ଚୂନ ମାରିଦେଲା ଚାଇନା କମ୍ପାନି : ଅନିଶ୍ଚିତତାରେ ଭଡ଼ାରେ ସାଇକେଲ ମିଳିବା ଯୋଜନା
ଖୁବ୍ ଶୀଘ୍ର ନୂଆ ସଂସ୍ଥା ବଛାଯିବ: ବିଏସ୍ସିଏଲ୍ କର୍ତ୍ତୃପକ୍ଷ
ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରରେ ଲୋକଙ୍କୁ ଭଡ଼ାରେ ସାଇକେଲ୍ ଦେବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍) ପକ୍ଷରୁ ଯୋଜନା ହୋଇଛି। ଏହି ଯୋଜନାକୁ ବର୍ଷେ ପୂରିଲାଣି। କିନ୍ତୁ ସାଇକେଲ୍ ଭଡ଼ାରେ ମିଳିବା ତ ଦୂରର କଥା ଏହି ଯୋଜନା କେବେ ରୂପ ପାଇବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରୁନି। ସ୍ମାର୍ଟ ସିଟିରେ ବାଇ ସାଇକେଲ୍ ସେୟାରିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯେଉଁ ଚାଇନା କମ୍ପାନି ଟେଣ୍ଡର ପାଇଥିଲା ସେହି ସଂସ୍ଥା ଏବେ ଓହରି ଯାଇଛି। ଚାଇନା କମ୍ପାନି ବିଏସ୍ସିଏଲ୍କୁ ଚୂନ ମାରି ଚାଲି ଯାଇଥିବାରୁ କର୍ତ୍ତୃପକ୍ଷ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଏସ୍ସିଏଲ୍ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ଲୋକଙ୍କୁ ଭଡ଼ାରେ ବାଇସାଇକେଲ୍ ଯୋଗାଇ ଦେବା ପାଇଁ ଟେଣ୍ଡର ଆହ୍ଵାନ ହୋଇଥିଲା। ଏଥିରେ ବହୁ ସଂସ୍ଥା ଭାଗ ନେଇଥିଲେ। କିନ୍ତୁ ଚାଇନାର ମୋବାଇକ୍ ସଂସ୍ଥା ଟେଣ୍ଡର୍ ପାଇଥିଲା। ଏହି ସଂସ୍ଥା ବହୁ ଉନ୍ନତ ଜ୍ଞାନକୌଶଳର ସାଇକେଲ୍ ଚଲାଇବା ପାଇଁ ପ୍ରସ୍ତାବ ଦେଇଥିଲା। ଏପରିକି ଗୋଟିଏ ସାଇକେଲ୍ର ଦାମ୍ ୪୦ହଜାର ଟଙ୍କା ପାଖାପାଖି ଥିଲା। ସ୍ମାର୍ଟ ସିଟି ବାସିନ୍ଦାଙ୍କ ପାଇଁ ଏହି ବ୍ୟବସ୍ଥା ନୂଆ ଅନୁଭୂତି ଆଣିବାର ସମ୍ଭାବନା ଥିବାରୁ ଆମେ ମୋବାଇକ୍ ସଂସ୍ଥାର କେତେକ ସର୍ତ୍ତ ସହ ବି ସହମତ ହୋଇଥିଲୁ। ଭଡ଼ାରେ ସାଇକେଲ୍ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ମୋବାଇକ୍ ସଂସ୍ଥାକୁ ଚୁକ୍ତି ସ୍ୱାକ୍ଷର କରିବାକୁ ଡାକିବାରୁ ଏହି ସଂସ୍ଥା ଧରାଛୁଆଁ ଦେଉନି। ବିଭିନ୍ନ ଆଳ ଦେଖାଇ ସଂସ୍ଥା ଏବେ ଓହରିଯାଇଛି। ତେଣୁ ଆମେ ବିକଳ୍ପ ବ୍ୟବସ୍ଥା ଚିନ୍ତା କରୁଛୁ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି। ଏହାସହ ମୋବାଇକ୍ ସଂସ୍ଥାର ଇଏମ୍ଡି ବାଜ୍ୟାପ୍ତ କରାଯିବ।
ବିଏସ୍ସିଏଲ୍ ପକ୍ଷରୁ କୁହାଯାଇଛି ଯେ, ମୋବାଇକ୍ ସଂସ୍ଥା ପୂରା ଭୁବନେଶ୍ୱରରେ ବାଇସାଇକେଲ୍ ସେୟାରିଂ ବ୍ୟବସ୍ଥା ପାଇଁ ଟେଣ୍ଡର୍ ପାଇଥିଲା। କିନ୍ତୁ ସଂସ୍ଥା ଓହରିବା ପରେ ଆମେ ଏହି ଯୋଜନା ପାଇଁ ଏକାଧିକ ସଂସ୍ଥାକୁ ନିୟୋଜିତ କରିବାକୁ ଯୋଜନା କରୁଛୁ। ବିଭିନ୍ନ ଅଞ୍ଚଳ ଅନୁଯାୟୀ ସଂସ୍ଥା ନିୟୋଜିତ ହେବେ। ସେମାନେ ସେହି ଅଞ୍ଚଳରେ କେବଳ ସାଇକେଲ୍ ଭଡ଼ାରେ ଦେବେ। ପ୍ରଥମ ପର୍ଯ୍ୟାୟରେ ତିନିଟି ଅଞ୍ଚଳରେ ଭଡ଼ାରେ ସାଇକେଲ୍ ଯୋଗାଇବା ଯୋଜନା ଆରମ୍ଭ ହେବ। ଏହାପରେ ବାକି ଅଞ୍ଚଳ ପାଇଁ ଯୋଜନା ହେବ। ଅକ୍ଟୋବର ସୁଦ୍ଧା ଆମେ ବିଭିନ୍ନ ସଂସ୍ଥାକୁ ଏଥିପାଇଁ ନିୟୋଜିତ କରିବୁ। ଏଥିପାଇଁ ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ ଆହ୍ଵାନ କରି ସଂସ୍ଥା ବଛାଯିବ।
ପବ୍ଲିକ୍ ବାଇସାଇକେଲ୍ ସେୟାରିଂ ପାଇଁ ପ୍ରଥମ ପର୍ଯ୍ୟାୟରେ ୩ଟି ରୁଟ୍ରେ ହେବ। ପ୍ରଥମ ରୁଟ୍ଟି ହେଲା ଗଭର୍ଣ୍ଣର ହାଉସ୍ ଛକରୁ କଳିଙ୍ଗ ଷ୍ଟାଡିୟମ-ଜୟଦେବ ବିହାର-କଳିଙ୍ଗ ହସ୍ପିଟାଲ ଛକ- ପଟିଆ- କିଟ୍ ଛକ। ଦ୍ୱିତୀୟ ରୁଟ୍ଟି ହେଲା ବିମାନବନ୍ଦରରୁ ସଚିବାଳୟ ମାର୍ଗ-ଜୟଦେବ ବିହାର- କଳିଙ୍ଗ ହସ୍ପିଟାଲ ଛକ। ତୃତୀୟ ରୁଟ୍ଟି ହେଲା ୟୁନିଟ ୧ରୁ ରେଳ ଷ୍ଟେସନ୍-ବାଣୀବିହାର ପର୍ଯ୍ୟନ୍ତ ଜନପଥ ରାସ୍ତା। ଏହାଛଡ଼ା ଏହି ମୁଖ୍ୟ ରାସ୍ତାଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ଏହି ସୁବିଧା ଉପଲବ୍ଧ ହେବ। ବର୍ତ୍ତମାନ ୪୦କିମି ରାସ୍ତାରେ ବାଇସାଇକେଲ୍ ଗଡ଼ିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ୧୨୦କିମି ରାସ୍ତାରେ ଏହା ଲାଗୁ ହେବ। ଏଥିପାଇଁ ସ୍ୱତନ୍ତ୍ର ଟ୍ରାକ୍ ନିର୍ମାଣ ହେବ। ହକି ବିଶ୍ୱକପ୍ ପୂର୍ବରୁ ଏହି ଯୋଜନା ଆରମ୍ଭ ହେବ ବୋଲି ବିଏସ୍ସିଏଲ୍ ପକ୍ଷରୁ କୁହାଯାଇଛି।
ଲୋକମାନେ ସାଇକେଲ୍ ଷ୍ଟେସନ୍ଗୁଡ଼ିକରୁ ସାଇକେଲ ନେଇ ଗନ୍ତବ୍ୟସ୍ଥଳକୁ ଯାଇପାରିବେ। ସାଇକେଲ ଷ୍ଟେସନ୍ ମଧ୍ୟରେ ହାରାହାରି ବ୍ୟବଧାନ ପ୍ରାୟ ୨କିଲୋମିଟର ରଖିବାକୁ ସ୍ଥିର ହୋଇଥିବା ବେଳେ ସ୍ଥଳ ବିଶେଷରେ ୫୦୦ ମିଟର ଦୂରତାରେ ଏହି ଷ୍ଟେସନ୍ ନିର୍ମାଣ ହେବ। ସ୍ୱଳ୍ପ ଦୂରତ୍ୱ ବିଶିଷ୍ଟ ରାଇଡ୍ ପାଇଁ ଅଧିକ ଗୁରୁତ୍ୱ ଦିଆଯିବ। ସାଇକଲ୍ ସେୟାରିଂ ପାଇଁ ଗୋଟିଏ ଷ୍ଟେସନ୍ରୁ ସାଇକଲ୍ ସଂଗ୍ରହ କରିବା କରିବା ପରେ ଆବଶ୍ୟକ ସ୍ଥଳେ ଅନ୍ୟ ଷ୍ଟେସନ୍ରେ ଏହାକୁ ଫେରାଇ ହେବ। କିନ୍ତୁ ଏଥିପାଇଁ ସୀମା ଧାର୍ଯ୍ୟ ହେବ। ଏହାଦ୍ୱାରା ସାଇକେଲ୍ ଫେରାଇବା ପାଇଁ ଅଯଥାରେ ସଂଗୃହୀତ ସ୍ଥାନକୁ ଫେରିବାକୁ ପଡ଼ିବ ନାହିଁ। ପ୍ରଥମ ପର୍ଯ୍ୟାୟରେ ୪୦୦ଟି ସାଇକେଲ୍ ଚଲାଇବାକୁ ଯୋଜନା ହୋଇଥିବାବେଳେ ୪୦ଟି ଡକିଂ ଷ୍ଟେସନ୍ ନିର୍ମାଣ ହେବ। ପୂର୍ବରୁ ଯେଉଁ ସବୁ ସୁବିଧା ଉପଲବ୍ଧ ହେବାର ଥିଲା ସେଗୁଡ଼ିକ ମଧ୍ୟ ଉପଲବ୍ଧ ହେବ। ସାଇକେଲ୍ ରଖିବା ପାଇଁ ସଂସ୍ଥାଗୁଡ଼ିକ ଡକ୍ ନିର୍ମାଣ କରିବେ।