ଅଞ୍ଜନା ଗଣଦୁଷ୍କର୍ମ ମାମଲା: ୨୧ ବର୍ଷ ହେଲା ବିବନ ଫେରାର୍
ତିନିରୁ ଜଣେ ମଲା, ଅପରାଧ ଇତିହାସରୁ...
କଟକ: ଓଡ଼ିଶାରେ ଯେଉଁ କେତୋଟି ହାଇପ୍ରୋଫାଇଲ୍ ଅପରାଧ ଘଟିଛି, ତା’ ଭିତରେ ପ୍ରଥମେ ସାମ୍ନାକୁ ଆସେ ଅଞ୍ଜନା ମିଶ୍ରଙ୍କୁ ଗଣଦୁଷ୍କର୍ମ ମାମଲା। ୧୯୯୯ ମସିହାରେ ଜଣେ ଆଇଏଫ୍ଏସ୍ ଅଫିସରଙ୍କ ସ୍ତ୍ରୀ ଅଞ୍ଜନା ମିଶ୍ରଙ୍କୁ ବାରଙ୍ଗ ରାସ୍ତାରେ ଗଣଦୁଷ୍କର୍ମ କରାଯାଇଥିଲା। ଏହି ମାମଲାକୁ ୨୧ ବର୍ଷ ବିତିଯାଇଥିବା ବେଳେ ୟା’ ଭିତରେ ପ୍ରମୁଖ ଅଭିଯୁକ୍ତ କୁହାଯାଉଥିବା ବିବନ ବିଶ୍ବାଳ ଏବେ ବି ପୁଲିସ ପାଇଁ ଫେରାର ଆସାମୀ। ଯଦିଓ ସିବିଆଇ ବିବନ ସମ୍ପର୍କରେ ସୂଚନା ଦେବାକୁ ପୁରସ୍କାର ରାଶି ଘୋଷଣା କରିଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏଯାଏ ବିବନ ସମ୍ପର୍କରେ କୌଣସି ତଥ୍ୟ ମିଳିପାରିଲା ନାହିଁ। ଅନ୍ୟପଟେ ଜେଲ୍ରେ ଆଜୀବନ ସଜା କାଟୁଥିବା ପଦିଆ ଓରଫ ପ୍ରଦୀପ କୁମାର ସାହୁର ନିକଟରେ ମୃତ୍ୟୁ ହୋଇଥିବା ବେଳେ ମାତ୍ର ଜଣେ ଦୋଷୀ ଏବେ ଚୌଦ୍ବାର ଜେଲ୍ରେ ଦଣ୍ତ ଭୋଗୁଛି। ତେବେ ବିବନ ଏବେ କେଉଁଠି, ତାକୁ ନେଇ ପ୍ରଶ୍ନ ଉଠିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତିନିରୁ ଜଣେ ମଲା
ଗଣଦୁଷ୍କର୍ମ ମାମଲାରେ ଦୀର୍ଘ ୨୦ବର୍ଷ ଜେଲ୍ଦଣ୍ତ ଭୋଗିବା ପରେ ଗତ ୨୪ ତାରିଖରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଆଖି ବୁଜିଥିଲା ମୁଖ୍ୟ ଦୋଷୀ ପଦିଆ। ବେଡ୍ସୋର ହୋଇଯିବାରୁ ପଦିଆର ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ଝାରପଡ଼ା ଜେଲ୍ରେ ପଦିଆ ଥିବା ବେଳେ ‘ଫନି’ ସମୟରେ ଏକ ଇଲେକ୍ଟ୍ରି ଖୁଣ୍ଟରେ ମରାମତି ପାଇଁ ଖୁଣ୍ଟକୁ ଚଢ଼ିଥିଲା। କିନ୍ତୁ କେହି ଖୁଣ୍ଟକୁ ହଠାତ୍ କରେଣ୍ଟ ଦେଇ ଦେବାରୁ ପଦିଆ ତଳକୁ ଖସିପଡ଼ିଥିଲା ଓ ତା’ ଅଣ୍ଟା ତଳୁ ସବୁ ଅଙ୍ଗ ଅଚଳ ହୋଇଯାଇଥିଲା। ସେବେଠାରୁ ସେ ଗୁରୁତର ହୋଇପଡ଼ିଥିଲା।ସେଦିନ ରାତିରେ କ’ଣ ଘଟିଥିଲା?
ଭୁବନେଶ୍ବର ନୟାପଲ୍ଲୀରେ ରହୁଥିବା ଜଣେ ବରିଷ୍ଠ ଆଇଏଫ୍ଏସ୍ ଅଫିସରଙ୍କ ପତ୍ନୀ ଅଞ୍ଜନା ମିଶ୍ର ୧୯୯୯ ଜାନୁଆରି ୯ ତାରିଖ ରାତିରେ ଏକ ଘରୋଇ ଟିଭି ଚ୍ୟାନେଲ୍ର ବରିଷ୍ଠ ସାମ୍ବାଦିକ ସୁତନୁ ଗୁରୁଙ୍କ ସହିତ ବାରଙ୍ଗ ରାସ୍ତାରେ ଆମ୍ବାସାଡର କାର୍ରେ କଟକ ଆଡ଼କୁ ଆସୁଥିଲେ। ଏକ ମାମଲା ସ˚କ୍ରାନ୍ତରେ ଓକିଲଙ୍କ ସହିତ ଆଲୋଚନା କରିବା ପାଇଁ ସେମାନେ ଆସୁଥିବା କୁହାଯାଏ। ଏକ ଢାବାରେ ଖାଇବା ପରେ ସେମାନେ ପୁଣି କଟକ ବାହାରିଥିଲେ। ଅନ୍ଧାରିଆ ରାସ୍ତାରେ ଚାଉଳିଆଗଞ୍ଜ ନୂଆବଜାର ଅଞ୍ଚଳର ପଦିଆ ଓରଫ ପ୍ରଦୀପ କୁମାର ସାହୁ, କଟକ ସଦର ଥାନା ଶ୍ୟାମସୁନ୍ଦରପୁର ଅଞ୍ଚଳର ଧୀରେନ୍ଦ୍ର ମହାନ୍ତି ଏବ˚ ବିବନ ବିଶ୍ବାଳ କାର୍ ଅଟକାଇ ତାଙ୍କୁ ଗାଡ଼ି ଭିତରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।ବିବନ ଏବେ କୋଉଠି?
ଗଣଦୁଷ୍କର୍ମ ଘଟଣାରେ ଅଞ୍ଜନା କଟକ ମହିଳା ଥାନାରେ ତିନି ଦୁର୍ବୃତ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ୧୯୯୯ ଜାନୁଆରି ୨୬ ତାରିଖରେ ପଦିଆ ଓ ଧୀରେନ୍ଦ୍ରକୁ ଗିରଫ କରିଥିଲା। ଅନ୍ୟତମ ଅଭିଯୁକ୍ତ ବିବନ ସେବେଠାରୁ ଫେରାର ଥିଲା। ସେହିବର୍ଷ ଫେବ୍ରୁଆରିରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଗଣଦୁଷ୍କର୍ମ ଘଟଣାର ତଦନ୍ତଭାର ଗ୍ରହଣ କରିଥିଲା। ସିବିଆଇ ୧୯୯୯ ମେ’ ୫ ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲା। ୨୦୦୨ ଏପ୍ରିଲ ୨୯ ତାରିଖରେ ଖୋର୍ଧା ସେସନ୍ସ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ସଜା ଶୁଣାଇଥିଲା। ଧୀରେନ୍ଦ୍ର ଚୌଦ୍ବାର ସର୍କଲ ଜେଲ୍ରେ ଥିବା ବେଳେ ପଦିଆ ଭୁବନେଶ୍ବର ଝାରପଡ଼ା ଜେଲ୍ରେ ଥିଲା। ବିବନ ଏବେ କୋଉଠି ସେ ନେଇ କୌଣସି ପ୍ରକାର ସୂଚନା ମିଳି ପାରୁ ନାହିଁ।ଦଣ୍ତ ସମୀକ୍ଷା ବୋର୍ଡରେ ଧୀରେନ୍ଦ୍ର ନିରାଶ
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ଚୌଦ୍ବାର ଜେଲ୍ରେ ଆଜୀବନ ବନ୍ଦୀ ଭାବେ ସଜା କାଟୁଥିବା ଦୋଷୀ ଧୀରେନ୍ଦ୍ର ମହାନ୍ତିକୁ ଖଲାସ କରିବାକୁ ଜେଲ୍ କର୍ତ୍ତୃପକ୍ଷ ୨୦୧୬ରେ ଦଣ୍ତ ସମୀକ୍ଷା ବୋର୍ଡକୁ ନାଁ ସୁପାରିସ୍ କରିଥିଲେ। ୧୯୯୯ ମସିହାରେ ଗିରଫ ହୋଇଥିବା ଧୀରେନ୍ଦ୍ର ଜେଲ୍ରେ ୧୪ବର୍ଷରୁ ଅଧିକ ଦଣ୍ତ ଭୋଗିଥିବାରୁ ଦଣ୍ତ ସମୀକ୍ଷା ବୋର୍ଡକୁ ସୁପାରିସ୍ କରାଯାଇଥିଲା। ତେବେ ତତ୍କାଳୀନ ଆଇନ ବିଭାଗ ସଚିବଙ୍କ ଆବାହକତ୍ବରେ ଗଠିତ ୬ ଜଣିଆ କମିଟି ବିଚାରବିମର୍ଶ କରିବା ପରେ ଧୀରେନ୍ଦ୍ରଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏଭଳି ସମ୍ବେଦନଶୀଳ ମାମଲାରେ ଖଲାସ ହେଲେ ଜନଅସନ୍ତୋଷ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।