ଚଢ଼ାଉ ବେଳେ ଜିଏସ୍‌ଟି କର୍ମଚାରୀଙ୍କୁ ଆକ୍ରମଣ, ସୁଇଫ୍ଟ ପ୍ୟାକେଜିଂର ୬ କର୍ମଚାରୀ ଗିରଫ

ଭୁବନେଶ୍ୱର : ସୀମା ଶୁଳ୍କ ଠକେଇ ଅଭିଯୋଗରେ ଚଢ଼ାଉ ଚାଲିଥିବା ବେଳେ ଆଜି ଜିଏସ୍‌ଟି ଅଧିକାରୀମାନଙ୍କୁ ଆକ୍ରମଣ ହୋଇଛି। ତଦନ୍ତରେ ସହଯୋଗ ନ କରି ଆକ୍ରମଣ କରିବା ଅଭିଯୋଗରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ସୁଇଫ୍ଟ ପ୍ୟାକେଜିଂ ସଂସ୍ଥାର ୬ ଜଣ କର୍ମଚାରୀଙ୍କୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଛି। ସେମାନେ ହେଉଛନ୍ତି ଯାଜପୁର ଭୁବନପୁରର ପ୍ରଶାନ୍ତ ମହାନ୍ତି, ପୁରୀ ଧାନକେରାର ପ୍ରକାଶ ପାଢ଼ୀ, ଜଗତସିଂହପୁରର ପାଟରାପଡ଼ାର ବନମାଳୀ ସାହୁ, ପୁରୀ ଭଗବତୀପୁରର କାର୍ତ୍ତିକ ପଣ୍ଡା, ନୟାଗଡ଼ ରଘୁନାଥପୁରର ସଞ୍ଜୟ ସାହୁ, ଜଗତସିଂହପୁର ରଘୁନାଥପୁରର ଯଶୋବନ୍ତ ନାୟକ। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୁଇଫ୍ଟ ପ୍ୟାକେଜିଂ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ରହିଛି। ଏହା ଛଡ଼ା ଏହାର ବିଭିନ୍ନ ଜାଗାରେ ଶାଖା ଅଫିସ ରହିଛି। ସଂସ୍ଥା ଜିଏସ୍‌ଟି ଠକୁଥିବା ନେଇ ଅଭିଯୋଗ ରହିଥିଲା। ଅଭିଯୋଗକୁ ଆଧାର କରି ଆଜି ଜିଏସ୍‌ଟି ପକ୍ଷରୁ ସମାନ୍ତରାଳ ଭାବରେ ୪ଟି ଅଫିସ୍‌ରେ ଚଢ଼ାଉ ଚାଲିଥିଲା। ମୁଖ୍ୟାଳୟରେ ଚଢ଼ାଉ ବେଳ‌େ ଏହି କର୍ମଚାରୀମାନେ କାଗଜପତ୍ର ଯାଞ୍ଚ କରିବା ପାଇଁ ଦେଇ ନ ଥିଲେ। ଜିଏସ୍‌ଟି ଅଧିକାରୀମାନେ ସେମାନଙ୍କ କାମ ଜାରି ରଖିବାରୁ କର୍ମଚାରୀମାନେ ଆକ୍ରମଣ କରିଥିଲେ। ଏ ନେଇ ଜିଏସ୍‌ଟି ଅତିରିକ୍ତ ମହାନିର୍ଦ୍ଦେଶକ କହ୍ନେୟା କୁମାରଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର