ନିର୍ମାଣ ହେବ ୨୨ଶହ ଗ୍ରାମୀଣ ହାଟ

୫ କୋଟି ମହିଳାଙ୍କୁ ସୋଲାର ଚରଖା, ଗୋମୂତ୍ର ଓ ଗୋବର ହେବ କୃଷକର ମୁଖ୍ୟ ରୋଜଗାର ମାଧ୍ୟମ

ଭୁବନେଶ୍ୱର : କୃଷକକୁ ବଜାର ସହ ସିଧାସଳଖ ଯୋଡ଼ିବା ପାଇଁ ୨୦୨୦ ମସିହା ସୁଦ୍ଧା ଦେଶରେ ୨୨ଶହ ଗ୍ରାମୀଣ ହାଟ ବା ମଣ୍ଡି ନିର୍ମାଣ ହେବ। ଚାଷୀ ତା’ର ଉତ୍ପାଦିତ ଦ୍ରବ୍ୟକୁ ସେଠାରେ ଉଚିତ ମୂଲ୍ୟରେ ବିକି ପାରିବ। ଓଡ଼ିଶାର ୪୫୦ କିଲୋମିଟର ସାମୁଦ୍ରିକ ତଟରେ ପ୍ରଚୁର କିଆଫୁଲ ଉତ୍ପାଦନ କରାଯିବ। ଏଥିପାଇଁ ଚାଷୀମାନଙ୍କୁ ସ୍ୱତନ୍ତ୍ର ଜ୍ଞାନକୌଣଳ ଓ ପ୍ରୋତ୍ସାହନ ମିଳିବ। ଦୁଗ୍ଧ ନୁହେଁ, ଗୋବର ଓ ଗୋମୂତ୍ର ହେବ ଚାଷୀର ମୁଖ୍ୟ ରୋଜଗାରର ପନ୍ଥା। ୫ କୋଟି ମହିଳାଙ୍କୁ ସୋଲାର ଚରଖା ଯୋଗାଇ ଦିଆଯିବ ଓ ଏହା କପା ଚାଷୀ ଏବଂ ମହିଳାମାନଙ୍କୁ ରୋଜଗାର ଦେବ। ନଡ଼ାରୁ ଜୈବ ଇନ୍ଧନ ପ୍ରସ୍ତୁତି ଓ ଆବର୍ଜନାରୁ ପେଟ୍ରୋଲ ପ୍ରସ୍ତୁତି ଭଳି ନୂତନ ଜ୍ଞାନ କୌଶଳ ମଧ୍ୟ ଉପଯୋଗ ହେବାକୁ ଯାଉଛି। ଏଥିପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୨ରେ ଆୟୋଜିତ ଏଗ୍ରିବିକାଶ-୨୦୧୮ର ଏକ ଦୁଇ ଦିନିଆ କର୍ମଶାଳାକୁ ଉଦ୍‌ଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀମାନେ ଏଭଳି ଘୋଷଣା କରିଛନ୍ତି।

ପ୍ରାରମ୍ଭରେ ଆଇସିଏଆର୍‌ର ମହାନିର୍ଦେଶକ ପ୍ରଫେସର ତ୍ରିଲୋଚନ ମହାପାତ୍ର ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଉପରେ କହିଥିଲେ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତ୍‌ ନିଜ ଭାଷଣରେ କୃଷି ବିଜ୍ଞାନୀ ଛାତ୍ରମାନଙ୍କୁ କୃଷକମାନଙ୍କ ସହ ଯୋଡ଼ି ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେ ୨୨ଶହ ଗ୍ରାମୀଣ ମଣ୍ଡି ନିର୍ମାଣ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ତେବେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ରାହୁଲ୍‌ ଗାନ୍ଧୀଙ୍କୁ କଟାକ୍ଷ କରି କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ କହିଲେ ଯେ କେନ୍ଦ୍ର ସରକାର ଦେଶରେ ପ୍ରଚଳିତ ୟୁରୋପିଆନ୍‌ ମଡେଲକୁ ବଦଳାଇବାକୁ ଯାଉଛନ୍ତି। ଗାନ୍ଧିଆନ୍‌ ଓ ଦୀନ ଦୟାଲ୍‌ ଉପାଧ୍ୟାୟ ମଡେଲ୍‌ରେ ସମ୍ପୂର୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଭାରତର କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରାଯିବ। ‘ଗୋମୂତ୍ର ଓ ଗୋବରରୁ ଜଣେ ଚାଷୀ ଦୈନିକ ୨୦୦ ଟଙ୍କା ଆୟ କରିପାରିବ। ତାଙ୍କର ଆହ୍ଵାନ ଥିଲା ‘େଓ୍ଵଷ୍ଟ ଟୁ େଓ୍ଵଲ୍‌ଥ’। ତେଣୁ ଏହି ଏଗ୍ରିବିକାଶ-୨୦୧୮କୁ ସେ ଏକ କ୍ରାନ୍ତି ବୋଲି କହିଥିଲେ। କପା ଚାଷୀ ଓ ମହିଳାମାନଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ୫ କୋଟି ମହିଳାଙ୍କୁ ସୋଲାର ଚରଖା ଯୋଗାଇଦେବେ ବୋଲି ସେ କହିଥିଲେ।

ତେବେ ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର କୃଷି ଉତ୍ପାଦନ ବୃଦ୍ଧି ପାଇଛି ବୋଲି କହିଥିଲେ। ଆଳୁ, ମତ୍ସ୍ୟ ଓ ଅଣ୍ଡା ଭଳି କିଛି କୃଷିଜାତ ଦ୍ରବ୍ୟ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ବୋଲି ସେ କହିଥିଲେ। ସୋଆର ପ୍ରଫେସର ବିଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ଜୟପୁରସ୍ଥିତ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚର ମାର୍କେଟିଂ (ନିଆମ୍‌)ର ମହାନିର୍ଦେଶକ ପି. ଚନ୍ଦ୍ରଶେଖରଙ୍କ ସମେତ ନାଫେଡ୍‌ ଓ ରାଷ୍ଟ୍ରୀୟ ସମବାୟ ଉନ୍ନୟନ ନିଗମ (ଏନ୍‌ସିଡିସିି)ର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ୧୦୦ଟି ଷ୍ଟଲ୍‌ ଖୋଲାଯାଇଛି ଓ ରାଜ୍ୟର ସମସ୍ତ ଜିଲ୍ଲାରୁ ସଫଳ କୃଷକମାନଙ୍କୁ ଆମନ୍ତ୍ରଣ କରାଯାଇଛି।

ସମ୍ବନ୍ଧିତ ଖବର