ମହାନଦୀ ପାଇଁ ଟ୍ରିବ୍ୟୁନାଲ ଗଠନ ହେଉ: ଡି. ରାଜା

ଭୁବନେଶ୍ୱର : ଧର୍ମ ନିରପେକ୍ଷତା ଉପରେ ପର୍ଯ୍ୟବେସିତ ଭାରତ ଏବେ ସାମ୍ପ୍ରଦାୟିକ ଫାସିବାଦ ଆଡ଼କୁ ମୁହାଁଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦାୟୀ। ଗତ ତିନି ବର୍ଷ ମଧ୍ୟରେ ଦେଶରେ ଧର୍ମୀୟ ଅସହିଷ୍ଣୁତା ବ୍ୟାପକ ହେବା ସହ ଦଳିତ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ହିଂସା, ହତ୍ୟା ଓ ଆକ୍ରମଣ ବୃଦ୍ଧି ପାଇଛି। ଦେଶର ଧର୍ମ ନିରପେକ୍ଷତା, ସଂସଦୀୟ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା ବିପନ୍ନ ହେଉଛି। ଏହାକୁ ପ୍ରତିହତ ଲାଗି ଦେଶର ସମସ୍ତ ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ଓ ବାମପନ୍ଥୀ ଦଳ ଏକାଠି ହେବାକୁ ସିପିଆଇର ଜାତୀୟ ସମ୍ପାଦକ ତଥା ସାଂସଦ ଡି. ରାଜା ଆହ୍ଵାନ ଦେଇଛନ୍ତି।

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଡି.ରାଜା ଆଜି ଭଗବତୀ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯିବା ଦରକାର। ୧୯୫୬ର ଆନ୍ତଃରାଜ୍ୟ ଜଳ ବିବାଦ ଆଇନ ଅନୁସାରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିବାକୁ ବାଧ୍ୟ। ମାତ୍ର ତାହା ନ କରି ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇ ଚାଲିଛନ୍ତି। ଛତିଶଗଡ଼ରେ ବିଜେପି ସରକାର ଥିବାରୁ କେନ୍ଦ୍ର ସରକାର ଅନୁକମ୍ପା ଦେଖାଉଛନ୍ତି। ଓଡ଼ିଶା ପ୍ରତି ଅନ୍ୟାୟ ଓ ପକ୍ଷପାତିତା ହେଉଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ଏହା ଆଇନ ଓ ସଙ୍ଘୀୟ ବ୍ୟବସ୍ଥାର ଖୋଲାଖୋଲି ଉଲ୍ଲଂଘନ କରୁଛି।

ବିଶ୍ୱ ହିନ୍ଦୁ ପରିଷଦକୁ ସମାଲୋଚନା କରି କହିଲେ, କେନ୍ଦ୍ର ସରକାର ଏବଂ ବିଜେପି ଶାସିତ ରାଜ୍ୟ ସରକାରଗୁଡ଼ିକର ଛତ୍ରଛାୟା ତଳେ ସଂଘ ପରିବାର ନେତୃତ୍ୱରେ ଉଗ୍ର ହିନ୍ଦୁତ୍ୱରେ ବିଶ୍ୱାସ କରୁଥିବା ଶକ୍ତିମାନେ ସାମ୍ପ୍ରଦାୟିକ ବିଦ୍ୱେଷର ବାତାବରଣ ସୃଷ୍ଟି କରୁଛନ୍ତି। ମୋଦି ସରକାର ଭାରତକୁ ସାମ୍ରାଜ୍ୟବାଦୀ ଆମେରିକାର ଏକ ଗୋଡ଼ାଣିଆ ରାଷ୍ଟ୍ରରେ ପରିଣତ କରିଦେଇଥିବା ଅଭିଯୋଗ କରିଥିଲେ। ଏଥିସହ ବିମୁଦ୍ରାୟନ, ଜିଏସ୍‌ଟି ଓ ଆର୍ଥିକ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ସମ୍ପାଦକ ଦିବାକର ନାୟକ, ସହ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସିପିଆଇ ରାଜ୍ୟ ସମ୍ମିଳନୀ ମାର୍ଚ୍ଚ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ଠାରେ ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର