ଦୁଷ୍ଟ ଶିଶୁ

‘ଈଶ୍ବର ଅଥବା ପ୍ରକୃତି’ (‘ଡେଉସ୍‌ ସିଭେ ନାଟୁରା’)- ଏହା ଥିଲା ସପ୍ତଦଶ ଶତାବ୍ଦୀର ମହାନ୍‌ ଓଲନ୍ଦାଜ୍‌-ଇହୁଦୀ ଦାର୍ଶନିକ ବାରୁକ୍‌ ସ୍ପିନୋଜାଙ୍କର ଈଶ୍ବରଙ୍କ ପରିଚୟ ସମ୍ବନ୍ଧରେ ପ୍ରସିଦ୍ଧ ଉକ୍ତି; ଅର୍ଥାତ୍‌ ଈଶ୍ବର ଯିଏ, ପ୍ରକୃତି ସିଏ। ସ୍ପିନୋଜା କିନ୍ତୁ ସଚେତନ ଥିଲେ ଯେ ସାଧାରଣ ଜନତାର ବିଚାରରେ ଈଶ୍ବର ହେଉଛନ୍ତି ଏକ ବାହ୍ୟ ସତ୍ତା ଯିଏ ପ୍ରକୃତିର ସୃଷ୍ଟି କରିଥାନ୍ତି ଏବଂ ପ୍ରକୃତି ସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଥିବା ବେଳେ ଈଶ୍ବର ନିଷ୍କ୍ରିୟ ଥାନ୍ତି ଓ ପ୍ରକୃତିର ଅାଚରଣ ଯେତେବେଳେ ଅସ୍ବାଭାବିକ ହୋଇଥାଏ, ସେତେବେଳେ ଈଶ୍ବର ସକ୍ରିୟ ହୋଇ ନିଜର ଉପସ୍ଥିତି ଜାହିର କରିଥାନ୍ତି।

ସ୍ପିନୋଜାଙ୍କ ସମୟରେ ପୃଥିବୀର ଜଳବାୟୁର ଏକ ବହୁଚର୍ଚ୍ଚିତ ଅସ୍ବାଭାବିକ ଆଚରଣ ‘ଏଲ୍‌ ନିନୋ’ ସମ୍ବନ୍ଧରେ ଆଜି ଭଳି ବିଶ୍ବ ବ୍ୟାପୀ ସଚେତନତା ସୃଷ୍ଟି ହୋଇନଥିଲେ ମଧ୍ୟ ସେଇ ସପ୍ତଦଶ ଶତାବ୍ଦୀରେ ହିଁ ଏହାର ଏଭଳି ନାମକରଣ ହୋଇଥିଲା। ଆମୋଦିତ ନ ହୋଇ ରହି ହୁଏ ନାହିଁ, ଈଶ୍ବର ଓ ପ୍ରକୃତି ମଧ୍ୟରେ ସମ୍ପର୍କ ସମ୍ବନ୍ଧରେ ଜନସାଧାରଣଙ୍କ ଯେଉଁଭଳି ଉପର ବର୍ଣ୍ଣିତ ବିଚାର ସମ୍ବନ୍ଧରେ ସ୍ପିନୋଜା ସେତେବେଳେ ତାଙ୍କର ପ୍ରସିଦ୍ଧ ‘ଟ୍ରାକ୍ଟାଟସ୍‌ ଥିଓଲୋଜିକୋ-ପଲିଟିକ୍‌ସ’ରେ ଉଲ୍ଲେଖ କରିଥିଲେ, ‘ଏଲ୍‌ ନିନୋ’ର ନାମକରଣ ଠିକ୍‌ ସେଇଭଳି ଚିନ୍ତାଧାରା ହିଁ ବହନ କରିଥାଏ। ‘ଏଲ୍‌ ନିନୋ’ର ଅର୍ଥ ହେଉଛି- ‘ଶିଶୁ ଯୀଶୁ’ ଅର୍ଥାତ୍‌ ଶିଶୁ ଈଶ୍ବର। ଦକ୍ଷିଣ ଆମେରିକାର ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ମତ୍ସ୍ୟଜୀବୀମାନେ କେତେବର୍ଷ ବ୍ୟବଧାନରେ ଦେଖା‌ ‌େଦଉଥିବା ଜଳବାୟୁର ଏକ ଅସ୍ବାଭାବିକ ଆଚରଣର ଏପରି ନାମକରଣ କରିବାର କାରଣ ହେଲା ଯୀଶୁଙ୍କ ଜନ୍ମ ସମୟ ଖ୍ରୀଷ୍ଟମାସ ବା ସେଇ ପାଖାପାଖି ସମୟରେ ହିଁ ଏହାର ଆବିର୍ଭାବ ଘଟିଥାଏ। ସତେ ଯେମିତି ସ୍ପିନୋଜା ସୂଚାଇଥିବା ଭଳି ପ୍ରକୃତିର ଅସ୍ବାଭାବିକ ଆଚରଣ ମାଧ୍ୟମରେ ଶିଶୁ ଯୀଶୁ ନିଜର ଉପସ୍ଥିତି ଘୋଷଣା କରିଥାନ୍ତି।

ପ୍ରକୃତି ବା ଜଳବାୟୁର ସେଇ ଅସ୍ବାଭାବିକ ଆଚରଣ ବା ବିକୃତି ଚୁମ୍ବକରେ ହେଉଛି ନିମ୍ନବର୍ଣ୍ଣିତ ଭଳି। ସୂର୍ଯ୍ୟ ତାପ ଯୋଗୁଁ ବିଷୁବରେଖା ନିକଟବର୍ତ୍ତୀ ପ୍ରଶାନ୍ତ ମହାସାଗରୀୟ ଜଳରାଶିର ଉପରି ଭାଗ ଉତ୍ତପ୍ତ ହୋଇ ଯାଇଥାଏ। ସାଧାରଣତଃ ସେ ଅଞ୍ଚଳରେ ଜୋର୍‌ରେ ବୋହୁଥିବା ପବନ ସେଇ ଉତ୍ତପ୍ତ ଉପର ଜଳକୁ ପଶ୍ଚିମ ମୁହାଁ ଠେଲି ଠେଲି ଇଣ୍ଡୋନେସିଆ ଦିଗରେ ନେଇ ଯାଇଥାଏ। ଫଳରେ ଦକ୍ଷିଣ ଆମେରିକା ଉପକୂଳରେ ସମୁଦ୍ରର ନିମ୍ନ ଭାଗର ଶୀତଳ ଜଳରାଶି ସେଇ ଶୂନ୍ୟସ୍ଥାନ ପୂରଣ କରିବାକୁ ଉପରକୁ ଉଠି ଆସେ। କିନ୍ତୁ କେଉଁ କେଉଁ ବର୍ଷ ଏହି ପବନ ଦୁର୍ବଳ ହୋଇ ଓଲଟା ପୂର୍ବ ଆଡ଼କୁ ବହିବା ଦେଖା ଯାଇଥାଏ, ଯାହା ଫଳରେ ଉତ୍ତପ୍ତ ଜଳରାଶି ଇଣ୍ଡୋନେସିଆ ଦିଗରେ ମାଡ଼ି ନ ଯାଇ ଦକ୍ଷିଣ ଆମେରିକା ଉପକୂଳକୁ ପ୍ଳାବିତ କରିଥାଏ। ଏହାର ପ୍ରଭାବରେ ଶୀତଳ ଜଳ ଲୋଡୁଥିବା ମାଛମାନଙ୍କର ବିଲୋପ ଘଟି ମତ୍ସ୍ୟ ଜୀବୀମାନଙ୍କର ପ୍ରଭୂତ କ୍ଷତି ଘଟିଥାଏ। ସମୁଦ୍ରର ତାପମାତ୍ରା ବୃଦ୍ଧି ଯୋଗୁଁ ସେ ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ ଘଟି ବନ୍ୟା ବିତ୍ପାତ ଦେଖା ଦେଇଥିବା ବେଳେ ଏସୀୟ ଅଞ୍ଚଳରେ ବୃଷ୍ଟି ହାନିଜନିତ ମରୁଡ଼ି ପରିସ୍ଥିତି ଦେଖା ଦେଇଥାଏ। ଉଦାହରଣ ସ୍ବରୂପ ୨୦୦୧‌ରୁ ୨୦୨୦ ମଧ୍ୟରେ ଭାରତ ସାତଟି ‘ଏଲ୍‌ ନିନୋ’ ଅଙ୍ଗେ ନିଭେଇଛି, ଯାହା ମଧ୍ୟରୁ ୨୦୦୩, ୨୦୦୫, ୨୦୦୯-୧୦ ଓ ୨୦୧୫-୧୬ରେ ଘଟିଥିବା ‘ଏଲ୍‌ ନିନୋ’ ଯୋଗୁଁ ଦେଶରେ ମରୁଡ଼ି ପରିସ୍ଥିତି ଦେଖା ଯାଇଥିଲା।

ପାଣିପାଗର ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ପୁଣି ସେଇ ‘ଶିଶୁ ଯୀଶୁ’ଙ୍କର ଆବିର୍ଭାବ ଘଟିବାକୁ ଯାଉଛି, ଯାହା ଆମ ପାଇଁ ଏକ ଶୁଭ ଖବର ନୁହେଁ। ଅବଶ୍ୟ ଭାରତୀୟ ପାଣିପାଗ ବିଭାଗ (‘ଆଇଏମ୍‌ଡି’)ର ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଦେଶରେ ମୌସୁମୀ ବୃଷ୍ଟିପାତ ସ୍ବାଭାବିକ (ନର୍ମାଲ୍‌) ହେବ ବୋଲି ଅାଶା କରାଯାଉଛି; କିନ୍ତୁ ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍‌’ ଏଥର ମୌସୁମୀ ବୃଷ୍ଟିପାତ ନର୍ମାଲ୍‌ ଠାରୁ କମ୍‌ ହେବାକୁ ଯାଉଛି ବୋଲି ପୂର୍ବାନୁମାନ ପ୍ରକାଶ କରିଛି।

ଏହା ସତ ଯେ ଅତୀତରେ କେତେକ ‘ଏଲ୍‌ ନିନୋ’ ବର୍ଷରେ ମଧ୍ୟ ଭାରତରେ ମୌସୁମୀ ବୃଷ୍ଟିପାତ ନର୍ମାଲ୍‌ କିମ୍ବା ନର୍ମାଲ୍‌ଠାରୁ ମଧ୍ୟ ଅଧିକ ‌ହେବା ଦେଖାଯାଇଛି। ୧୯୫୦ରୁ ବର୍ତ୍ତମାନ ମଧ୍ୟରେ ଦେଖାଯାଇଥିବା ୨୧ଟି ‘ଏଲ୍‌ ନିନୋ’ ବର୍ଷ ମଧ୍ୟରୁ କେବଳ ୧୧ଟିରେ ଅନାବୃ‌ଷ୍ଟି ଅନୁଭୂତ ହୋଇଛି। ଅନ୍ୟ ‘ଏଲ୍‌ ନିନୋ’ ବର୍ଷମାନଙ୍କରେ ସାଧାରଣ ବୃଷ୍ଟିପାତ କିମ୍ବା ଅତି ବୃଷ୍ଟି ମଧ୍ୟ ପରିଲକ୍ଷିତ ହୋଇଛି। ସେସବୁ ବର୍ଷମାନଙ୍କରେ ‘ଏଲ୍‌ ନିନୋ’ର ପ୍ରଭାବକୁ ପ୍ରତିହତ କରିଥାଏ ଭାରତ ମହାସାଗରରେ ସୃଷ୍ଟି ହେଉଥିବା ଅନ୍ୟ ଏକ ପାଣିପାଗକୁ ପ୍ରଭାବିତ କରୁଥିବା ପ୍ରକ୍ରିୟା‌ ଯାହାର ନାମ ହେଉଛି ‘ଇଣ୍ଡିଆନ୍‌ ‌ଓସନ୍‌ ଡାଇପୋଲ୍‌’ (‘ଆଇଓଡି’) ଏବଂ ଯାହା ବୃଷ୍ଟିପାତରେ ବୃଦ୍ଧି ଘଟାଇଥାଏ।

‘ଏଲ୍‌ ନିନୋ’ ସୃଷ୍ଟ ଶୁଷ୍କତାକୁ ଯଦି ‘ଆଇଓଡି’ ସୃଷ୍ଟ ଆର୍ଦ୍ରତା ସମ୍ପୂର୍ଣ୍ଣ ଭରଣା କରିଦିଏ ତେବେ ସେ ବର୍ଷ ବୃଷ୍ଟିପାତ ସ୍ବାଭାବିକ ହୋଇଥାଏ, ଯଦି ‘ଆଇଓଡି’ର ପ୍ରଭାବ ‘ଏଲ୍‌ ନିନୋ’ର ପ୍ରଭାବ ଠାରୁ ଅଧିକ ହୁଏ ତେବେ ‘ଏଲ୍‌ ନିନୋ’ ସତ୍ତ୍ବେ ସେ ବର୍ଷ ଅତିବୃଷ୍ଟି ମଧ୍ୟ ଘଟିପାରେ। ଏହି କାରଣରୁ ୧୯୯୪, ୧୯୯୭ ଓ ୨୦୦୬ ବର୍ଷମାନ ‘ଏଲ୍‌ ନିନୋ’ ବର୍ଷ ହୋଇଥିଲେ ମଧ୍ୟ ସେ ବର୍ଷମାନଙ୍କରେ ମୌସୁମୀ ବୃଷ୍ଟିପାତ ନର୍ମାଲ୍‌ କିମ୍ବା ନର୍ମାଲ୍‌ ଠାରୁ ଅଧିକ ହେବା ଦେଖାଯାଇଥିଲା। ଆମ ପାଇଁ ଏକ ଆଶାର କିରଣ ସ୍ବରୂପ ୨୦୨୩ରେ ‘ଆଇଓଡି’ ଧନାତ୍ମକ (ପଜିଟିଭ୍‌) ହୋଇପାରେ ବୋଲି ପୂର୍ବାନୁମାନ ପ୍ରକାଶ ପାଉଛି। କିନ୍ତୁ ପାଣିପାଗ ସମ୍ବନ୍ଧରେ ସଠିକ୍‌ ପୂର୍ବାନୁମାନ କରିବା ଯେ ସମ୍ଭବ ନୁହେଁ, ଏହା ସୁବିଦିତ। ଏଣୁ ‘ସ୍କାଏମେଟ୍‌’ ଅନାବୃଷ୍ଟିର ସମ୍ଭାବନା ସମ୍ବନ୍ଧରେ କରିଥିବା ପୂର୍ବାନୁମାନକୁ ଆଡ଼େଇ ନ ଦେଇ ‘ଏଲ୍‌ ନିନୋ’ର ଦୁଷ୍ଟାମିର ମୁକାବିଲା ପାଇଁ ପ୍ରସ୍ତୁତ ହେବା ଆମ ପାଇଁ ବୁଦ୍ଧିମାନର କାର୍ଯ୍ୟ ହେବ।
ଏକ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଶ‌େର ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଉଦ୍ୟମ ପାଇଁ ସମସ୍ୟା ସୃଷ୍ଟି କରିପାରେ।

ଏହା ସତ ଯେ ଗତ ଦୁଇ ମାସ ଧରି ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର (ସିପିଆଇ) ସର୍ବୋଚ୍ଚ ସହନସୀମା ୬ ଶତାଂଶ ତଳେ ରହି ଆମକୁ ଆଶ୍ବସ୍ତ କରିଥିଲେ ହେଁ ଖାଦ୍ୟଶସ୍ୟ (୧୩.୭ ଶତାଂଶ) ଓ ଦୁଗ୍‌ଧ (୮.୮ ଶତାଂଶ) ଭଳି ନିତ୍ୟ ବ୍ୟବହ‌ାର୍ଯ୍ୟ ଖାଦ୍ୟ ପଦାର୍ଥମାନଙ୍କ ଦରରେ ଏପ୍ରିଲ୍‌ରେ ଦେଖାଯାଇଥିବା ବୃଦ୍ଧି ତଥାପି ଚିନ୍ତାଜନକ ଥିଲା। ନିକଟ ଅତୀତରେ ସରକାର ଖୋଲା ବଜାରରେ ଗହମ ବିକ୍ରୟ, ଚାଉଳ ରପ୍ତାନି ନିୟନ୍ତ୍ରଣ, ଖାଇବା ତେଲ ଉପରୁ ଆମଦାନି ଶୁଳ୍‌କ ହ୍ରାସ ଆଦି ଭଳି ପଦକ୍ଷେପମାନ ମାଧ୍ୟମରେ ଖାଦ୍ୟ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି। ଏହା ସତ୍ତ୍ବେ ଆଗାମୀ ଏକ ବର୍ଷ ପାଇଁ କରାଯାଉଥିବା ଆକଳନ ଅନୁସାରେ ‘ପାରିବାରିକ ମୁଦ୍ରାସ୍ଫୀତି ପ୍ରତ୍ୟାଶା’ (‘ହାଉସ ହୋଲ୍‌ଡ ଇନ୍‌ଫ୍ଲେସନାରୀ ଏକ୍‌ସପେ‌‌େକ୍ଟସନ୍‌’) ତଥାପି ଏକ ଉଚ୍ଚା ୧୦.୫ ଶତାଂଶ ରହିଥିବା ‌ଦେଖାଯାଇଛି, ଯାହା ଖାଦ୍ୟ ମୁଦ୍ରାସ୍ଫୀତି ଦ୍ବାରା ବିଶେଷ ଭାବରେ ପ୍ରଭାବିତ ହୋଇଥାଏ।

‘ଏଲ୍‌ ନିନୋ’ ଜନିତ ମରୁଡ଼ି ପରିସ୍ଥିତି ଯୋଗୁଁ ଯଦି ମୁଦ୍ରାସ୍ଫୀତି ପୁଣି ଉପରମୁହାଁ ହୁଏ, ‌େତବେ ସୁଧ ହାରରେ ହ୍ରାସ ଘଟାଇବାକୁ ଚିନ୍ତା କରୁଥିବା ରିଜର୍ଭ ବ୍ୟାଙ୍କ ପୁଣି ସେଥିରେ ବୃଦ୍ଧି କରିବାକୁ ବାଧ୍ୟ ହୋଇପାରେ। ସମ୍ଭାବ୍ୟ ମରୁଡ଼ି ଓ ସୁଧ ହାରରେ ବୃଦ୍ଧିର ମିଳିତ ପ୍ରଭାବରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ବ୍ୟାହତ ହୋଇପାରେ। ତାହା ହେଲେ ଭବିଷ୍ୟବାଣୀ କରାଯାଇଥିବା ୬.୫ ଶତାଂଶ ଅଭିବୃଦ୍ଧି ହାର ହାସଲ କରିବା ଆମ ପାଇଁ ସମ୍ଭବ ନ ହୋଇପାରେ। ‘ଶିଶୁ ଯୀଶୁ’ଙ୍କର ଏହି ସମ୍ଭାବ୍ୟ ଦୁଷ୍ଟାମିର ମୁକାବିଲା ପାଇଁ ସରକାର ଓ ରିଜର୍ଭ ବ୍ୟାଙ୍କକୁ ଏବେଠୁଁ ସଜାଗ ରହିବାକୁ ପଡ଼ିବ।

ସମ୍ବନ୍ଧିତ ଖବର