ଭୁବନେଶ୍ୱର : ସବୁଜ ମହାନଦୀ ମିସନ୍ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ୨୦୧୮-୧୯ ବର୍ଷରେ ମହାନଦୀର ଦୁଇ କୂଳରେ ଦୁଇ କୋଟି ଗଛ ଲଗାଯିବ। ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମହାନଦୀର ଭୂତଳ ଜଳର ସଂରକ୍ଷଣ ଓ ସଞ୍ଚାରଣକୁ ଦୃଷ୍ଟିରେ ରଖି ବ୍ୟାପକ ବୃକ୍ଷରୋପଣ କରାଯିବ। ଏହା ସହ ଇବ୍ ଓ ତେଲ୍ ନଦୀ କୂଳରେ ଗଛ ଲଗାଯିବ। ରାଜ୍ୟର ସମସ୍ତ ବଡ଼ ବଡ଼ ନଦୀ କୂଳରେ ମଧ୍ୟ ବ୍ୟାପକ ବୃକ୍ଷରୋପଣ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଉନ୍ନୟନ କମିସନର୍ ଆର୍ ବାଲକ୍ରିଷ୍ଣନ୍, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।