ନିଜ ସ୍ତ୍ରୀ ସମେତ ତିନି ନାବାଳିକା ଝିଅ ଓ ପୁଅକୁ ୫ ଲକ୍ଷରେ ବିକ୍ରି କରୁଥିବା ବେଳେ ଜୁଆଡ଼ି ଗିରଫ; ପୂର୍ବରୁ ୧୭ ବର୍ଷ ବୟସ୍କା ବଡ଼ ଝିଅକୁ ବିକିଥିଲା ୧.୫ ଲକ୍ଷରେ!
କୁର୍ନୁଲ୍ (ଆନ୍ଧ୍ରପ୍ରଦେଶ): ୧୫ ଲକ୍ଷ ଟଙ୍କାର ଋଣଭାରରେ ବୁଡ଼ି ରହିଥିବା ଜନୈକ ମଦ୍ୟପ ଓ ଜୁଆଡ଼ି ବ୍ୟକ୍ତି ୫ ଲକ୍ଷ ଟଙ୍କା ବିନିମୟରେ ନିଜ ପତ୍ନୀ ସମେତ ତିନି ନାବାଳିକା ଝିଅ ଓ ଗୋଟିଏ ପୁଅକୁ ବିକ୍ରି କରିଦେବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ହାତରେ ଗିରଫ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ଏହି ଘଟଣାର ବର୍ଷକ ପୂର୍ବରୁ ସଂପୃକ୍ତ ବ୍ୟକ୍ତି ଜଣକ ନିଜର ୧୭ ବର୍ଷ ବୟସ୍କା ବଡ଼ ଝିଅକୁ ୧.୫ ଲକ୍ଷ ଟଙ୍କା ବିନିମୟରେ ଅନ୍ୟ ଜଣଙ୍କୁ ବିକ୍ରି କରି ଦେଇଥିବା ଏବେ ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
କୁର୍ନୁଲ୍ ଜିଲ୍ଲା ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, କୁରନୁଲ୍ ଜିଲ୍ଲା କୋଇଲାକୁଣ୍ଟଲା ଗ୍ରାମର ପଶୁପୁଲେଟି ମାଡ଼ିଲେଟି ନାମକ ଜନୈକ ମଦ୍ୟପ ଓ ଜୁଆଡ଼ି ବ୍ୟକ୍ତି ୧୫ ଲକ୍ଷ ଟଙ୍କାର ଋଣ ଭାରରେ ବୁଡ଼ି ରହିଥିଲା। ଏପରିସ୍ଥିତିରେ ଋଣ ଭାରରୁ ମୁକୁଳିବା ପାଇଁ ସେ ନିଜର ପତ୍ନୀ ଭେଙ୍କଟ୍ଟାମା ସମେତ ନିଜର ୧୦, ୮ ଓ ୬ ବର୍ଷ ବୟସ୍କା ତିନି ଝିଅ ଏବଂ ୪ ବର୍ଷ ବୟସ୍କ ଗୋଟିଏ ଶିଶୁପୁତ୍ରକୁ ୫ ଲକ୍ଷ ଟଙ୍କା ବିନିମୟରେ ଜଣେ ବ୍ୟକ୍ତିଙ୍କୁ ଠିକ୍ କରିଥିଲା। ତେବେ, ଘଟଣା ସଂପର୍କରେ ଜାଣିବା ପରେ ଭେଙ୍କଟ୍ଟାମା ତାଙ୍କ ନିଜ ବାପ ଘରକୁ ପଳାଇବା ସହ ନିଜ ପରିବାର ଲୋକଙ୍କୁ ଏ ଘଟଣା ସଂପର୍କରେ ଜଣାଇଥିଲେ। ପରେ ଭେଙ୍କଟ୍ଟାମା ଓ ତାଙ୍କ ପରିବାର ବର୍ଗ ନନ୍ଦ୍ୟାଲ ତାଲୁକା ଥାନାରେ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନନ୍ଦ୍ୟାଲ ତାଲୁକା ଥାନା ପୁଲିସ୍ ଆଜି ପଶୁପୁଲେଟି ମାଡ଼ିଲେଟିକୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ଷକ ପୂର୍ବରୁ ପଶୁପୁଲେଟି ନିଜର ୧୭ ବର୍ଷ ବୟସ୍କା ବଡ଼ ଝିଅକୁ ୧.୫ ଲକ୍ଷ ଟଙ୍କା ବିନିମୟରେ ଅନ୍ୟ ଜଣଙ୍କୁ ବିକ୍ରି କରି ଦେଇଥିବା ପୁଲିସ୍ ଏହି ଅବସରରେ ଜାଣିବାକୁ ପାଇଛି।