୪ ମାସ ଶୟନ କରିବେ ଶ୍ରୀଲିଙ୍ଗରାଜ, ରାଜ୍ୟଭାର ଅର୍ପଣ ପାଇଁ ପର୍ଶୁରାମେଶ୍ବର ମନ୍ଦିର ଯାତ୍ରା
ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ହରିଶୟନ ଚତୁର୍ଦ୍ଦଶୀ ତିଥିରୁ ଉତ୍ଥାପନ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୪ ମାସ ଧରି ଶୟନ କରିବେ। ତେଣୁ ଏହି ୪ ମାସ ଶ୍ରୀପର୍ଶୁରାମେଶ୍ବର ରାଜ୍ୟ ଦାୟିତ୍ବ ନେବେ। ଏହି ଦାୟିତ୍ବ ଅର୍ପଣ ପାଇଁ ଆଜି ପବିତ୍ର ପର୍ଶୁରାମାଷ୍ଟମୀ ତିଥିରେ ମା’ ପାର୍ବତୀ, ଦେବୀ ଦୁର୍ଗା ଓ ଶ୍ରୀବାସୁଦେବଙ୍କ ସହ ମହାପ୍ରଭୁ ଶ୍ରୀଲିଙ୍ଗରାଜ ପର୍ଶୁରାମେଶ୍ବର ମନ୍ଦିରକୁ ଯାତ୍ରା କରିଥିଲେ। ସେବାୟତମାନେ ଝିପିଝିପି ବର୍ଷାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମାକୁ ପର୍ଶୁରାମେଶ୍ବର ମନ୍ଦିରକୁ ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପର୍ଶୁରାମେଶ୍ବରଙ୍କୁ ମହୁ, କ୍ଷୀର ଓ ସୁବାସିତ ଜଳରେ ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ସେଠାରେ ଶ୍ରୀଜିଉଙ୍କ ସହ ପର୍ଶୁରାମେଶ୍ବରଙ୍କ ଭେଟ ଆଳତି କରାଯାଇଥିଲା। ପରେ ରାଜ୍ୟଭାର ଦାୟିତ୍ୱ ଅର୍ପଣ କରିବା ବିଧି ତୁଲାଯାଇଥିଲା। ଫେରିବା ବେଳେ ନିକଟରେ ଥିବା କେଦାରଗୌରୀ ମନ୍ଦିର ଶ୍ୱଶୁରାଳୟକୁ ଯାତ୍ରା କରିଥିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ସେଠାରେ ମଧ୍ୟ ମହାପ୍ରଭୁଙ୍କୁ ମୁଆଁଭୋଗ ଲାଗି ପରେ କେଦାରେଶ୍ୱରଙ୍କ ସହ ଭେଟ ଆଳତି କରାଯାଇଥିଲା। ପରେ ମହାଦେବ ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।