ପୋଲିଂ ବାକ୍ସ ଛାଡ଼ି ଅଧିକାରୀ ଛୁ’ ସୋସିଆଲ ମିଡିଆରେ ଭାଇରାଲ ପରେ ଉଦ୍ଧାର

ନବରଙ୍ଗପୁର: ନିର୍ବାଚନର ୪୮ଘଣ୍ଟା ପୂର୍ବରୁ ନବରଙ୍ଗପୁର ଜିଲ୍ଲାରୁ ଆସିଛି ବିଭ୍ରାଟର ବଡ଼ ଚିତ୍ର। ପୋଲିଂ ବାକ୍ସକୁ ଗୋଟିଏ ଅଟୋରିକ୍ସାରେ ଛାଡ଼ି ଚାଲିଗଲେ ପୋଲିଂ କର୍ମଚାରୀ। ବହୁ ସମୟ ଧରି ଏହାର ଖୋଜଖବର ବି କେହି ନେଲେ ନାହିଁ। ତେବେ ଅଟୋ ଚାଳକ ଜଣକ ଏଭଳି ସ୍ଥିତିରେ ନିଜ ଦାୟିତ୍ବ ସଠିକ୍ ରୂପେ ତୁଲାଇଥିଲେ। ସୋସିଆଲ ମିଡିଆରେ ଉକ୍ତ ବାକ୍ସର ଫଟୋ ଏବଂ ଭିଡିଓ ଭାଇରାଲ କରି ଦେଇଥିଲେ। ପରବର୍ତୀ ସମୟରେ ପ୍ରଶାସନ ପହଞ୍ଚି ଉକ୍ତ ପୋଲିଂ ବାକ୍ସକୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ନବରଙ୍ଗପୁର ମଡେଲ ଡିଗ୍ରି କଲେଜରେ ଜିଲ୍ଲାର ୪ଟି ଯାକ ନିର୍ବାଚନ ମଣ୍ଡଳୀ ନିମନ୍ତେ ଇଭିଏମ ଓ ଭିଭିପାଟ୍ ହବ୍ କରାଯାଇଛି। ଏଠାରୁ ହିଁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା। ୪ଟି ବୁଥ୍ ନିମନ୍ତେ କର୍ମଚାରୀ ଏବଂ ନିର୍ବାଚିନ ସଂପର୍କିତ ସମସ୍ତ କାଗଜପତ୍ର, ସାମଗ୍ରୀ ଏବଂ ଇଭିଏମ ପାଇଁ ଗୋଟିଏ ଲେଖାଏଁ ବସ୍ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିଲା। ତେବେ ଇଭିଏମ ହବ୍ ଠାରୁ ବହୁ ଦୂରରେ ବସ୍ ଗୁଡ଼ିକ ରହିଥିବାରୁ କର୍ମଚାରୀମାନେ ଟିର୍ଲିଆମ୍ବଗୁଡା ଠାରୁ ଅଟୋରେ ଯାଇଥିଲେ। ଏମିତିରେ ନିର୍ବାଚନରେ ନିୟୋଜିତ କର୍ମଚାରୀ ବସ୍ ପାଖରେ ପହଞ୍ଚିବା ପରେ ଅନ୍ୟମନସ୍କ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଅଟୋରୁ ୪ଟି ପୋଲିଂ ବାକ୍ସ ମଧ୍ୟରୁ ୩ଟି ବାହାର କରିଥିଲେ। ଗୋଟିଏ ବାକ୍ସକୁ ସେମିତି ଅଟୋରେ ଛାଡ଼ି ଦେଇ ବସ୍‌ରେ ଚାଲି ଯାଇଥିଲେ। ଅଟୋ ଚାଳକ ବି ଏନେଇ କିଛି ଜାଣିପାରି ନଥିଲେ। ଫେରିବା ସମୟରେ ଗୋଟିଏ ଗାତରେ ଅଟୋ କଚାଡ଼ି ହେବାରୁ ପଛପଟେ ଥିବା ବାକ୍ସ ସଂପର୍କରେ ଚାଳକ ଜାଣିବାକୁ ପାଇଥିଲେ। ତେଣୁ ପୁଣି ଉକ୍ତ ବସ୍ ଅଭିମୁଖେ ଯାଇଥିଲେ ହେଁ ସେଠାରେ କାହାକୁ ପାଇ ନଥିଲେ। ଏମିତି ସ୍ଥିତିରେ ସେ ବାକ୍ସ କାହାକୁ ଫେରାଇବେ କିଛି ଜାଣିପାରି ନଥିଲେ। ଶେଷରେ ଉପାୟ ବାହାର କରି ସୋସିଆଲ ମିଡିଆରେ ପୋଲିଂ ବାକ୍ସର ଫଟୋ ଅପଲୋଡ୍ କରିଥିଲେ। କିଛି ସମୟ ମଧ୍ୟରେ ଉକ୍ତ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏନେଇ ସୂଚନା ପାଇ ଉପଜିଲ୍ଲାପାଳ କରୁଣାକାର ରାଇକା ଉକ୍ତ ଅଟୋ ମାଲିକାଙ୍କ ପାଖରୁ ବାକ୍ସକୁ ଉଦ୍ଧାର କରିଥିଲେ। ବାକ୍ସ ଭିତରେ ନିର୍ବାଚନରେ ବ୍ୟବହାର ହେଉଥିବା କାଳି ଏବଂ କିଛି କାଗଜପତ୍ର ରହିଥିବା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର