୯ ଧନୀ = ତଳସ୍ତରର ୫୦% ଲୋକଙ୍କ ସମ୍ପତ୍ତି

ଅକ୍ସଫାମ ରିପୋର୍ଟ : ଧନୀଙ୍କ ସମ୍ପତ୍ତି ଦିନକୁ ୨୨୦୦ କୋଟି ବୃଦ୍ଧି

ନୂଆଦିଲ୍ଲୀ : ଭାରତର ଦୁର୍ବଳ ଶ୍ରେଣୀର ୫୦% ଲୋକଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି, ସେତିକି ସମ୍ପତ୍ତି ମାତ୍ର ୯ ଜଣ ଧନୀ ଲୋକଙ୍କ ପାଖରେ ରହିଛି। ଦେଶର ୧% ଧନୀ ଲୋକଙ୍କ ସମ୍ପତ୍ତିରେ ୩୯% ବୃଦ୍ଧି ହୋଇଥିବା ବେଳେ ଗରିବ ଲୋକମାନଙ୍କ ସମ୍ପତ୍ତିରେ ମାତ୍ର ୩% ବୃଦ୍ଧି ହୋଇଛି। ୧୦ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୭୭.୪% ସମ୍ପତ୍ତି ରହିଛି। ଅକ୍ସଫାମ୍ ନାମକ ଏନଜିଓ ଏହାର ସଦ୍ୟତମ ରିପୋର୍ଟରେ ଏହି ଚିତ୍ର ଦେଖାଇଛି। ରିପୋର୍ଟରେ କୁହାଯାଇଛି ଯେ ଧନୀ ଓ ଗରିବଙ୍କ ଭିତରେ ଥିବା ଏହି ବୈଷମ୍ୟ ବଜାୟ ରହିଲେ ତାହା ଭାରତର ସାମାଜିକ ସ୍ଥିତି ଓ ଗଣତନ୍ତ୍ରକୁ ସମ୍ପୂର୍ଣ୍ଣ ବିଗାଡ଼ିଦେବ। ବିଶ୍ବ ସ୍ତରରେ ଧନୀ ଓ ଗରିବଙ୍କ ମଧ୍ୟରେ ଥିବା ବୈଷମ୍ୟ ଦ୍ରାରିଦ୍ୟ ବିରୋଧୀ ଲଢ଼େଇକୁ ଦୁର୍ବଳ କରୁଥିବା ବେଳେ ଅର୍ଥନୀତିକୁ ପ୍ରଭାବିତ କରୁଛି ଏବଂ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି।

ରିପୋର୍ଟ କହୁଛି, ଭାରତରେ ଥିବା ଧନୀ ଲୋକମାନଙ୍କ ସମ୍ପତ୍ତି ୨୦୧୮ରେ ପ୍ରତିଦିନ ୨୨୦୦ କୋଟି ଟଙ୍କା ବଢ଼ିଛି। ବିଶ୍ବର ଅନ୍ୟ ଧନୀମାନଙ୍କ ସମ୍ପତ୍ତି ଆହୁରି ଦ୍ରୁତ ଗତିରେ ବଢ଼ିଛି। ସେମାନଙ୍କ ସମ୍ପତ୍ତି ଦୈନିକ ୨୫୦ କୋଟି ଡଲାର ବଢ଼ିଛି। ବିଡ଼ମ୍ବନା ବିଷୟ ହେଉଛି, ଗରିବ ଲୋକଙ୍କ ସମ୍ପତ୍ତି ଏହି ସମୟରେ ୧୧% ହ୍ରାସ ପାଇଛି ଧନୀ ଓ ଗରିବଙ୍କ ଭିତରେ ସମ୍ପତ୍ତିକୁ ନେଇ ରହିଥିବା ବୈଷମ୍ୟ ଦ୍ରୁତ ଗତିରେ ବଢ଼ୁଛି।

କେବଳ ଭାରତ ନୁହେଁ, ସମ୍ପତ୍ତିକୁ ନେଇ ସାରା ବିଶ୍ବରେ ରହିଥିବା ବୈଷମ୍ୟକୁ ଅକ୍ସଫାମ୍ ଏହାର ବାର୍ଷିକ ରିପୋର୍ଟରେ ଜଣାଇଛି। ଡାଭୋସ୍‌ ଠାରେ ଆରମ୍ଭ ହୋଇଥିବା ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲଇଏଫ)ର ପାଞ୍ଚଦିନିଆ ସମ୍ମିଳନୀ ପୂର୍ବରୁ ଏହି ରିପୋର୍ଟକୁ ଉନ୍ମୋଚନ କରାଯାଇଛି। ଧନୀ ଓ ଗରିବଙ୍କ ଭିତରେ ଥିବା ଏହି ବୈଷମ୍ୟକୁ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ବିଶ୍ବର ପ୍ରମୁଖ ବିତ୍ତଶାଳୀ ଏବଂ ଶକ୍ତିଶାଳୀ ବ୍ୟକ୍ତିମାନଙ୍କୁ ଏହି ରିପୋର୍ଟରେ ଆହ୍ବାନ ଦିଆଯାଇଛି।

ସମ୍ବନ୍ଧିତ ଖବର