ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର ସନ୍ଧ୍ୟା ହେବା ମାତ୍ରେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଆଲୋକମାଳାରେ ଝଲସି ଉଠୁଛି। ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ରାତି ପାହିଲା ବେଳକୁ ବଡ଼ଦାଣ୍ଡ ଭକ୍ତି ଓ ଭକ୍ତିରେ ପରିପୂର୍ଣ୍ଣ ହୋଇଯାଇଥିବ। କାରଣ ଜଗତର ବଡ଼ ଠାକୁର ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରରୁ ୯ ଦିବସୀୟ ଯାତ୍ରାରେ ବାହାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବଡ଼ଦାଣ୍ଡରେ ଚତୁର୍ଦ୍ଦା ମୂରତିଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଭକ୍ତ ଓ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି। ସମସ୍ତେ ଚାତକ ପରି ଅନେଇ ରହିଛନ୍ତି, ଶ୍ରୀଜିଉ ମାନେ କେତେବେଳେ ରଥ ଉପରେ ବିରାଜମାନ କରିବେ। କାରଣ ବିଶ୍ୱାସ ଅନୁଯାୟୀ ରଥରେ ୩ ଠାକୁରଙ୍କୁ ଦର୍ଶନ କଲେ ସବୁ ପାପ ଧୋଇ ହୋଇଯାଇ ପୂଣ୍ୟ ମିଳିଥାଏ।
ଶରଧାବାଲି ଅଭିମୁଖେ ରଥ ଗଡ଼ିବା ପୂର୍ବରୁ ସକାଳ ୬ଟାରେ ମଙ୍ଗଳ ଆରତୀ ପରେ ୬ଟା ୧୦ରେ ମଇଲମ ଓ ୬ଟା ୩୦ରେ ତଡପଲାଗି ନୀତି ଅନୁଷ୍ଠିତ ହେବ। ସେହିଭଳି ୬.୩୦ରେ ରୋଷ ହୋମ, ୭ଟାରେ ଅବକାଶ, ୭ଟା୧୦ରେ ସୂର୍ଯ୍ୟପୂଜା ପରେ ୭ଟା ୩୦ରେ ଦ୍ୱାରପାଳ ପୂଜା, ୭ଟା ୩୦ ବେଶ ଶେଷ, ସକାଳ ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଲଭ ଓ ସକାଳଧୂପରେ ଖେଚୁଡି ଭୋଗ ହେବ।
ପୂର୍ବାହ୍ଣ ୯ଟାରେ ରଥ ପ୍ରତିଷ୍ଠା ହେବାକୁ ଥିବା ବେଳେ ୯ଟା ୧୫ରେ ମଙ୍ଗଳାର୍ପଣ, ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହେବ। ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ଭିତରେ ମଦନମୋହନ ବିଜେ କରିବେ ଓ ୧ଟା ୩୦ରୁ ୨ଟାରେ ଚିତା ଲାଗି, ୧ଟା ୩୦ରୁ ୨ଟା ୩୦ରେ ବେଶ ଶେଷ ହେବ। ୨ଟାରୁ ୩ଟା ଭିତରେ ଛେରାପହଁରା କରାଯାଇ ୩ଟାରୁ ଚାରମାଳ ଫିଟା ହେବା ପରେ ଘୋଡା ଓ ସାରଥୀ ଲାଗିବ। ଅପରାହ୍ଣ ୪ଟା ପରେ ରଥଟଣା ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି।