ସର୍ବାଧିକ ପ୍ରଭାବିତ ୩ ଜିଲ୍ଲାର ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ବହୁ ଅଞ୍ଚଳ ଜଳବନ୍ଦୀ, ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଲାଗି ନିର୍ଦ୍ଦେଶ
ଭୁବନେଶ୍ବର : ସାମୁଦ୍ରିକ ଝଡ଼ ତିତଲି ପ୍ରଭାବରେ ଲଗାଣ ବର୍ଷା ହେତୁ ବେହାଲହୋଇଛି ଓଡ଼ିଶା । ବିଶେଷ କରି ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଆଦି ୩ଟି ଜିଲ୍ଲାରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟୁତ ସରବରାହ ଓ ଗମନାଗମନ ଏହି ଜିଲ୍ଲାରେ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲ୍ଲାର ପରିସ୍ଥିତିର ସମୀକ୍ଷା କରିଛନ୍ତି। ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ବହୁଲୋକ ଜଳବନ୍ଦୀ ଥିବାରୁ ଏୟାର ଲିଫ୍ଟର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳମାନେ ଜଣାଇଛନ୍ତି । ପ୍ରଭାବିତଙ୍କୁ ଅଞ୍ଚଳରେ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ସେହିଭଳି ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବିଶାଖାପାଟଣାରୁ ଉଦ୍ଧାର କାର୍ଯ୍ୟ ପାଇଁ ୨ଟି ହେଲିକପ୍ଟର ଆସୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ଲଗାଣ ବର୍ଷାରେ ପ୍ରଭାବିତ ହୋଇଥିବା ସଂପୃକ୍ତ ଜିଲ୍ଲାଗୁଡ଼ିକର କ୍ଷୟକ୍ଷତିର ଆକଳନ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।
ଗଞ୍ଜାମ ଜିଲ୍ଲାର ଛତ୍ରପୁର, ପୁରୁଷୋତ୍ତମପୁର ଅଧିକ ଭାବେ ପ୍ରଭାବିତ ହୋଇଛି । ଆସିକା ସହର ମଧ୍ୟ ଜଳବନ୍ଦୀ ହୋଇଛି। ତେଣୁ ହେଲିକପ୍ଟର ସହାୟତା ଲୋଡ଼ିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସେହିଭଳି ରାୟଗଡ଼ାରେ ଅନେକ ସ୍ଥାନରେ ଗଛ ପଡ଼ି ଯୋଗାଯୋଗ ବିଛିନ୍ନ ହୋଇଛି । ତେଣୁ ତୁରନ୍ତ ଅଧିକ ଉଦ୍ଧାରକାରୀ ଦଳ ପଠାଇବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଏବଂ ମାଗଣାରେ ଔଷଧ ଯୋଗାଇଦେବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।