କୃପଣଙ୍କ ଶେଷ କଥା

କଥାଟିଏ - ଯାଯାବର

ଜଣେ କୃପଣ ବେପାରୀଙ୍କ ଶେଷ ସମୟ ଆସି ଗଲା। ତାଙ୍କ ଚାରି ପୁଅ ଜାଣିଥିଲେ ଯେ ବାପା ଅମାପ ଧନସଂପତ୍ତି କେଉଁଠି ଲୁଚାଇ ରଖିଛନ୍ତି। ତେଣୁ ମୃତ୍ୟୁ ପୂର୍ବରୁ ତାଙ୍କ ଠାରୁ କଥା ଆଦାୟ କରିବାକୁ ସେମାନେ ତାଙ୍କୁ ଗୁଡ଼ାଇତୁଡ଼ାଇ ପଚାରିବାରେ ଲାଗିଥିଲେ- ବାପା, କୁହ କେଉଁଠି ଲୁଚାଇ ରଖିଛ? କିନ୍ତୁ ବେପାରୀଙ୍କ ପାଟି ପଡ଼ି ଯାଇଥିଲା। ସେ କେବଳ ଡବଡବ ହୋଇ ଚାହିଁ ରହିଥିଲେ।

ପିଲାମାନେ ଏମିତି କାକୁତିମିନତି ହେଉଥିବା ବେଳେ ହଠାତ୍ ବୃଦ୍ଧଙ୍କ ପାଟିରୁ ବା…….ମା…….. ଭଳି କିଛି ବାହାରିବା ଦେଖାଗଲା। ପିଲାମାନେ ଉତ୍‌କର୍ଣ୍ଣ ହୋଇ ଉଠିଲେ। ବାପା କ’ଣ କହୁଛନ୍ତି ଜାଣିବା ଲାଗି ଗାଁ ବାହାରେ ରହୁଥିବା ଜଣେ ସାଧୁଙ୍କୁ ଘରକୁ ନେଇ ଆସି କହିଲେ- ବାପା କ’ଣ କହୁଛନ୍ତି ବୁଝି କୁହନ୍ତୁ।

ସାଧୁ ହସିଲେ ଓ କହିଲେ- ଗୋଟିଏ ଅତ୍ୟନ୍ତ ମୂଲ୍ୟବାନ ଔଷଧ ଅଛି, ଯାହାର ଦୁଇ ଟୋପା ପାଟିରେ ପଡ଼ିଲେ ଜଣେ ଏଭଳି ଅବସ୍ଥାରେ ବି ଗୋଟିଏ ବା ଦୁଇଟି ବାକ୍ୟ କହି ଦେଇପାରେ। କିନ୍ତୁ ତା’ ପରେ ପ୍ରାଣବାୟୁ ଉଡ଼ିଯିବା ନିଶ୍ଚିତ।

ପିଲାଏ କହିଲେ- ପ୍ରାଣ ଚାଲିଯାଉ ପଛକେ, ବୁଢ଼ା ଗୁପ୍ତ କଥାଟି କହି ଦେଉ। ତେଣୁ ସେମାନେ ଦାମୀ ଔଷଧ ଆଣି ବୃଦ୍ଧଙ୍କ ଜିଭରେ ଦୁଇ ଟୋପା ପକାଇ ଦେଲେ। ସାଙ୍ଗେ ସାଙ୍ଗେ ବେପାରୀ ଖନି ମାରି କହି ଉଠିଲେ- ଆରେ ଅପଦାର୍ଥ, ମୋତେ କ’ଣ ଘେରି ବସିଛ? ଦୋକାନ କିଏ ଖୋଲିବ?

ଏହା କହି ବୃଦ୍ଧ ପ୍ରାଣତ୍ୟାଗ କଲେ।

ସମ୍ବନ୍ଧିତ ଖବର