅପା। ଜଣେ ଉଚ୍ଚକୋଟୀର କଳାକାର.. ଜଣେ ସ୍ନେହୀ, ମେଳାପୀ ଆଉ ଦରଦୀ ମଣିଷ।

ଯାଯାବରରୁ….ଅଭୟ

କଳାଧଳା ଫିଲ୍ମ ‘ଯାଯାବର’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ଅନିତା। ନାୟକ ଶ୍ରୀରାମ ପଣ୍ଡାଙ୍କ ଭାଉଜ ଭୂମିକାରେ ଚମତ୍କାର ଅଭିନୟ କରି ସେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ୧୯୭୫ରେ ଏହି ଫିଲ୍ମ ମୁକ୍ତିଲାଭ କରିଥିଲା। ଏହାପରେ କୃଷ୍ଣସୁଦାମାରେ ସୁମତି ଚରିତ୍ର, ନାଗଫାସରେ ହାସ୍ୟ ଅଭିନେତ୍ରୀ ଫୁଲ ଚରିତ୍ରରେ ସେଅଭିନୟ କରିଥିଲେ । ତପସ୍ୟା ଚଳଚ୍ଚିତ୍ରରେ ସେ ଶରତ ପୂଜାରୀଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ନାୟିକା ସାଜି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ହାସଲ କରିଥିଲେ । ସେହିପରି ଭକ୍ତ ସାଲବେଗ, ତଅପୋଇ, ସ୍ୱପ୍ନସାଗର, ପୁଅମୋର କଳାଠାକୁର ପରି ୧୦୦ରୁ ଉର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଥିଲେ । ଶେଷ ଚଳଚ୍ଚିତ୍ର ‘ଅଭୟ’ରେ ଅଭିନୟ କରି ସେ ଗତ ବର୍ଷ ଜୁନ ୭ ତାରିଖରେ ପୁରୀଠାରେ ଚଳଚ୍ଚିତ୍ର ଜଗତ ପକ୍ଷରୁ ଆୟୋଜିତ ସମାରୋହରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଏଥିସହିତ ଶିଶିର ମିଶ୍ର ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ଭିଗି ପଲକେ, ବିପ୍ଳବ ରାୟ ଚୌଧୁରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆଶ୍ରୟ’ରେ ଅଭିନୟ କରିଥିଲେ ଅନିତା । ଏତଦ ବ୍ୟତୀତ ସେ ତେଲଗୁ, ତାମିଲ ଓ ବଙ୍ଗଳା ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।

ରାଜନୀତିରେ ବି କରିଥିଲେ ଭାଗ୍ୟ ପରୀକ୍ଷା

ଅଭିନୟ ବ୍ୟତୀତ ରାଜନୀତିରେ ବି ଭାଗ୍ୟ ପରୀକ୍ଷା କରିଥିଲେ ଅନିତା । ତାଙ୍କୁ ରାଜନୀତିରେ ଭାଗ୍ୟ ପରୀକ୍ଷାର ସୁଯୋଗ ଦେଇଥିଲେ ବିଜୁ ପଟ୍ଟନାୟକ। ଅନିତା ଯାଜପୁର ରୋଡ୍‌ ଅଞ୍ଚଳର ମୂଳ ବାସିନ୍ଦା ହୋଇଥିବାରୁ ତାଙ୍କୁ ନବେ ଦଶକରେ ଯାଜପୁରରୋଡ ପୌରପାଳିକା ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ଜନତା ଦଳ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ଦେଇଥିଲେ। ଅନିତା ନିର୍ବାଚନରେ ଅଳ୍ପ ଭୋଟରେ ହାରି ଯାଇଥିଲେ। ତା’ ପରଠାରୁ ସେ ଆଉ ରାଜନୀତିରେ ମନ ବଳାଇ ନ ଥିଲେ।

ସମ୍ମାନ ଓ ସ୍ୱୀକୃତି

ସେ ମା’, ଭଉଣୀ, ଭାଉଜ ଭୂମିକାରେ ଲୋକପ୍ରିୟତା ହାସଲ କରିଥିଲେ ବି ତପସ୍ୟା ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଲାଭ କରିଥିଲେ। ସେ ୧୯୮୦ରେ ଚଳଚ୍ଚିତ୍ର ତପସ୍ୟା, ୧୯୮୩ରେ ଭକ୍ତ ସାଲବେଗ ଏବଂ ୧୯୮୭ରେ ଏଇତ ଦୁନିଆ ଫିଲ୍ମ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରେଷ୍ଠ କଳାକାର ସମ୍ମାନରେ ସମ୍ମାନିତ ହୋଇଥିଲେ। ୨୦୧୮ରେ ସେ ଚଳଚ୍ଚିତ୍ର ଅଭୟ ପାଇଁ ଓଡ଼ିଆ ଫିଲ୍ମ ଫେୟାର ଆଓ୍ଵାର୍ଡ ପାଇଥିଲେ। ସେ ପ୍ରାୟ କୋଡିଏରୁ ଅଧିକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି।

ଓଡିଶୀ ନୃତ୍ୟାଙ୍ଗନା ଅନିତା

ପିଲାଟି ଦିନୁ ଓଡିଶୀ ନୃତ୍ୟରେ ରୁଚି ରଖିଥିଲେ ଅନିତା । ତେବେ ଶୈଳବାଳାରୁ ସ୍ନାତକ ପାସ ପରେ ସେ ଅଭିନୟ କ୍ଷେତ୍ରରେ ପାଦ ଦେଇଥିଲେ। କିଛି ବର୍ଷ ହେବ ସେ କଟକ ମିଶନରୋଡସ୍ଥିତ ନିଜ ଘରକୁ ଚାଲି ଯାଇଥିଲେ । ମା’ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତାର ଶିଖରରେ ପହଞ୍ଚିଥିବା ଅନିତା ବିବାହ କରି ନ ଥିଲେ ।

ରାତିରେ ଛାତିରେ ଯନ୍ତ୍ରଣା ହୋଇଥିଲା
ଅନିତାଙ୍କର ଉଚ୍ଚ ରକ୍ତଚାପ ରହିଥିଲା । ହେଲେ ଗତକାଲି ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏ ନେଇ ସେ ନିଜ ପୁତୁରା(ଭଉଣୀଙ୍କ ପୁଅ) ଅଭିନେତା ତଥା ବିଧାୟକ ଆକାଶ ଦାସନାୟକଙ୍କୁ ଖବର ଦେଇଥିଲେ । ଫୋନ ପାଇବା ପରେ ଆକାଶ କୁନା ତ୍ରିପାଠୀଙ୍କ ସହାୟତା ନେଇ ଡାକ୍ତର ଦେଖାଇଥିଲେ ବି ଡାକ୍ତର ଅନିତାଙ୍କୁ ମୃତ ଘୋଷଣା କରିଥିଲେ।

କାଲି ପରାମର୍ଶ ଲୋଡ଼ିଥିଲି, ଆଜି ଚାଲିଗଲେ…
ଗତକାଲି ମୁଁ ରାଜ୍ୟ ଚଳଚ୍ଚତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ହେବା ପରେ ଅନୀତା ଅପାଙ୍କ ପାଖକୁ ଫୋନ କରି ନିଗମକୁ ସକ୍ରିୟ କରିବା ପାଇଁ ତାଙ୍କର ପରାମର୍ଶ ଲୋଡିଥିଲି । ହେଲେ ଆଜି ସେ ଚିର ବିଦାୟ ନେଇଛନ୍ତି । ଏମିତି ଏକ ଘଟଣାକୁ ମୁଁ ବିଶ୍ୱାସ କରିପାରୁନାହିଁ । ତାଙ୍କ ବିୟୋଗରେ ଓଲିଉଡ ମୁରବୀ ଶୂନ୍ୟ ହୋଇଗଲା ।
କୁନା ତ୍ରିପାଠୀ, ଅଧ୍ୟକ୍ଷ, ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ

ସମସ୍ତଙ୍କର ଆଦରଣୀୟା
ସେ ଥିଲେ ସମସ୍ତଙ୍କ ଆଦରଣୀୟା । ସମସ୍ତଙ୍କୁ ସେ ସ୍ନେହ ଶ୍ରଦ୍ଧା କରୁଥିଲେ । ମୋ ପରିବାର ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା । ତାଙ୍କର ବିୟୋଗ ଓଲିଉଡ ପାଇଁ ଅପୂରଣୀୟ କ୍ଷତି ।
ମିହିର ଦାସ, ଅଭିନେତା

କେହି ବିଶ୍ୱାସ କରିପାରୁ ନାହାନ୍ତି
କଳାକାରମାନଙ୍କଠାରୁ ଆରମ୍ଭ କରି ଟେକନିସିଆନ ଯାଏ କେହି ଏ କଥାକୁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ତାଙ୍କ ପରି କଳାକାର ମିଳିବା କଷ୍ଟ।
ଶ୍ରୀତମ ଦାସ, ଅଭିନେତା

ବହୁତ କେୟାରିଂ, ସ୍ନେହୀ
ତାଙ୍କ ସହ ମୁଁ ଫିଲ୍ମରେ କାମ କରିନି । କିନ୍ତୁ ସବୁବେଳେ ସେ ମୋତେ ଭଲ ପାଉଥିଲେ । ବହୁତ କେୟାରିଂ ଥିଲେ। କୌଣସି ବିବାହଭୋଜି ତଥା ଅନ୍ୟ କାର୍ଯ୍ୟକ୍ରମରେ ଭେଟ ହେଲେ ଭଲମନ୍ଦ ପଚାରି ବୁଝୁଥିଲେ । ତାଙ୍କ ସ୍ନେହୀ ବ୍ୟବହାର ପାଇଁ ସେ ସମସ୍ତଙ୍କର ପ୍ରିୟ ଥିଲେ।
ପିଙ୍କି ପ୍ରଧାନ, ଅଭିନେତ୍ରୀ

ସମସ୍ତଙ୍କୁ ଉତ୍ସାହିତ କରୁଥିଲେ
ତାଙ୍କ ଅଭିନୟର ତୁଳନା ନାହିଁ। କିନ୍ତୁ ସେ ଜଣେ ଆଧ୍ୟାତ୍ମିକବାଦୀ ମଣିଷ ଥିଲେ। ଓଲିଉଡରେ ତାଙ୍କ ସହ ଅଭିନୟ କରୁଥିବା ନବାଗତ ମାନଙ୍କୁ ସବୁବେଳେ ଉତ୍ସାହିତ କରୁଥିଲେ। ଅର୍ଚ୍ଚିତା ସାହୁ, ଅଭିନେତ୍ରୀ

ଖବର ପାଇ ଆସିଲା ବେଳକୁ ସବୁ ଶେଷ
ଫୋନରେ ଖବର ପାଇ କୁନା ଭାଇଙ୍କ ସହାୟତାରେ ଡାକ୍ତର ଆଣି ଦେଖାଇଲା ବେଳକୁ ସବୁ କିଛି ଶେଷ ହୋଇଯାଇଥିଲା। ସେ ଜଣା ମହାନ କଳାକାର ଥିଲେ। ଅତ୍ୟନ୍ତ ଭଲ ମଣିଷ ଥିଲେ। ସେ ମୋ’ର ମା’ ଭଳି। ତାଙ୍କର ପରଲୋକ ଘଟଣାକୁ ସହଜରେ ବିଶ୍ୱାସ କରି ହେଉ ନାହିଁ।
ଆକାଶ ଦାସନାୟକ, ଅଭିନେତା, ବିଧାୟକ (କୋରେଇ), ଅନିତାଙ୍କ ପୁତୁରା

ଟ୍ରାଜିକ୍‌ ରୋଲ୍‌ରେ ଅଦ୍ୱିତୀୟ
ସେ ଟ୍ରାଜିକ୍‌ ରୋଲ୍‌କୁ ଯେଭଳି ନିଖୁଣ ଏବଂ ଦମଦାର ଢଙ୍ଗରେ ଫୁଟାଉଥିଲେ ତାହାର ତୁଳନା ନାହିଁ। ସେ ମୁଖ୍ୟତଃ ଭଉଣୀ, ଭାଉଜ ଆଉ ମା’ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ସେ ସବୁ ଚରିତ୍ରକୁ ଯଥା ସମ୍ଭବ ନ୍ୟାୟ ଦେଇ ପାରିଥିଲେ।
ବୁଦ୍ଧାଦିତ୍ୟ ମହାନ୍ତି, ଅଭିନେତା

ଶୂନ୍ୟ ସ୍ଥାନ ଛାଡ଼ିଗଲେ
ସେ ମୋ’ ସହିତ ମା ଓ ମମତା, ସ୍ୱପ୍ନ ସାଗର ଭଳି ଫିଲ୍ମରେ ଅଭିନୟ କରିଥିଲେ। ସେ ଅତ୍ୟନ୍ତ ପ୍ରତିଭାଶାଳୀ ଥିଲେ। ସେ ଯେଉଁ ଶୂନ୍ୟ ସ୍ଥାନ ଛାଡିଗଲେ, ତାହା ପୂରଣ ହୋଇପାରିବନି।
ପ୍ରଶାନ୍ତ ନନ୍ଦ, ବିଶିଷ୍ଟ ଅଭିନେତା, ରାଜ୍ୟସଭା ସଦସ୍ୟ

ଭଲ ମଣିଷ, ଉଚ୍ଚକୋଟୀର ଅଭିନେତ୍ରୀ
ତାଙ୍କ ସହ ଅନେକ କାମ କରିଛି। ସେ ଜଣେ ଭଲ ମଣିଷ ଥିଲେ ଏବଂ ଉଚ୍ଚକୋଟୀର ଅଭିନେତ୍ରୀ ଥିଲେ। ସେ ପ୍ରତ୍ୟେକ ଚରିତ୍ରକୁ ଉପଯୁକ୍ତ ନ୍ୟାୟ ଦେବାକୁ ଶହେ ପ୍ରତିଶତ ଉଦ୍ୟମ କରୁଥିଲେ।
ପ୍ରଦ୍ୟୁମ୍ନ ଲେଙ୍କା, ଅଭିନେତା, ନିର୍ଦ୍ଦେଶକ

ବିରାଟ କ୍ଷତି
ଅନିତା ଅପାଙ୍କ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବିରାଟ କ୍ଷତି ହେଲା। ତାହାକୁ ପୂରଣ କରିବା ସହଜ ନୁହେଁ। ସେ ଜଣେ ମହାନ ଅଭିନେତ୍ରୀ ଥିଲେ।
ଅନୁ ଚୌଧୁରୀ, ଅଭିନେତ୍ରୀ

ସମ୍ବନ୍ଧିତ ଖବର