ସାଂସଦ ସୌମ୍ୟରଂଜନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା: ଜାନକୀଙ୍କୁ ସ୍ମରଣ ଓ ନବୀନଙ୍କୁ କୃତଜ୍ଞତା

ବେଗୁନିଆ-ବୋଲଗଡ଼ବାସୀଙ୍କ ସ୍ନେହ ଶ୍ରଦ୍ଧା ଅବିସ୍ମରଣୀୟ

ବେଗୁନିଆ: ଓଡ଼ିଶାର ବିଶିଷ୍ଟ ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଆଜି ମୁଁ ସ୍ମରଣ କରୁଛି। ତା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି। ଜାନକୀ ବାବୁଙ୍କ କାରଣରୁ ଏହି ନିର୍ବାଚନମଣ୍ଡଳୀ ସହିତ ମୋର ନିବିଡତା ବଢିଛି। ଏହି ନିର୍ବାଚନମଣ୍ଡଳୀର ଏକଦା ପ୍ରତିନିଧି ଥିବା ଜାନକୀ ବାବୁଙ୍କ ଦେହାନ୍ତ ପରେ ତାଙ୍କ ଆଦର୍ଶ ଓ ଇଚ୍ଛାକୁ ଅନୁଗତମାନଙ୍କ ମାଧ୍ୟମରେ ପୂରଣ କରିବା ପାଇଁ ମୁଁ ଅହରହ ଉଦ୍ୟମ କରିଆସିଛି। ସେହିଭଳି ସରକାରଙ୍କର ମୁଁ ସବୁଠାରୁ ବଡ଼ ସମାଲୋଚକ ଥିଲି। ମାତ୍ର ଏତେ ସମାଲୋଚନା ପରେ ବି ମୁଖ୍ୟମନ୍ତ୍ରୀ ତାଙ୍କର ମହାନୁଭବତା ଦେଖାଇ ମୋତେ ରାଜ୍ୟସଭାକୁ ପଠାଇଥିବା କାରଣରୁ ଆଜି ଏଠାରେ ଆପଣମାନେ ଏଭଳି ସମ୍ବର୍ଧନା ଦେଇଛନ୍ତି। ବେଗୁନିଆ ଥାନା ଅନ୍ତର୍ଗତ ରାଧାକାନ୍ତପୁର ପଞ୍ଚାୟତର ମୋଟରି ଗ୍ରାମ ନିକଟ ଆମ୍ରକାନନ ପରିସରରେ ବେଗୁନିଆ- ବୋଲଗଡ଼ବାସୀ ଦେଇଥିବା ସମ୍ବର୍ଦ୍ଧନା ଅବସରରେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏଭଳି ମାର୍ମିକ ମତ ରଖିଛନ୍ତି।

ଶ୍ରୀ ପଟ୍ଟନାୟକ କହିଥିଲେ, ବେଗୁନିଆ-ବୋଲଗଡ଼ବାସୀ ଯେଉଁ ଅନାବିଳ ସ୍ନେହ, ଶ୍ରଦ୍ଧା ଓ ଭଲପାଇବାରେ ଯୋଡ଼ି ରଖିଛନ୍ତି ତାର ନିଛକ ଉଦାହରଣ ଆଜିର ସମ୍ବର୍ଦ୍ଧନା ଉତ୍ସବରେ ଦେଖିବାକୁ ମିଳିଛି। ଏହାକୁ ଜୀବନରେ କେବେ ସେ ଭୁଲି ପାରିବେ ନାହିଁ। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ମୋତେ ମୁଖ୍ୟମନ୍ତ୍ରୀ ଏଇଥିପାଇଁ ରାଜ୍ୟସଭାକୁ ପଠାଇଛନ୍ତି, ଯାହା ଫଳରେ ମୁଁ ଚାଷୀଙ୍କ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ସ୍ମରଣ କରାଇ ପାରିବି। କାରଣ ଗତ ୪ବର୍ଷ ଧରି ପ୍ରଧାନମନ୍ତ୍ରୀ କୃଷକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛନ୍ତି। ତେବେ ବେଗୁନିଆ-ବୋଲଗଡବାସୀଙ୍କର ଏହି ଅତୁଳନୀୟ ଭଲପାଇବା ପୂର୍ବଭଳି ତାଙ୍କୁ ଭାଷା, ନିଶା ନିବାରଣ, ରକ୍ତଦାନ, କୃଷକ ଓ ସବୁଜ ପତ୍ରିକାଧାରୀମାନଙ୍କ ହିତ ପାଇଁ କାମ କରିବାକୁ ଅଧିକ ଅଭିପ୍ରେରିତ କରିବ ବୋଲି ସେ ଏହି ଅବସରରେ ସୂଚନା ଦେଇଥିଲେ।

ଆଜି ମୋଟରି ଆମ୍ରକାନନରେ ବିଶିଷ୍ଟ ସମାଜ ସେବୀ ତଥା ଯୁବନେତା ପ୍ରଦୀପ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ବର୍ଷୀୟାନ ସମାଜସେବୀ କୃଷ୍ଣମୋହନ ପାଲଟାସିଂହ ଅଧ୍ୟକ୍ଷତା କରିଥିଲେ। ଏଥିରେ ବେଗୁନିଆ-ବୋଲଗଡ଼ର ମୋଟ ୪୦ଟି ପଞ୍ଚାୟତର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, କବି, ସାହିତ୍ୟିକ, ସ୍ୱେଚ୍ଛାସେବୀ, ବିଭିନ୍ନ ସଙ୍ଗଠନ ଓ ଅଗଣିତ ସୌମ୍ୟପ୍ରେମୀ ସମବେତ ହୋଇଥିଲେ। ସେହିପରି ବୋଲଗଡ଼ ସାହିତ୍ୟ ଘର, ଅବସରପ୍ରାପ୍ର କର୍ମଚାରୀ ସଂଘ, ପ୍ରେସ କ୍ଲବ, ପୂଜ୍ୟପୂଜା ସଂସଦ ଏବଂ ଓକିଲ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଭାରେ ପୂର୍ବତନ ଏବଂ ବର୍ତମାନର ସରପଞ୍ଚ ଓ ସମିତି ସଭ୍ୟମାନେ ମଧ୍ୟ ଉପସ୍ଥିତ ରହି ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିିତ କରିଥିଲେ।

ସମ୍ବନ୍ଧିତ ଖବର