ଭୁବନେଶ୍ୱର: ରାଜ୍ୟ ସଚିବାଳୟରେ ନବନିଯୁକ୍ତ ସହକାରୀ ଉପବିଭାଗ ଅଧିକାରୀମାନଙ୍କ ପାଇଁ ଏକ ପ୍ରବେଶ ପ୍ରଶିକ୍ଷଣ ସମାରୋହ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶାର ଗୃହ ରାଷ୍ଟ୍ରମନ୍ତ୍ରୀ, ଦିବ୍ୟଶଙ୍କର ମିଶ୍ର, ଉନ୍ନୟନ କମିଶନର ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଉତ୍ସବରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଚୟନ ହୋଇଥିବା ୫୦୦ଜଣ ସହକାରୀ ଉପବିଭାଗ ଅଧିକାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗର ଯଥା: ୨୬୬ ଜଣ ଅଣସଂରକ୍ଷିତ ପ୍ରାର୍ଥୀ, ୮୭ଜଣ ସାମାଜିକ ପଛୁଆ ବର୍ଗ ପ୍ରାର୍ଥୀ, ୭୫ଜଣ ଅନୁସୂଚିତ ଜାତି ପ୍ରାର୍ଥୀ ଓ ୭୨ଜଣ ଅନୁସୂଚିତ ଜନଜାତି ପ୍ରାର୍ଥୀ ଅଛନ୍ତି। ଏମାନଙ୍କ ମଧ୍ୟରେ ସମସ୍ତ ବର୍ଗର ମୋଟ ୧୬୬ଜଣ ମହିଳା ପ୍ରାର୍ଥୀ ଅଟନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପ୍ରଶାସନକୁ ଅଧିକ ଲୋକାଭିମୁଖ କରିବାକୁ ଫାଇଭ୍ ଟି ଯଥା: ଦଳଗତ ପରିଚାଳନା, ବୈଷୟିକବିଦ୍ୟା, ସ୍ୱଚ୍ଛତା, ସମୟ ସୀମା, ସମୟୋପଯୋଗୀ ପରିବର୍ତ୍ତନା ମନ୍ତ୍ର ଦେଇଥିଲେ। ଏହି ଉତ୍ସବରେ ଯୋଗ ଦେଇ ମାନ୍ୟବର ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ର ଓ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ନବ ନିଯୁକ୍ତ ସହକାରୀ ଉପବିଭାଗ ଅଧିକାରୀମାନଙ୍କୁ ସମସ୍ତ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସେମାନଙ୍କର ଦକ୍ଷତା, ନିଷ୍ଠା, ସାଧୁତା ଏବଂ କର୍ମପ୍ରବଣତା ପ୍ରତିପାଦନ କରିବାକୁ ପରାମର୍ଶ ଦେଇଥିଲେ।
ଏହି ପ୍ରବେଶ ପ୍ରଶିକ୍ଷଣ ସମାରୋହରେ ନବନିଯୁକ୍ତ ଅଧିକାରୀମାନଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ପାର୍ଥ ସାରଥୀ ମିଶ୍ର, ଅବସର ପ୍ରାପ୍ତ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ଗିରି ଏବଂ ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀ ପ୍ରସାଦ ଷଡଙ୍ଗୀ ଉଦବୋଧନ ଦେଇଥିଲେ।