ଆସିକା : ଗଞ୍ଜାମ ପୁଲିସର ‘ଅପରେସନ କ୍ରିମିନାଲ୍ କ୍ଲିନ୍’ରେ ୫୬ତମ ଏନ୍କାଉଣ୍ଟରର ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ପ୍ରସାଦ ସ୍ବାଇଁ। ଆଜି ଭୋର୍ ୪ଟା ୧୫ରେ ଆସିକା ଚାରିମାଇଲି ନିକଟ ପାହାଡ଼ ରାସ୍ତାରେ ପୁଲିସ ଗୁଳିରେ ଗୁରୁ ଗୁରୁତର ହୋଇଛି। ତା’ର ବାମ ଗୋଡ଼ରେ ଗୁଳି ବାଜିଥିବାରୁ ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏହାସହ ଘଟଣାସ୍ଥଳରୁ ଏକ ୯ ଏମଏମ ମାଉଜର, ୨ଟି ଗୁଳି, ଖୋକା ଓ ଗୋଟିଏ ନମ୍ବରବିହୀନ ପଲସର ବାଇକ୍ ଜବତ ହୋଇଥିବା ନେଇ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ତେବେ, ଗୁରୁର ସହଯୋଗୀ କାଳୁ ବିଶ୍ବାଳ ଫେରାର୍ ହୋଇ ଯାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଭୋର୍ ପ୍ରାୟ ୪ଟାରେ ବଟି ଟଙ୍କା ଆଦାୟ ପାଇଁ ଗୁରୁ ଓ କାଳୁ ବରଗାଁ ନିକଟରେ ବୁଲୁଥିଲେ। ଏହା ଜାଣିବା ପରେ ଆସିକା ଥାନା ଏଏସଆଇ ଯୁଧିଷ୍ଠିର ମାଝୀଙ୍କ ସହ ଏକ ଟିମ୍ ବୋଲେରୋ ଓ ବାଇକରେ ସେମାନଙ୍କ ପିଛା କରିଥିଲେ। କଇଁଫୁଲିଆ ଛକରେ ପୁଲିସ ଟିମକୁ ଦେଖି କାଳୁ ଓ ଗୁରୁ ବାଲିପଦର ଅଭିମୁଖେ ଚମ୍ପଟ୍ ମାରିଥିଲେ। ଚାରିମାଇଲି ପାହାଡ଼ ଆଡ଼କୁ ଯାଉଥିବାବେଳେ ରାସ୍ତାରେ ଟିମ୍ ସହ ସେମାନେ ମୁହାଁମୁହିଁ ହୋଇଥିଲେ। ଗୁରୁ ଓ କାଳୁ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇବା ସହ ବୋମା ଫୋପାଡ଼ିଥିଲେ। ପରେ ପୁଲିସ ପକ୍ଷରୁ ଗୋଟିଏ ରାଉଣ୍ଡ ପାଲଟା ଗୁଳିମାଡ଼ରେ ଗୁରୁର ବାମ ଗୋଡ଼ରେ ଆଘାତ ଲାଗିଥିଲା। ବାଇକ୍ରୁ ସେ ଭାରସାମ୍ୟ ହରାଇ ସେ ପଡ଼ିଯାଇଥିଲା। କାଳୁ ସେଠାରୁ ଫେରାର ହେବାରେ ସମର୍ଥ ହୋଇଥିଲା। ଗୁରୁକୁ ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏହାସହ ଏଏସ୍ଆଇ ଯୁଧିଷ୍ଠିର ମାଝୀ ଓ ଓଏପିଏଫ୍ କନଷ୍ଟେବଳ ହରେକୃଷ୍ଣ ସାଗର ମଧ୍ୟ ଆହତ ହୋଇଛନ୍ତି।
କୁଜଙ୍ଗ : କୁଜଙ୍ଗ ଓ ପାରାଦୀପ ଅଞ୍ଚଳରେ ବିଭିନ୍ନ ଅପରାଧ ସହ ଜଡ଼ିତ କୁଖ୍ୟାତ ଅପରାଧୀ ଡନ୍ ଓରଫ ବିକ୍ରମ ପାଳ ପୁଲିସ ଗୁଳିରେ ଗୁରୁତର ଆହତ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ପୁଲିସ ସହ ହୋଇଥିବା ଏନ୍କାଉଣ୍ଟରରେ ଡନ୍ର ଦୁଇ ଆଣ୍ଠୁରେ ଗୁଳି ବାଜିଛି। ଡନ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ତା’ ନିକଟରୁ ପୁଲିସ ଗୋଟିଏ ବନ୍ଧୁକ ଏବଂ ଦୁଇଟି ଜୀବନ୍ତ ଗୁଳି ଜବତ କରିଛି। ତା’ ନାମରେ ବିଭିନ୍ନ ଥାନାରେ ୩୩ରୁ ଅଧିକ ମାମଲା ରହିଥିବା ପୁଲିସ ପ୍ରକାଶ କରିଛି।
ପୁଲିସ ନିକଟରୁ ମିଳିଥିବା ସୂଚନା ମୁତାବକ, ଗତକାଲି ଦିନରେ ଡନ୍ କୁଜଙ୍ଗରେ ଦୁଇଟି ଅପରାଧ ଘଟାଇ ଫେରାର୍ ହୋଇଯାଇଥିଲା। ପୁଲିସ ଟିମ୍ ତାକୁ ଖୋଜୁଥିବାବେଳେ ରାତି ପ୍ରାୟ ସାଢେ ୧୨ଟା ସମୟରେ ସେ ଓ ତାର ଅନ୍ୟଜଣେ ସହଯୋଗୀ କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ କଙ୍କଡ଼ିଆ ରାସ୍ତାରେ ପୁଣି ଏକ ଅପରାଧ ଘଟାଇବାକୁ ଯୋଜନା କରୁଥିବା ପୁଲିସ ଖବର ପାଇଥିଲା। ତୁରନ୍ତ କୁଜଙ୍ଗ ଆଇଆଇସି ଦିଲ୍ଲୀପ କୁମାର ସାହୁ, ଏସ୍ଆଇ ଶୁଭ୍ରଜିତ ଦାସ ଓ ଟିମ୍ ସେଠାରେ ପହଞ୍ଚି ଯାଇଥିଲେ। ପୁଲିସ ଆସିବା ଜାଣିପାରି ଡନ୍ର ସହଯୋଗୀ ଖସି ପଳାଇଥିଲା। ହେଲେ, ଡନ୍ ପାଖରେ ପୁଲିସ ପହଞ୍ଚି ଯାଇଥିବାରୁ ସେ ପୁଲିସ ଉପରକୁ ଗୁଳି ଚଳାଇ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ପଳାଇବାକୁ ଉଦ୍ୟମ କରିଥିଲା। ତା’ ଗୁଳି ପୁଲିସ ଗାଡ଼ିର ସାମ୍ନା କାଚରେ ବାଜିଥିଲା। ପୁଲିସ ତାକୁ ଗୋଡ଼ାଇବା ସମୟରେ ସେ ଆଉ ଗୋଟିଏ ରାଉଣ୍ତ ଗୁଳି ପୁଲିସ ଉପରକୁ ଚଳାଇଥିଲା ଯାହା ଲକ୍ଷ୍ୟଚ୍ୟୁତ ହୋଇଥିଲା। ପୁଲିସ ଏହି ସୁଯୋଗରେ ତା’ ଉପରକୁ ଦୁଇ ରାଉଣ୍ଡ୍ ଗୁଳି ଚଳାଇଥିଲା। ଦୁଇଟିଯାକ ଗୁଳି ଡ଼ନ୍ର ଦୁଇ ଗୋଡ଼ ଆଣ୍ଠୁରେ ବାଜିଥିଲା। ଫଳରେ ସେ ଆଉ ଆଗକୁ ଯାଇ ପାରି ନ ଥିଲା। ଗୁରୁତର ଅବସ୍ଥାରେ ପୁଲିସ ଟିମ୍ ତାକୁ ଉଦ୍ଧାର କରି କୁଜଙ୍ଗ ଚିକିତ୍ସାଳୟକୁ ଆଣିଥିଲେ। ଅବସ୍ଥା ଅଧିକ ଗୁରୁତର ଥିବାରୁ ତାକୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା।