ବ୍ରହ୍ମପୁର/କୁଆରମୁଣ୍ଡା: ଗତକାଲି ରାତିରେ ବ୍ରହ୍ମପୁର ସହରର ୬ଟି ଏବଂ ରାଉରକେଲା ନିକଟସ୍ଥ କୁଆରମୁଣ୍ଡାରେ ଗୋଟିଏ ଏଟିଏମ୍କୁ ଭାଙ୍ଗି ଦୁର୍ବୃତ୍ତମାନେ ପାଖାପାଖି ୨୮ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି। ଗୋଟିଏକୁ ବାଦ୍ ଦେଲେ ସବୁତକ ହେଉଛି ଷ୍ଟେଟବ୍ୟାଙ୍କ ଏଟିଏମ୍। କେବଳ ଗୋପାାଳପୁର ଥାନା ଅଧୀନ ଡୁରା ଗ୍ରାମ ଛକଠାରେ ଥିବା ୟୁନାଇଟେଡ଼୍ ବ୍ୟାଙ୍କରୁ ଲୁଟ୍ ହୋଇଥିବା ଜଣାପଡ଼ିଛି। ଲୁଟେରାମାନେ ଅଧିକାଂଶ ଜାଗାରେ ଏଟିଏମ୍ ମେସିନ୍ର ଆଇରନ୍ ଚେଷ୍ଟକୁ ଗ୍ୟାସ୍ କଟର୍ରେ କାଟି ଲୁଟ୍ କରିଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ଗୋପାଳପୁର ଥାନା ଅନ୍ତର୍ଗତ ଶରଧାବାଲି ଛକରେ ଥିବା ଏସ୍ବିଆଇ ଏଟିଏମ୍ କାଉଣ୍ଟର୍ରେ ସାଇରନ୍ ବାଜି ଉଠିବାରୁ ଏହି ଲୁଟ୍ ସମ୍ପର୍କରେ ଜଣାପଡ଼ିଥିଲା। ପରେ, ଖୋଳତାଡ଼ କରାଯିବାରୁ ଏକାଧିକ ଏଟିଏମ୍ରେ ଲୁଟ୍ ହୋଇଥିବା ନଜରକୁ ଆସିଥିଲା। ପୁଲିସ୍ ଖୋଳତାଡ଼ ପରେ ଆଙ୍କୋଲି ଏଟିଏମ୍ କାଉଣ୍ଟର୍ର ୧ଲକ୍ଷ ୩୮ହଜାର ଟଙ୍କା ଲୁଟ୍ ହୋଇଥିବାବେଳେ ଖୋଡ଼ାସିଙ୍ଗିର ୪ଲକ୍ଷ, ଲାଞ୍ଜିପଲ୍ଲୀର ୪ଲକ୍ଷ, ହଳଦିଆପଦରର ୫ଲକ୍ଷ ୨୨ହଜାର, ଗୋସାଇଁନୂଆଗାଁର ୨ଲକ୍ଷ ୩୦ହଜାର ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଥିଲା। ଗୋପାାଳପୁର ଥାନା ଅଧୀନ ଡୁରା ଗ୍ରାମ ଛକ ୟୁନାଇଟେଡ୍ ବ୍ୟାଙ୍କ୍ ଏଟିଏମ୍ ମେସିନକୁ ତାଡ଼ି ଦୁର୍ବୃତ୍ତ ମାନେ ୨ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ସେହିଭଳି, କୁଆରମୁଣ୍ଡା ଫରେଷ୍ଟ ଚେକ୍ଗେଟ୍ ନିକଟସ୍ଥ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଏଟିଏମ୍ରୁ ଗତ ରାତିରେ ଟଙ୍କା ଲୁଟ୍ ହୋଇଛି। ଲୁଟେରାମାନେ ଗ୍ୟାସ କଟରରେ ଏଟିଏମ୍କୁ କାଟି ଭିତରେ ଥିବା ୮ ଲକ୍ଷ ଟଙ୍କା ନେଇ ଯାଇଛନ୍ତି। ଏହା ପୂର୍ବରୁ ୨୦୧୫ ମସିହାରେ ଏହି ଏଟିଏମ୍ରୁ ୧୮ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ପୂର୍ବରୁ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କଟକ ଜିଲ୍ଲାରେ ଏଭଳି ଲୁଟ୍ ହୋଇଥିଲା। ସେହିପରି ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ ଗୁଜୁରାଟରେ ମଧ୍ୟ ଏଭଳି ସିରିଜ୍ ଲୁଟ୍ ହୋଇଥିବା ପୁଲିସ କହିଛି।