ଆସନ୍ତା ମାର୍ଚ୍ଚ ସୁଦ୍ଧା ସହରାଞ୍ଚଳର ପ୍ରତି ଘରେ ପାଇପ୍‌ ପାଣି

ଭୁବନେଶ୍ୱର : ସହରାଞ୍ଚଳର ପ୍ରତି ଘରକୁ ଯେପରି ପାନୀୟ ଜଳ ଯୋଗାଣ ହେବ ସେଥିପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ନଗର ଉନ୍ନୟନ ବିଭାଗ ୩୫୯୬କୋଟି ଟଙ୍କା ବ୍ୟୟରେ ୭୬୦ଟି ପ୍ରକଳ୍ପ କରୁଥିବାବେଳେ ଏହାକୁ ଆସନ୍ତା ମାର୍ଚ୍ଚ ପୂର୍ବରୁ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣର ସମୀକ୍ଷା କରି କହିଲେ ଯେ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ଘରକୁ ଘର ଅଭିଯାନ ଆରମ୍ଭ କରାଯାଇ ସବୁ ପରିବାରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯିବ। ମାର୍ଚ୍ଚ ୨୦୧୯ ସୁଦ୍ଧା ସହରାଞ୍ଚଳରେ ମୁଣ୍ଡ ପିଛା ପାନୀୟ ଜଳ ଯୋଗାଣ ହାର ୭୦ଲିଟରକୁ ବୃଦ୍ଧି କରିବାକୁ କୁହାଯାଇଛି।

ଚଳିତ ଗ୍ରୀଷ୍ମ ଋତୁରେ ଜଳାଭାବ ଦୂର କରିବା ପାଇଁ ୨୪ଟି ସହରାଞ୍ଚଳର ୧୮୫ଟି ଓ୍ଵାର୍ଡର ୪୨୨ଟି ଜଳକ୍ଲିଷ୍ଟ ଅଞ୍ଚଳ ଚିହ୍ନଟ ହୋଇଛି। ଏହି ସବୁ ଅଞ୍ଚଳ ପାଇଁ ୧୮୬୯ଟି ପିଭିସି ଟ୍ୟାଙ୍କ, ୨୧୯ଟି ଭ୍ରାମ୍ୟମାଣ ଟ୍ୟାଙ୍କର ନିୟୋଜିତ କରାଯାଇଛି। ଏ ସବୁ ଅଞ୍ଚଳରେ ଜଳଯୋଗାଣର ସୁପରିଚାଳନା ପାଇଁ ଓ୍ଵାର୍ଡସ୍ତରୀୟ କମିଟିମାନ ମଧ୍ୟ ଗଠନ କରାଯାଇଛି। ଜଳଯୋଗାଣ ସଂକ୍ରାନ୍ତୀୟ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରୁଛି ଏବଂ ତୁରନ୍ତ ସମାଧାନ ପାଇଁ ନିୟମିତ ସମୀକ୍ଷା କରି ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ କୁହାଯାଇଛି।

ଆଜିର ବୈଠକରେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନ, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌, ଜନସ୍ୱାସ୍ଥ୍ୟ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଏସ୍‌.ଲକ୍ଷ୍ମୀପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର