ବିପଦରେ ଜାତୀୟ ପକ୍ଷୀ : ଅବାଧରେ ଚାଲିଛି ଶିକାର ଓ ଚାଲାଣ, ୩୦୦ ଟଙ୍କା କିଲୋରେ ମିଳୁଛି ମୟୂର ମାଂସ
କୁତ୍ରା : ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ପଞ୍ଚରା ଓ ନୂଆଗାଁ ଆଦି ଜଙ୍ଗଲରେ ଅବାଧରେ ଚାଲିଛି ମୟୂର ଶିକାର। ମୟୂର ମାଂସ ପ୍ରାୟତଃ ଖୋଲାଖୋଲି ଭାବେ କିଲୋପ୍ରତି ୩୦୦ ଟଙ୍କାରେ ବିକ୍ରି ହେଉଛି। ମୟୂର ଶିକାର ଓ ମାଂସ ଚାଲାଣ ଏ ଅଞ୍ଚଳର କିଛି ଇଲାକାରେ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ସଂପୃକ୍ତ ଅଞ୍ଚଳରୁ ଶିକାରୀମାନେ ମୟୂର ଶିକାର କରି ମାଂସ ବିକ୍ରି କରୁଥିବାବେଳେ ମୟୂରଗୁଡ଼ିକୁ ଧରି ବିକ୍ରି ମଧ୍ୟ କରୁଛନ୍ତି। ଛୁଆ ମୟୂର ୩୦୦ ରୁ ୫୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ବଡ଼ ମୟୂର ୧୦୦୦ ରୁ ୨୦୦୦ ଟଙ୍କାରେ ଗ୍ରାହକ ଦେଖି ବିକ୍ରି କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖନୀୟ ଯେ ପଞ୍ଚରା ଓ ନୂଆଗାଁ ତଥା ଆଖପାଖ ଜଙ୍ଗଲରେ ବହୁ ସଂଖ୍ୟାରେ ମୟୂର ଅଛନ୍ତି।
ଏହାର ସୁଯୋଗନେଇ ଶିକାରୀମାନେ ଏଭଳି କାରବାର ଚଳାଇଛନ୍ତି। ବର୍ଷର ଏହି ସମୟ, ଅର୍ଥାତ୍ ଶୀତ ପରେ ପରେ ଜାନୁଆରିରୁ ଏପ୍ରିଲ୍ ମାସ ଭିତରେ ଜଙ୍ଗଲରେ ମୟୂର ଛୁଆ ବହୁ ସଂଖ୍ୟାରେ ମିଳନ୍ତି। ତେଣୁ ଏତିକିବେଳେ ଶିକାରୀ ଓ ବେପାରୀମାନେ ଏହି ଅଞ୍ଚଳରେ ସକ୍ରିୟ ହୋଇ ଉଠନ୍ତି। ଏସବୁ କାରବାର ନିୟମିତ ଭାବେ ଚାଲିଥିଲେ ହେଁ ଏହାକୁ ରୋକିବାଲାଗି ବନ ବିଭାଗ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଦିନକୁ ଦିନ ବନ୍ୟପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ବନ ବିଭାଗ ଏହାକୁ ନେଇ କେତେ ସତର୍କ ଓ ନିଷ୍ଠାବାନ ଏଥିରୁ ସ୍ପଷ୍ଟ ବାରି ହେଉଛି। ଏବେଠାରୁ ଏଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରା ନଗଲେ, କିଛି ବର୍ଷ ଭିତରେ ଏହି ସବୁ ଜଙ୍ଗଲରୁ ମୟୂର ଲୋପ ପାଇବାର ଆଶଙ୍କା ସୃଷ୍ଟି ହୋଇଛି।