ଧରାପଡ଼ିଲେ ୪ ଗଞ୍ଜେଇ ବେପାରୀ

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ଈଶାନେଶ୍ୱର ମନ୍ଦିର ନିକଟ ଈଶାନେଶ୍ୱର ବସ୍ତିରୁ ମଙ୍ଗଳବାର ରାତିରେ ପୁଲିସ ୪ଜଣ ରାଜ୍ୟ ବାହାର ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ୩୪ କେଜି ଗଞ୍ଜେଇ ସହ ଅନ୍ୟ କିଛି ସାମଗ୍ରୀ ଜବତ କରିଛି। ଏହି ବ୍ୟବସାୟରେ ବ୍ୟବହାର କରାଯାଇଥିବା ୨ଟି କାର୍‌ (ଡବ୍ଲୁ ବି-୩୦-ଜି ୬୭୧୭) ଓ (ଓଡି- ୩୩ ଇ-୦୪୨୪)କୁ ପୁଲିସ୍‌ ଜବତ କରି ଥାନାରେ ରଖିଛି। ସେମାନଙ୍କଠାରୁ ପୁଲିସ କିଛି ନଗଦ ଟଙ୍କା ମଧ୍ୟ ଜବତ କରିଛି। ଗିରଫ ୪ଜଣ ହେଲେ କୋଲକାତା ପୂର୍ବ ମେଦିନାପୁରର ସହଲମ୍‌ ଶାହା(୪୦) ଓ ଶୁଭଜିତ୍‌ ବରେ ଏବଂ ହାଓ୍ଵଡ଼ାର ମୁନ୍ନା ସିଂ(୫୦) ଓ ସକିତ୍‌ ନଗର ରାଞ୍ଚି ଝାଡ଼ଖଣ୍ଡର ମୁନ୍ନା ରାଜଓ୍ଵାର (୨୯)। ଦୁଇ ମୁନ୍ନା ଚନ୍ଦ୍ରଶେଖରପୁର ଈଶାନେଶ୍ୱର ବସ୍ତିରେ ରହି ରାଜଧାନୀରେ ବଡ଼ ଧରଣର ଗଞ୍ଜେଇ ବେପାର ଚଳାଉଥିଲେ ବୋଲି ପୁଲିସକୁ ଜେରା ବେଳେ ପ୍ରକାଶ କରିଛନ୍ତି। ଦୁଇ ମୁନ୍ନା ମାଷ୍ଟରମାଇଣ୍ଡ ଭାବେ ଭୁବନେଶ୍ୱର ବିଭିନ୍ନ ବେପାରୀଙ୍କୁ ଗଞ୍ଜେଇ, ଚରସ ଓ ଅନ୍ୟ ମାଦକ ଦ୍ରବ୍ୟ ବିକ୍ରି କରୁଥିଲେ। ଏହି ସବୁ ଗଞ୍ଜେଇ ଓ ଅନ୍ୟ ଜିନିଷକୁ ସେମାନେ କୋଲକାତାରୁ ଆଣୁଥିଲେ। ମଙ୍ଗଳବାର କୋଲକାତାର ବେପାରୀ ତାଙ୍କୁ ଗଞ୍ଜେଇ ଦେବାପାଇଁ ଈଶାନେଶ୍ୱର ବସ୍ତିରେ ପହଞ୍ଚିବା ବେଳେ ଅବକାରୀ ବିଭାଗ ପୁଲିସ ସ୍ଥାନୀୟ ଥାନା ପୁଲିସ ସହ ମିଶି ହଠାତ ସେମାନଙ୍କ ଘରେ ଚଢ଼ଉ କରିଥିଲା। ଫଳରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିଲା। ଏହି ବ୍ୟବସାୟରେ ଈଶାନେଶ୍ୱର ବସ୍ତିର ଆଉ କିଛି ଯୁବକ ସାମିଲ୍‌ ଥିବା ବେଳେ ଚଢ଼ାଉ ବେଳେ ସେମାନେ ଘଟଣା ସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର