ପାରିବାରିକ କଳହରୁ ପତିପତ୍ନୀଙ୍କ ଆତ୍ମହତ୍ୟା
ବାଙ୍ଗିରିପୋଷି/କଳାବାଡ଼ିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ବ୍ରାହ୍ମଣଗାଁ ପଞ୍ଚାୟତ ସରବଣିଆ ଗାଁରେ ପାରିବାରିକ କଳହରୁ ପତିପତ୍ନୀ ଆତ୍ମହତ୍ୟା କରିଛନ୍ତି। ଏହି ଦମ୍ପତି ହେଲେ ଗୁଞ୍ଜୁ ଟୁଡୁ (୩୫) ଓ ତାଙ୍କ ଦ୍ୱିତୀୟ ପତ୍ନୀ ଡୁଲି ଟୁଡୁ (୨୫)। ଗୁଞ୍ଜୁ ପୂର୍ବରୁ ବିବାହ କରିଥିଲେ ହେଁ ତାଙ୍କର କୌଣସି ସନ୍ତାନସନ୍ତତି ନଥିଲେ। ଏଣୁ ମାତ୍ର ୧୫ ଦିନ ତଳେ ଆଦିବାସୀ ପରମ୍ପରା ଅନୁସାରେ ଡୁଲିଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କରି ସେ ଘରକୁ ନେଇଆସିଥିଲେ। ଡୁଲିଙ୍କର ଘର ବାଙ୍ଗିରିପୋଷି ଥାନା ଆମ୍ଦାପାଣିରେ। ଏହାକୁ ନେଇ ଦୁଇ ପତ୍ନୀଙ୍କ ମଧ୍ୟରେ କଳିଗୋଳ ଲାଗି ରହୁଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ଦୁହିଁଙ୍କ ମଧ୍ୟରେ କଳହ ଲାଗିଥିଲା। ଏଥିରେ ଅତିଷ୍ଠ ହୋଇ ଗତ ରାତିରେ ଗୁଞ୍ଜୁ ଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ଦ୍ୱିତୀୟ ପତ୍ନୀ ଡୁଲି ମଧ୍ୟ ଶାଢ଼ିରେ ଫାଶୀ ଲଗାଇ ଝୁଲିପଡ଼ିଥିଲେ। ଖବର ପାଇ ପୁଲିସ ପହଞ୍ଚି ୨୮/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା ସନ୍ଦେହଜନକ ବୋଲି ପୁଲିସ କହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମନାକୁ ଆସିବ ବୋଲି ଥାନା ଅଧିକାରୀ ଗୋବିନ୍ଦଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।