ଖରା ଛୁଟିରେ ସ୍କୁଲ ଖୋଲିଥିବାରୁ କେନ୍ଦ୍ରୀୟ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଏସ୍ଆରସି

ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହ ଯୋଗୁଁ ରାଜ୍ୟ ସରକାର ୨୧ ତାରିଖ ପରିବର୍ତ୍ତେ ଜୁନ ୨୫ ପର୍ଯ୍ୟନ୍ତ ରାଜ୍ୟର ସସସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଥିଲେ । ହେଲେ ସରକାରଙ୍କ ନିୟମକୁ ବେଖାତିର କରି ୟୁନିଟ-୯ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧ ସ୍କୁଲ ଖୋଲିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ କେନ୍ଦ୍ରୀୟ ବିଦ୍ୟାଳୟ-୧ର ପ୍ରିନ୍ସିପାଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସରକାରୀ ନିର୍ଦ୍ଦେଶ ପରେ ବି କାହିଁକି ସ୍କୁଲ ଖୋଲିଲେ ସେ ନେଇ ୩ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ଏସଆରସି ବିଷ୍ଣୁପଦ ସେଠୀ ନୋଟିସ ଜାରି କରିଛନ୍ତି । ପ୍ରବଳ ଖରା ହେଉଥିବାରୁ ସ୍କୁଲ ଛୁଟିକୁ ରାଜ୍ୟ ସରକାର ବୃଦ୍ଧି କରିଥିଲେ । ହେଲେ କେତେକ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଘରୋଇ ସ୍କୁଲ ଖୋଲିବା ନେଇ ଅଭିଭାବକମାନେ ଅଭିଯୋଗ କରିଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅନ୍ୟପଟେ ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୨ ଡିଗ୍ରି ରହୁଥିବାବେଳେ ସ୍କୁଲ ନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟସରକାର । ହେଲେ ୟୁନିଟ-୯ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧ ସକରାରଙ୍କ ନିୟମ ଉଲଙ୍ଘନ କରି ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଅଭିଯୋଗ କରିଥିଲେ ଅଭିଭାବକ । ଏ ନେଇ ଅଭିଯୋଗ ଏସଆରସିଙ୍କର ହସ୍ତଗତ ହେବାପରେ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ତେବେ ବିପର୍ଯ୍ୟୟ ପରିଚାଳନା ଆକ୍ଟ ୨୦୦୫ ଅଧିନିୟମ ସେକ୍ସନ-୫୧ (ବି) ନିୟମକୁ ଉଲଙ୍ଘନ କାହିଁକି କରାଗଲା ସେନେଇ ଜବାବ ରଖିବାକୁ ପ୍ରିନ୍ସିପାଲଙ୍କୁ ଜାରି ନୋଟିସରେ ଉଲ୍ଲେଖ ରହିଛି ।

ସମ୍ବନ୍ଧିତ ଖବର