ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା!

କିଶୋରନଗର/ସମ୍ବଲପୁର : ସ୍ୱାମୀଙ୍କ ସହ କଟକ ଯାଉଥିବା ସମ୍ବଲପୁର ସହରର ଜଣେ ବିବାହିତା ମହିଳା ଗତ ଗୁରୁବାର ରାତିରେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ନାକ୍‌ଚି ନିକଟରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ତେବେ ଏହା ପରଠାରୁ ମହିଳାଜଣଙ୍କର କୌଣସି ପତ୍ତା ମିଳୁନଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା ପ୍ରକାଶ ପାଉଛି। ମହିଳାଙ୍କ ସ୍ୱାମୀ ଓ ୬ ବର୍ଷର ଝିଅ ଦୁଇ ଦିନ ହେଲାଣି ହଣ୍ଡପା ଥାନା ଅଞ୍ଚଳରେ ଅଟକି ତାଙ୍କୁ ଖୋଜାଖୋଜି ଚଳାଇଥିବା ବେଳେ ମହିଳାଙ୍କ ପରିବାର ପକ୍ଷରୁ ମଧ୍ୟ ସମ୍ବଲପୁର ଟାଉନ୍‌ ଥାନାରେ ଏକ ଏତଲା ଦିଆଯାଇଛି। ଇତିମଧ୍ୟରେ ପୁଲିସ ୪ଜଣ ଯୁବକଙ୍କୁ ହଣ୍ଡପା ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି। ଏହି ଯୁବକମାନେ ଗଣଦୁଷ୍କର୍ମ କରିଥିବା କଥାକୁ ସ୍ୱୀକାର କରିଥିଲେ ମଧ୍ୟ ଏହାପରେ ମହିଳାଜଣକ କୁଆଡ଼େ ଗଲେ ସେ ନେଇ କିଛି କହୁନାହାନ୍ତି। ଘଟଣାଟି ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବାରୁ ଅନୁଗୁଳ ଏସ୍‌ପି ନିଜେ ହଣ୍ଡପା ଥାନାରେ ପହଞ୍ଚି ତଦନ୍ତ ତଦାରଖ କରୁଛନ୍ତି।

ସମଗ୍ର ଘଟଣାଟି ଯେତିକି ନାଟକୀୟ ସେତିକି ଅଭାବନୀୟ। ସମ୍ବଲପୁର ମୋଦିପଡ଼ା ଅଞ୍ଚଳର ଏହି ଦମ୍ପତି ଗୁରୁବାର ରାତିରେ କାର୍‌ରେ ସମ୍ବଲପୁରରୁ କଟକ ଅଭିମୁଖେ ଯାଉଥିଲେ। ସ୍ୱାମୀ କାର୍‌ ଚଳାଉଥିଲେ। ୬ ବର୍ଷର ଛୋଟ ଝିଅ ଆଗ ସିଟ୍‌ରେ ବସିଥିଲା। ସ୍ତ୍ରୀ (୩୦ ବର୍ଷ) ପଛ ସିଟ୍‌ରେ ବସିଥିଲେ। ରାତି ପ୍ରାୟ ୧୦ଟା ବେଳେ ନାକ୍‌ଚି ଛକ ନିକଟରେ ମହିଳା ଜଣକ ପରିସ୍ରା କରିବା ପାଇଁ କାର୍‌ରୁ ଓହ୍ଲାଇଥିଲେ। କିନ୍ତୁ ଧୋଇ ହେବା ପାଇଁ କାର୍‌ରୁ ପାଣି ବୋତଲ ନେବାକୁ ଭୁଲି ଯାଇଥିଲେ। କିଛି ସମୟ ପରେ ଆସି କାର୍‌ରୁ ପାଣି ବୋତଲ ନେବା ସହ କାର୍‌ ଡୋର୍‌ ପକାଇ ଦେଇଥିଲେ। ଅନ୍ୟପକ୍ଷରେ ଡୋର୍‌ ଶବ୍ଦ ଶୁଣି ସ୍ତ୍ରୀ କାର୍‌ରେ ବସିଗଲେ ବୋଲି ତାଙ୍କ ସ୍ୱାମୀ ମନେ ମନେ ଭାବି ନେଇଥିଲେ। ତେଣୁ ପଛକୁ ନ ଚାହିଁ କାର୍‌ ଚଳାଇଥିଲେ। କିନ୍ତୁ ପାଣି ନେଇ ଧୋଇ ହେଉଥିବା ମହିଳା ଜଣକ ନାକ୍‌ଚିଠାରେ ହିଁ ରହି ଯାଇଥିଲେ।

ନାକ୍‌ଚିରୁ ଯାଇ ବଇଣ୍ଡା ଛକରେ ପହଞ୍ଚାଇବା ପରେ ସ୍ୱାମୀ କାର୍‌ ଅଟକାଇଥିଲେ। ମାର୍କେଟରୁ ଚକୋଲେଟ୍‌ କିଣି ଫେରିବା ପରେ ଜାଣିବାକୁ ପାଇଥିଲେ ଯେ ସ୍ତ୍ରୀ କାର୍‌ରେ ନାହାନ୍ତି। ତେବେ ସେଠାରେ ସେ ଭାବିଥିଲେ ସ୍ତ୍ରୀ ବୋଧହୁଏ ସେ ଦୋକାନକୁ ଯାଇଥିବା ବେଳେ ହିଁ ଓହ୍ଲାଇଛନ୍ତି। ତେଣୁ ସେ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ। ସେତେବେଳ ପର୍ଯ୍ୟନ୍ତ ବି ସ୍ତ୍ରୀ ନାକ୍‌ଚିରେ ରହିଯାଇଥିବା କଥା ସେ ଜାଣିପାରିନଥିଲେ। ତେବେ ବେଶ୍‌ କିଛି ସମୟ ପର୍ଯ୍ୟନ୍ତ ସ୍ତ୍ରୀ କାର୍‌କୁ ନ ଆସିବାରୁ ସେ ବଇଣ୍ଡା ବଜାରରେ ଖୋଜାଖୋଜି କରିଥିଲେ। ସେଠାରେ ନ ପାଇ ପୁଣି ନାକ୍‌ଚି ଆଡକୁ ଫେରିଥିଲେ। ନାକଚିରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ଜଣେ ମହିଳା କିଛି ସମୟ ତଳେ ସେଠାରେ ଏକୁଟିଆ ବୁଲୁଥିଲେ। ତେବେ ସେ କୁଆଡ଼େ ଗଲେ ସେ ନେଇ କେହି କିଛି କହିପାରିନଥିଲେ। ଏ କଥା ଶୁଣିବା ପରେ ସ୍ୱାମୀଙ୍କ ମୁଣ୍ଡରେ ଯେମିତି ଚଡ଼କ ପଡ଼ିଥିଲା।

ରାତିସାରା ନାକଚି ଓ ବଇଣ୍ଡା ମଧ୍ୟରେ ଏକାଧିକ ଥର ଖୋଜିବା ପରେ ନିରାଶ ହୋଇ ଶୁକ୍ରବାର ସକାଳେ ହଣ୍ଡପା ଥାନାରେ ଏତାଲା ଦେଇଥିିଲେ ମହିଳାଙ୍କ ସ୍ୱାମୀ। ଅଭିଯୋଗ ପାଇ ପୁଲିସ ତୁରନ୍ତ ନାକଚି ଅଞ୍ଚଳରେ ତତନ୍ତ ଆରମ୍ଭ କରିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଜାଣିବାକୁ ପାଇଥିଲା ଯେ ମହିଳା ଜଣକ ଗୁରୁବାର ଅନ୍ଧାର ରାତିରେ ୫୫ନମ୍ବର ଜାତୀୟ ରାଜପଥରେ ଚାଲି ଚାଲି ଯାଉଥିଲେ। ଏହାପରେ ସ୍ଥାନୀୟ କମରେଇ ନିକଟରେ ଭୋଜି କରୁଥିବା କିଛି ଯୁବକ ମହିଳାଙ୍କୁ ଏକ ଅଟୋରିକ୍ସାରେ ଟେକି ନେଇଥିବା କୌଣସି ସୂତ୍ରରୁ ଖବର ପାଇ ପୁଲିସ ଏହି ଯୁବକମାନଙ୍କୁ ଧରିବାକୁ ଦିନସାରା ତନାଘନା କରିଥିଲା। ସନ୍ଦେହରେ ୪ ଜଣଙ୍କୁ ଥାନାକୁ ନେଇଥିଲା। ଅନୁଗୁଳ ଏସପି ବି ଥାନାରେ ପହଞ୍ଚି ପଚରାଉଚୁରା କରିଥିଲେ। ଯୁବକମାନେ ଏକୁଟିଆ ପାଇ ମହିଳାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ସ୍ୱୀକାର କରିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ମାତ୍ର ଏହାପରେ ସେମାନେ ତାଙ୍କୁ ଛାଡ଼ି ପଳାଇଥିଲେ ଓ ପରେ ମହିଳାଜଣକ କୁଆଡ଼େ ଗଲେ ସେ ନେଇ କିଛି କହି ପାରୁନାହାନ୍ତି। ଏକ ସିସିଟିଭି ଫୁଟେଜ୍‌ରେ ମଧ୍ୟ ମହିଳାଙ୍କୁ ଦେଖିବାକୁ ମିଳିଛି। ଏହି ଫୁଟେଜ୍‌କୁ ଆଧାର କରି ପୁଲିସ ତଦନ୍ତକୁ ଆଗକୁ ନେଉଛି। ଅନ୍ୟପକ୍ଷରେ ଘଟଣା ପରେ ଏହି ମହିଳାଙ୍କୁ ଅନ୍ୟ କେହି ଉଠାଇ ନେଇଛି କିମ୍ବା ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର