ପାଗ ବଦଳିବ, ତାତି କମିବ : ସପ୍ତାହକ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ

୧୭ ତାରିଖ ପାଇଁ ସତର୍କ ସୂଚନା ଜାରି, ଚାଷୀଙ୍କ ଲାଗି ଜାରି ହେଲା ଆଡଭାଇଜରି

ଭୁବ‌ନେଶ୍ବର : ଏଣିକି ତାତିରୁ ଆଶ୍ବସ୍ତି। ଗୁରୁବାରଠାରୁ ପାଗ ବଦଳିବ। ସପ୍ତାହକ ପର୍ଯ୍ୟନ୍ତ ଓଡ଼ିଶା ଉପରେ ବର୍ଷାର ପ୍ରଭାବ ରହିବାକୁ ଥିବାରୁ ତାପମାତ୍ରା କମିବ। ଦିନର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ୨୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ କାଳବୈଶାଖୀ ବର୍ଷାର ପ୍ରଭାବ ଅଧିକ ରହିବ। ଉପକୂଳ ଓଡ଼ିଶାରେ କୋହଲା ପାଗ ଲାଗି ରହିବ। ଭୁବନେଶ୍ବର ସମେତ ଅନ୍ୟ ସହରଗୁଡ଼ିକରେ ବି ତାପମାତ୍ରା ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ସେପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ପାଇଁ ଆଲର୍ଟ ଜାରି କରାଯାଇଛି। ୧୭ ତାରିଖ ଦିନ ପଶ୍ଚିମ, ‌କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାର ୧୭ ଜିଲ୍ଲାରେ କାଳବୈଶାଖୀ ସହ ଘଡ଼ଘଡ଼ି ବର୍ଷା ହେବ। ଅପରାହ୍‌ଣରେ ପ୍ରବଳ‌ ବେଗରେ ଝଡ଼ବର୍ଷା ହେବାର ଆଶଙ୍କା ରହିଛି। ଉପକୂଳ ଓଡ଼ିଶାରେ ପବନ ହୋଇପାରେ। ‌ତେଣୁ ରାଜ୍ୟ ସରକାରଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ବି ଏହାର ପ୍ରଭାବ ରହିବ। ୧୪ ଓ ୧୫ ତାରିଖରେ ୧୦ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ତେଣୁ ସ୍ଥିତି ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି।

ଓୟୁଏଟି କୃଷି ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ୧୫ତାରିଖଠାରୁ ପ୍ରତି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୧୫ତାରିଖରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ। ୧୬ ତାରିଖ ଦିନ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓଡ଼ିଶା ବ୍ୟତୀତ ରାଜ୍ୟ ଅନ୍ୟ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ହେଲେ ତା’ ପର ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ଅଧିକ ରହିବ। ୧୮ତାରିଖ ରାତିଠାରୁ ୩୬ ଘଣ୍ଟା ଭିତରେ ରାଜ୍ୟର ସମସ୍ତ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷାର ଆଶଙ୍କା ରହିଛି। ଏହି ସମୟ ମଧ୍ୟରେ ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ଅଧିକ। ସପ୍ତାହକ ଯାଏ ବର୍ଷା ସହ କୋହଲା ପାଗ ଲାଗି ରହିବ। ତେଣୁ ୧୫ତାରିଖଠାରୁ ତାପମାତ୍ରା କମିବ। ୧୭ ତାରିଖଠାରୁ ତାପମାତ୍ରା ବିଶେଷ ଭାବେ କମିବା ହେତୁ ଗରମ ଅନୁଭୂତ ହେବ ନାହିଁ ବୋଲି ସେ ପୂର୍ବାନୁମାନ କରିଛନ୍ତି।

ଅନ୍ୟପକ୍ଷରେ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ଓୟୁଏଟିସ୍ଥିତ କୃଷି ପାଣିପାଗ ଉପ ବିଭାଗ ଓ କୃଷି ନିର୍ଦେଶାଳୟ ପକ୍ଷରୁ ଚାଷୀମାନଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି। କୁହାଯାଇଛି ଯେ ଦୁଇରୁ ତିନି ଧରି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଜମି ଓ ହୁଡ଼ାରୁ ଅନାବନା ଗଛ ବାଛି ସଫା କରି ଦିଅନ୍ତୁ। ଖରାଟିଆ ଡାଲି ଜାତୀୟ ଫସଲ, ତୈଳବୀଜ ଫସଲ ଓ ପନିପରିବା ଆଦିର ବିହନ ବୁଣାବୁଣି କାମ ଶୀଘ୍ର ଶେଷ କରନ୍ତୁ। ପାକଳ ଗହମ, ସୋରିଷ, ଚିନାବାଦମ, ମୁଗ, ବିରି ଓ କୋଳଥ ଆଦି ଫସଲକୁ ଅମଳ କରି ସୁରକ୍ଷିତ ସ୍ଥାନ‌‌‌ରେ ସାଇତି ରଖନ୍ତୁ। ଆଖୁର ଅମଳ କାମ ଶୀଘ୍ର ଶେଷ କରନ୍ତୁ। ଦିନର ତାପମାତ୍ରା ବଢ଼ୁଥିବାରୁ ଓ ପାଗ ମେଘୁଆ ରହୁଥିବାରୁ ବିଭିନ୍ନ ରୋଗ ଓ ପୋକ ସଂକ୍ରମଣ ଦେଖା‌ଦେବାର ଆଶଙ୍କା ରହିଛି। ତେଣୁ ଜମିରେ କମ୍‌ ଗଛ ଆକ୍ରାନ୍ତ ହୋଇଥିଲେ ରୋଗାକ୍ରାନ୍ତ ଗଛଗୁଡ଼ିକୁ ଓପାଡ଼ି ହେବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର