ମା’ ଶବକୁ ନେଇ ବାପ-ପୁଅ କଳିରେ ନୂଆ ମୋଡ଼
ଶବ ଦାନ ପାଇଁ ନଥିଲା ପତ୍ନୀଙ୍କ ଇଚ୍ଛାପତ୍ର, ସନ୍ଦେହରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଭୂମିକା, ମେଡିକାଲରୁ ଫେରିବ ବିବାଦୀୟ ଶବ
ପୁରୀ : ମା’ର ଶବକୁ ନେଇ ବାପ-ପୁଅ କଳି ପ୍ରସଙ୍ଗ ଏବେ ଭିନ୍ନ ମୋଡ ନେଇଛି। ପତ୍ନୀଙ୍କ ଇଚ୍ଛାପତ୍ର ନ ଥାଇ ତଥା ପତ୍ନୀଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କ ଶବକୁ ଏକ ଘରୋଇ ମେଡିକାଲକୁ ଦାନ କରି ପୁରୀ ମିଶ୍ର ସାହିରେ ରହୁଥିବା କାଳୀଚରଣ ମିଶ୍ର ଅଡୁଆରେ ପଡିଛନ୍ତି। ପୁଅମାନଙ୍କ ମୁଣ୍ଡରେ ଅଠା ବୋଳି ସମବେଦନା ଯୋଗାଡ କରୁଥିବା ଶ୍ରୀ ମିଶ୍ର ବେଆଇନ ଭାବେ ନିଜ ପତ୍ନୀଙ୍କ ଶବଦାନ କରିଥିବା ସ୍ପଷ୍ଟ ହୋଇଛି। ଅଙ୍ଗଦାନ ଆଇନ ମୁତାବକ, ଜଣେ ବ୍ୟକ୍ତି ନିଜର ଅଙ୍ଗ କିମ୍ବା ଶରୀର ଦାନ କରିବାକୁ ଚାହୁଁଥିେଲ ମୃତ୍ୟୁ ପୂର୍ବରୁ ଇଛା ବା ଅନୁମତି ପତ୍ର ଆବଶ୍ୟକ। ମାତ୍ର ଅନୁମତି ପତ୍ର ବିନା ଶ୍ରୀ ମିଶ୍ର ତାଙ୍କ ପତ୍ନୀଙ୍କ ଶବକୁ କିଭଳି ଦାନ କରିଛନ୍ତି ସେ ନେଇ ସନ୍ଦେହ ଉପୁଜିଛି। ପୁଅମାନେ ଏ ନେଇ କୋର୍ଟର ଆଶ୍ରୟ େନବେ ବୋଲି କହିଛନ୍ତି। ସେପଟେ ମୃତ ଶରୀର ଗ୍ରହଣ କରିଥିବା ମେଡିକାଲ କର୍ତୃପକ୍ଷ ବିନା ଆଇନ୍ ତର୍ଜମାରେ ଶବ ଗ୍ରହଣ କରିଥିବାରୁ ବିବାଦୀୟ ପରିସ୍ଥିତି ଉପୁଜିଛି। ଏହା ଅର୍ଗାନ୍ ଡୋନେସନ୍ ଲ’ ପରିପନ୍ଥୀ କାର୍ଯ୍ୟ ହୋଇଥିଲେ ମଧ୍ୟ ପୁଲିସ ମାମଲାକୁ ଗୁରୁତ୍ବ ଦେଉନଥିବାରୁ ଶ୍ରୀ ମିଶ୍ରଙ୍କ ପୁଅମାନେ ନିରାଶ ହୋଇଛନ୍ତି। ପାରିବାରିକ କଳିକୁ ନେଇ ବାପା ପୁଅଙ୍କ ଉପରେ ଦୋଷ ଲଦୁଥିବା ବେଳେ ପୁଅମାନେ ବାପାଙ୍କୁ ପାଲଟା ଦୋଷାରପ କରିଛନ୍ତି। ବାପା ତାଙ୍କ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ପୁଅମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ବିବାଦୀୟ ଶବକୁ ମେଡିକାଲ ରଖିପାରିବ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୧୯୪୯ ଆନାଟୋମି ଆକ୍ଟ ବଳରେ ଜଣେ ବ୍ୟକ୍ତି ତାଙ୍କ ଶରୀର ଦାନ କରିବାକୁ ହେଲେ ଲିଖିତ ଅନୁମତି ପତ୍ର କିମ୍ବା ମୌଖିକ (ଦୁଇରୁ ଅଧିକ ଲୋକ ସାକ୍ଷୀ) ଥିବାର ଆବଶ୍ୟକତା ରହିଛି। ସେକସନ୍ ୫-ଏ ବଳରେ ଯଦି ଶରୀରକୁ ନେଇ କେହି ଆପତ୍ତି ଉଠାଏ ତେବେ ମାମଲା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କୁ ହସ୍ତାନ୍ତର ହେବ। ମାତ୍ର ଏଠାରେ ସ୍ବାମୀ ସ୍ତ୍ରୀର ଶବଦାନ କରିଥିେଲ ମଧ୍ୟ ଏ କ୍ଷେତ୍ରରେ କେହି ସାକ୍ଷୀ ରହିଥିବା କିମ୍ବା ସାକ୍ଷୀର ବୈଧତାକୁ ନେଇ ପ୍ରଶ୍ନ ଉଠିଛି। ପତ୍ନୀଙ୍କ ମୃତ୍ୟୁ ପୂର୍ବରୁ ଅନୁମତି ପତ୍ର ନଥିବା ଓ ପୁଅମାନେ ଶବକୁ ନେଇ ଆପତ୍ତି ଉଠାଇଥିବାରୁ ଏ କ୍ଷେତ୍ରରେ ମେଡିକାଲ କର୍ତୃପକ୍ଷ ବିବାଦୀୟ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା କଥା। ଶରୀର ଦାନ ପାଇଁ ରହିଥିବା କୌଣସି ଗୋଟିଏ ବି ଆଇନ ମାନିନଥିବାରୁ ଶ୍ରୀ ମିଶ୍ର ଏବେ ବିବାଦରେ ଫସିଛନ୍ତି। ଏ ସଂପର୍କରେ ଅଙ୍ଗଦାନ ପାଇଁ କାର୍ଯ୍ୟ କରୁଥିବା େଲାକ ସେବକ ମଣ୍ଡଳର ସଦସ୍ୟ ଡକ୍ଟର ପ୍ରଭାସ ଆଚାର୍ଯ୍ୟଙ୍କୁ ପଚାରାଯିବାରୁ ସେ କହିଛନ୍ତି ଯେ, ଯଦି ପୁଅମାନେ ମା’ଙ୍କ ଶରୀର ନେବାକୁ ଦାବି କରନ୍ତି ତେବେ ମୃତ ଶରୀର ମେଡିକାଲ କର୍ତୃପକ୍ଷ ଫେରାଇବାକୁ ବାଧ୍ୟ। ତେବେ ଶରୀର ଉପରେ ଅଧିକାର ଥିବା ସ୍ବାମୀ ଶବଦାନ କରିପାରିବେ, ଯଦି ଏଥିରେ କାହାର ଆପତ୍ତି ନ ଥାଏ ବୋଲି ଡକ୍ଟର ଆଚାର୍ଯ୍ୟ କହିଛନ୍ତି। ଏ ପ୍ରକାର ବିବାଦରେ ଶବ ନେଇ ଘରୋଇ ମେଡିକାଲରେ ପହଞ୍ଚାଇଥିବା ଆମ୍ବୁଲାନ୍ସ ଡ୍ରାଇଭରର ଭୂମିକାକୁ ନେଇ ସନ୍ଦେହ ଉପୁଜିଛି। ପୁରୀ ମେଡିକାଲରୁ ଶବ ନେଇ ଏକ ଘରୋଇ ମେଡିକାଲ କଲେଜକୁ ଦାନ କରିବା ପଛରେ କିଛି ଷଡଯନ୍ତ୍ର ଗନ୍ଧ ବାରି ହେଉଛି। ଏହି ଘଟଣାକୁ ପୁଲିସ ଏକପାଖିଆ ଭାବେ ଗ୍ରହଣ ନକରି ଏହାର ଉପଯୁକ୍ତ ତଦନ୍ତ କରିବାକୁ ଅନେକ ମତ ଦେଇଛନ୍ତି।
ସୂଚନାଯୋଗ୍ୟ, ଗଂଜାମ ଶେରଗଡ଼ ଅଞ୍ଚଳର କାଳୀଚରଣ ମିଶ୍ରଙ୍କ ପତ୍ନୀ ସୁବାସିନୀ ମିଶ୍ରଙ୍କର ଗତ ୪ ତାରିଖରେ ପୁରୀ ମେଡିକାଲରେ ମୃତ୍ୟୁ ହୋଇଥିଲା। ତେବେ ଏ ସଂପର୍କରେ ଶ୍ରୀ ମିଶ୍ର ତାଙ୍କ ପୁଅ କିମ୍ବା ପରିବାର ଲୋକଙ୍କୁ କିଛି ନଜଣାଇ ପତ୍ନୀଙ୍କ ମୃତ ଦେହକୁ ଭୁବନେଶ୍ବରର ଏକ ଘେରାଇ ମେଡିକାଲକୁ ଦାନ କରି ଦେଇଥିେଲ। ଅନ୍ୟପକ୍ଷରେ ପୁଅମାନେ ମା’ଙ୍କ ମୃତ୍ୟୁ ଖବର ପାଇ ବାପାଙ୍କୁ ପଚାରିବାରୁ ସେ ପତ୍ନୀଙ୍କ ଶବକୁ ସ୍ବର୍ଗଦ୍ବାରରେ ଦାହ କରିଦେଇଥିବା କହିଥିଲେ। ମାତ୍ର ପରେ ଶ୍ରୀ ମିଶ୍ର ଶବକୁ ଏକ ଘରୋଇ ମେଡିକାଲକୁ ଦାନ କରିଥିବା ନେଇ ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏ ନେଇ ତିନି ପୁଅ ସଂଜୟ କୁମାର ମିଶ୍ର, ସୁବ୍ରତ କୁମାର ମିଶ୍ର, ସୁଧୀର ମିଶ୍ର ପୁରୀ ବାସେଳି ସାହି ଥାନାେର ଅଭିଯୋଗ କରିଥିଲେ।