ବୋରିଗୁମ୍ମା : ଆଜି ମଧ୍ୟ ଅନେକ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ ସେମାନେ ସ୍ୱାଧୀନତା କଣ ଜାଣିନାହାନ୍ତି। କୋରାପୁଟ ଜିଲ୍ଲାର ଅନେକ ଲୋକ ଘଞ୍ଚ ଜଙ୍ଗଲ ଏବଂ ଜଳବନ୍ଦୀ ମଧ୍ୟରେ ଜୀବନ ବିତାଉଛନ୍ତି। ସେହି ଅଞ୍ଚଳକୁ ମୌଳିକ ସୁବିଧା ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବିଜୁଳି ପହଞ୍ଚି ନଥିବାରୁ ସରକାର ଡିଣ୍ଡିମ ପିଟୁଥିବା ବିକାଶ କୁଆଡେ ଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ବିଶେଷକରି ଜଳବନ୍ଦୀ ଜୀବନ ବିତାଉଥିବା ଲୋକଙ୍କ ସମସ୍ୟା କହିଲେ ନସରେ। ସେମାନଙ୍କୁ ମୌଳିକ ସୁବିଧା ତ ଦୂରର କଥା ଯାତାୟାତ ପାଇଁ ଭଲ ଡଙ୍ଗା ମଧ୍ୟ ନାହିଁ। ନାହିଁ ନାହିଁରେ ୧୫ଟି ଗ୍ରାମବାସୀଙ୍କ ଜୀବନ ବିତୁଛି।
Sambad is now on WhatsApp
Join and get latest news updates delivered to you via WhatsApp
କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ ଦଶମନ୍ତପୁର ବ୍ଲକର ମଧ୍ୟ ଭାଗରେ ମୁରାନ ଡ୍ୟାମ୍ ରହିଛି। ବିଛିନ୍ନାଞ୍ଚଳରେ ଦୁଇଟି ବ୍ଲକର ହଳଦୀସିଲ, ଅଙ୍କାରିଗୁଡା, ଖଜୁରିଗୁଡା, ଲିଟୁଗୁଡା, ଶେରଗଡ, ପିଣ୍ଡାପଦର, ନାନ୍ଗଛ ଏବଂ ଅନ୍ୟ ଗ୍ରାମଗୁଡିକ ରହିଛି। ତେବେ ବିଛିନ୍ନାଞ୍ଚଳରେ ବଜାର ବ୍ୟବସ୍ଥା ନଥିବାରୁ ବୋରିଗୁମ୍ମା ବ୍ଲକର କାଠରଗଡା ଆସିବାକୁ ପଡିଥାଏ। ସେଠାରେ ସାପ୍ତାହିକ ହାଟରେ ସଉଦା କିଣି ନେଇଥାନ୍ତି। ମୁରାନ ଡ୍ୟାମ୍ରେ ଏକ ଘଣ୍ଟା ଜଳଯାତ୍ରା ପରେ ମୁରାନ୍ଘାଟକୁ ପହଞ୍ଚିଥାନ୍ତି। ତେବେ ପ୍ରଶାସନ ପକ୍ଷରୁ ବହୁ ବର୍ଷ ତଳେ ମୁରାନ୍ ଘାଟରେ ଗୋଟିଏ ଲଞ୍ଚ ଓ କାଠ ଡଙ୍ଗା ଯୋଗାଇ ଦିଆଯାଇଥିଲା। କିନ୍ତୁ ତଦାରଖ ଅଭାବ ଯୋଗୁଁ ତାହା ଦଦରା ଅବସ୍ଥାରେ ରହିଛି। ଲୋକେ ଡଙ୍ଗାରେ ଯାତ୍ରା ବେଳେ ପାଣି ଭିତରକୁ ପଶିଯାଉଥିଲେ ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି।
ବିଛିନ୍ନାଞ୍ଚଳ ଗ୍ରାମରେ ସ୍ୱାସ୍ଥ୍ୟ ସେବା ନଥିବା ଯୋଗୁଁ ସାମାନ୍ୟ ଜ୍ୱର ହେଲେ ମଧ୍ୟ ଦଦରା ଡଙ୍ଗା ଦେଇ କାଠରଗଡାକୁ ଆସିବାକୁ ପଡିଥାଏ। ବିଛିନ୍ନାଞ୍ଚଳବାସୀ ସତ୍ୟଦାନ ଖରା କହିଛନ୍ତି ଡଙ୍ଗାରେ ଜଳଯାତ୍ରାରେ ବହୁ ଲୋକ ପ୍ରାଣ ହରାଇଛନ୍ତି। ସାମାନ୍ୟ ଓଜନ ଅଧିକ ହେଲେ ଡଙ୍ଗା ଓଲଟି ବହୁ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ପ୍ରଶାସନକୁ ଯେତେ ଗୁହାରି କଲେ ବି ନୂଆ କାଠ ଡଙ୍ଗା କିମ୍ବା ଲଞ୍ଚ ବ୍ୟବସ୍ଥା କରାଯାଉନାହିଁ। ଲୋକ ପ୍ରତିନିଧିମାନେ ମଧ୍ୟ ଗୁହାରି ଶୁଣୁନଥିବା ଅଭିଯୋଗ ହୋଇଛି। ତେଣୁ ଦଦରା ଡଙ୍ଗାରେ ମୁରାନ ଡ୍ୟାମ୍ ପାର ବେଳେ ବଡ ଧରଣର ଅଘଟଣ ପୂର୍ବରୁ ପ୍ରଶାସନ ପକ୍ଷରୁ ଲଞ୍ଚ କିମ୍ବା ଡଙ୍ଗା ବ୍ୟବସ୍ଥା କରିବାକୁ ବିଛିନ୍ନାଞ୍ଚଳବାସୀ ଦାବି କରିଛନ୍ତି।