ନବୀନ ନିବାସ ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଅଭିଯୋଗକୁ ଖଣ୍ଡନ କଲେ ଶ୍ରୀନାଥ

0

ଭୁବନେଶ୍ବର/ଉଦଳା : ଆଜି ମଧ୍ୟାହ୍ନ‌ରେ ନବୀନ ନିବାସ ସମ୍ମୁଖରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କଲାବେଳେ ବିମାନବନ୍ଦର ଥାନା ପୁଲିସ ତାଙ୍କୁ ଉଦ୍ଧାର କରିଛି। ଏଥିରେ ତାଙ୍କର କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି। ତେବେ ପୁଲିସ ତାଙ୍କୁ ପରେ ଛାଡ଼ି ଦେଇଛି। ମହିଳା ଜଣକ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ଅଞ୍ଚଳର ବୋଲି ପୁଲିସ କହିଛି।

ମହିଳାଙ୍କ ଅଭିଯୋଗ ମୁତାବକ, ଉଦଳା ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନ୍‌ ୨୦୧୨ରେ ବିଧାୟକ ଥିବା ବେଳେ ତାଙ୍କୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଭିନ୍ନ ସମୟରେ ସେ ତାଙ୍କୁ ଭୁବନେଶ୍ବର ଡାକି ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ସେ ରାଜି ନ ହେବାରୁ ତାଙ୍କ ସହ ଅସଦାଚରଣ କରିଥିଲେ। ଏଣୁ ସେ ବାଧ୍ୟ ହୋଇ ଉଦଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଶ୍ରୀନାଥଙ୍କ ନାମରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଥିଲା। ଏଥିପାଇଁ ଗତ ୨୦୧୪ ନିର୍ବାଚନରେ ଶ୍ରୀନାଥଙ୍କ ଟିକେଟ ମଧ୍ୟ କଟିଥିଲା। ଏବେ ଏହି ମାମଲା ବିଚାରାଧୀନ ଥିବା ବେଳେ ତାଙ୍କୁ ପୁଣି ଥରେ ଉଦଳା ବିଧାନସଭା ଆସନରୁ ବିଜେଡି ଟିକେଟ ମିଳିଛି। ସେ କ୍ଷମତାକୁ ଆସିଲେ ଏହି ମାମଲାର ତଦନ୍ତ ପ୍ରଭାବିତ ହେବ। ଏହାକୁ ଦୃଷ୍ଟିରେ ରଖି ତାଙ୍କ ଟିକେଟ କଟାଯାଇ ନ୍ୟାୟ ପ୍ରଦାନ କରାଯାଉ ବୋଲି ମହିଳା ଜଣକ ଦାବି କରିଥିଲେ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ହେଲେ ତାଙ୍କ ଦାବିକୁ ଗୁରୁତ୍ବ ଦିଆ ନଯାଇ ଟିକେଟ୍‌ ପ୍ରଦାନ କରାଯାଇଥିବାରୁ ସେ ଆତ୍ମାହୁତି ବାଟ ବାଛିଥିବା କହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀନାଥ ଏକ ସାମ୍ବାଦିକ ସମିଳନୀ ଡାକି ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ବିରୋଧୀ ଗୋଷ୍ଠୀର ରାଜନୈତିକ ଚକ୍ରାନ୍ତ ବୋଲି କହିଛନ୍ତି। ୨୦୧୪ ମସିହା ଜାନୁଆରି ମାସ ୩ ତାରିଖରେ ହୋଇଥିବା ଏଭଳି ଅଭିଯୋଗ କ୍ରମେ ଉଦଳା ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ପୂର୍ବକ ତାଙ୍କ ବିରୋଧରେ ଏହା ମିଥ୍ୟା ବୋଲି ପ୍ରମାଣିତ ହୋଇଥିବା ଶ୍ରୀନାଥ ପ୍ରକାଶ କରିଛନ୍ତି।

ଶ୍ରୀନାଥ ଆହୁରି କହିଛନ୍ତି ଯେ ଉକ୍ତ ମହିଳା ଜଣକ ପୋଡାଡିହା ଅଞ୍ଚଳର ଏବଂ ପୂର୍ବରୁ ଏମିତି ମାମଲାରେ ଅନ୍ୟ କେତେକ ବ୍ୟକ୍ତିଙ୍କୁ ମଧ୍ୟ ଫସାଇଛନ୍ତି। ତେବେ କିଛି ହୀନ ରାଜନୈତିକ ବ୍ୟକ୍ତିବିଶେଷ ଉକ୍ତ ମହିଳାଙ୍କୁ ନିଜର ସ୍ୱାର୍ଥସାଧନ ପାଇଁ ବ୍ୟବହାର କରି ବିଜୁ ଜନତା ଦଳକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଏହି ମାମଲାରେ ଶ୍ରୀନାଥଙ୍କ ସହଯୋଗୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ତେବେ ଆଜି ଏହାକୁ ନେଇ ଉଦଳା ବିଜେଡି କର୍ମୀ ମହଲରେ ଅସନ୍ତୋଷ ଦେଖାଦେଇଛି। ମହିଳା ଜଣକ ତାଙ୍କର ସମ୍ମାନ ହାନି କରିଥିବାରୁ ଆଇନଗତ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀନାଥ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.