ପୁରୀରେ ବୁକିଂ ନାଁରେ ଠକେଇ: ବିଦେଶୀ ମହିଳା ପର୍ଯ୍ୟଟକଙ୍କୁ ହୋଟେଲରେ ଦୁର୍ବ୍ୟବହାର, ମାମଲା ରୁଜୁ

ହୋଟେଲ ମାଲିକକୁ ଅଟକ ରଖିଲା ବଳିଆପଣ୍ଡା ଥାନା

ପୁରୀ: ଆଧ୍ୟାତ୍ମିକ ସହର ପୁରୀର ଏକ ହୋଟେଲ ନାଁରେ ଗୁରୁବାର ଠକେଇ ଅଭିଯୋଗ ଆଣିଛନ୍ତି ଜଣେ ବିଦେଶୀ ମହିଳା ପର୍ଯ୍ୟଟକ। ହୋଟେଲ କର୍ମଚାରୀଙ୍କ ଦୁର୍ବ୍ୟବହାର ଶିକାର ହେବା ପରେ ମହିଳା ଜଣକ ବଳିିଆପଣ୍ଡା ଥାନାରେ ଅଭିଯୋଗ ଆଣିବା ପରେ ଏହି ଘଟଣା ସହିତ ଜଡ଼ିତ ହୋଟେଲ ମାଲିକ ହେମନ୍ତ ଭଞ୍ଜଙ୍କୁ ପୁଲିସ ଅଟକ ରଖିଛି। ଥାନାରେ ଅଭିଯୋଗ ଆଣିଥିବା ପର୍ଯ୍ୟଟକ ହେଲେ ଇଟାଲିର ଫିଓରେଲା ବିଜାରୋ।

ସୂଚନା ଅନୁସାରେ ବିଦେଶୀ ମହିଳା ପର୍ଯ୍ୟଟକ ଶ୍ରୀକ୍ଷେତ୍ର ଆସିବା ପାଇଁ କିଛି ମାସ ତଳେ ଏକ ଅନ୍‌ଲାଇନ୍‌ ସାଇଟ୍‌ booking.com ମାଧ୍ୟମରେ ପୁରୀର କ୍ରିଷ୍ଣା ରେସିଡେନ୍‌ସିର ଏକ ରୁମ୍‌ ବୁକିଂଙ୍ଗ କରିଥିଲେ। ଏଥି ପାଇଁ ତାଙ୍କୁ ୨୪୫୦ ଟଙ୍କା ଜମା କରିବାକୁ ପଡ଼ିଥିଲା। ରୁମ୍‌ ବୁକିଂଙ୍ଗ୍‌ର କନ୍‌ଫାରମେସନ୍‌ ପତ୍ର ମଧ୍ୟ ହାତରେ ଥାଇ ମଧ୍ୟ ଫଓରେଲା ବିଜାରୋଙ୍କୁ ରୁମ୍‌ ମିଳି ନଥଲା। ଓଲଟା ହୋଟେଲ ମାଲିକ ଗାଳି ଦେଇଥିଲେ। ପରେ ହୋଟେଲ ପକ୍ଷରୁ ଏକ ରୁମରେ ଜିନିଷ ପତ୍ର ରଖିବା ପାଇଁ କୁହାଯାଇଥିଲା।

ପୁରୀ ପହଞ୍ଚିବା ପରେ ମହିଳା ଜଣକ ବୁଧବାର ସନ୍ଧ୍ୟା ସାଢ଼େ ୫ଟାରେ ହୋଟେଲକୁ ଯାଇଥିଲେ। କିନ୍ତୁ ହୋଟେଲରେ ସ୍ଥାନ ନ ମିିଳବାରୁ ଥାନାରେ ଯାଇ ଅଭିଯୋଗ କରି ରାତି ୯ଟାରେ ହୋଟେଲକୁ ଫେରିଥିଲେ। ସେତେବେଳକୁ ଜିନିଷପତ୍ର ଥିବା ରୁମରେ ତାଲା ପଡ଼ିଯାଇଥିଲା। ଏହା ପରେ ମହିଳା ଜଣକ ଅନ୍ୟ ଉପାୟ ନ ପାଇ ପୁଣି ଥରେ ୧୦ଟାରେ ଥାନାକୁ ଯାଇଥିଲେ। ଶେଷରେ ପୁଲିସ ହେମନ୍ତକୁ ଥାନାକୁ ଆଣି ପଚରା ଉଚରାକରୁଛି। ପୁଲିସକୁ ହେମନ୍ତ କହିଛି, booking.com ସହିତ କ୍ରିଷ୍ଣା ରେସିଡେନ୍‌ସିର କୌଣସି ସମ୍ପର୍କ ନାହିଁ। ୬ ମାସ ହେବ ସେମାନେ ଅନ୍‌ଲାଇନ୍‌ ସଂସ୍ଥା ସହିତ ସମ୍ପର୍କ ତୁଟାଇ ସାରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର