ଫ୍ଲାଏ-ଆସ୍‌ ପରିବେଶ ପ୍ରତି ବିପଦ : ୧୦୦ ପ୍ରତିଶତ ବିନିଯୋଗ କରିବାକୁ ନିର୍ଦେଶ

ଭୁବନେଶ୍ୱର : ରାଜ୍ୟରେ କୋଇଲା ବ୍ୟବହାର କରି ଫ୍ଲାଏ-ଆସ୍‌ ଉତ୍ପନ୍ନ କରୁଥିବା ପ୍ରାୟ ୪୦ଟି ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ଉତ୍ପନ୍ନ ହେଉଥିବା ଫ୍ଲାଏ-ଆସ୍‌ ଯୋଗୁଁ ପରିବେଶ ବହୁଳ ଭାବେ ପ୍ରଦୂଷିତ ହେଉଛି। ଏଥିରୁ ପରିବେଶକୁ ସୁରକ୍ଷିତ ରଖିିବା ପାଇଁ ଫ୍ଲାଏ-ଆସ୍‌ ବିନିଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ଗତବର୍ଷ ଏହାର ବିନିଯୋଗ ହାର ୮୧ ପ୍ରତିଶତ ଥିଲା। ଚଳିତ ବର୍ଷ ଏହାକୁ ଶତ ପ୍ରତିଶତ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସଂପୃକ୍ତ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସଂପୃକ୍ତ ଉତ୍ପନ୍ନକାରୀ କମ୍ପାନିମାନଙ୍କୁ ନିର୍ଦେଶ ଦେଇଛନ୍ତିି। ଆଜି ସଚିବାଳୟରେ ଏ ନେଇ ଅନୁଷ୍ଠିତ ବୈଠକରେ ମୁଖ୍ୟ ସଚିବ ପ୍ରତିଟି କମ୍ପାନିରୁ ଉତ୍ପନ୍ନ ହେଉଥିବା ଫ୍ଲାଏ-ଆସ୍‌ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ଫ୍ଲାଏ-ଆସ୍‌ ପରିବେଶ ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ବିପଦ ସୃଷ୍ଟି କରୁଥିବାରୁ ସଂପୃକ୍ତ କମ୍ପାନିମାନେ ଏହାର ବିନିଯୋଗକୁ ଅଗ୍ରାଧିକାର ପ୍ରଦାନ କରିବାକୁ ସେ ନିର୍ଦେଶ ଦେଇଥିଲେ। ସେ କହିଥିଲେ, ଏ କ୍ଷେତ୍ରରେ ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତିି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ସଂପୃକ୍ତ ବିଭାଗ ମୁଖ୍ୟମାନଙ୍କୁ ସେ ନିର୍ଦେଶ ଜାରି କରିଥିଲେ। ଫ୍ଲାଏ-ଆସ୍‌ ଉତ୍ପନ୍ନ କରୁଥିବା କମ୍ପାନିମାନେ ମଧ୍ୟ କିପରି ଅଧିକ ପରିମାଣରେ ଏହାର ବିନିଯୋଗ କରିପାରିବେ, ସେ ଦିଗରେ ନୂଆ ପନ୍ଥା ନିର୍ଧାରଣ କରିବାକୁ ଉନ୍ନୟନ କମିସନର ଆର.ବାଳକ୍ରିଷ୍ଣନ କହିଥିଲେ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଫ୍ଲାଏ-ଆସ୍‌ ପରିମାଣ ସଂପର୍କରେ କମ୍ପାନିମାନେ ନିଜ ନିଜ େଓ୍ଵବ୍‌ସାଇଟ୍‌ରେ ଉଲ୍ଲେଖ କରିବେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଭଳି ସଂପତ୍ତି ସୃଷ୍ଟିକାରୀ ଯୋଜନାରେ ଫ୍ଲାଏ-ଆସ୍‌ ବିନିଯୋଗ ନିମନ୍ତେ ୩୦୦ କି.ମି. ପର୍ଯ୍ୟନ୍ତ ପରିବହନ ଖର୍ଚ ନିଜେ ତାପଜ ବିଦ୍ୟୁତ୍‌ କମ୍ପାନି ବହନ କରିବ। ଅନ୍ୟ ପ୍ରକଳ୍ପ ଏବଂ ନିର୍ମାତାଙ୍କ ପାଇଁ ଏହି ବ୍ୟବସ୍ଥା ୧୦୦ କି.ମି. ପର୍ଯ୍ୟନ୍ତ ସୀମିତ ରହିବ। ୨୦୧୮-୧୯ରେ ପ୍ରତ୍ୟେକ କମ୍ପାନି ଶତ ପ୍ରତିଶତ ଫ୍ଲାଏ-ଆସ୍‌ ବିନିଯୋଗ ନେଇ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ୱାଳ କହିଲେ, ୧୦ ମେଗାଓ୍ଵାଟ୍‌ରୁ ଅଧିକ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ୪୦ଟି କମ୍ପାନିର କାର୍ଯ୍ୟକଳାପକୁ ନିୟମିତ ଅନୁଧ୍ୟାନ କରାଯାଉଛି। ଗତବର୍ଷ ବାର୍ଷିକ ୩୨ ନିୟୁତ ଟନ୍‌ ଫ୍ଲାଏ-ଆସ୍‌ ଉତ୍ପନ୍ନ ହୋଇଥିବା ବେଳେ ବିନିଯୋଗ ହାର ୮୧ ପ୍ରତିଶତ ରହିଥିଲା। ଏ ବର୍ଷ ଏହାକୁ ୧୦୦ ପ୍ରତିଶତ କରିବାକୁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଗୃହ ନିର୍ମାଣ, ପୂର୍ତ୍ତ, ଏନ୍‌ଏଚ୍‌ଏଆଇ ସିଜିଏମ୍‌, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର