ଅଭିନନ୍ଦନ

ଏହା ଏକ ବିଡ଼ମ୍ବନା ଯେ ଗଲା କାଲି ସକାଳେ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ପ୍ରକାଶିତ ଖବରରୁ ହିଁ ଆମମାନଙ୍କ ମଧୢରୁ ଅଧିକା˚ଶ ଆମ ଭିତରେ ଆତଯାତ ହେଉଥିବା ଜଣେ ମହାନାୟକଙ୍କୁ ପ୍ରଥମ କରି ଚିହ୍ନିବାର ଅବକାଶ ଲାଭ କଲେ। କହିବା ନିଷ୍ପ୍ରୟୋଜନ ଯେ ସେ ହେଉଛନ୍ତି ପ୍ରମୋଦ ଭଗତ, ଯିଏ ଗଲା ଶନିବାର ଦିନ ଜାପାନର ଟୋକିଓ ଠାରେ ସଦ୍ୟ ଉଦ୍‌ଯାପିତ ପାରାଲି˚ପିକ୍‌ସ-୨୦୨୦ରେ ଏକ ସ୍ବର୍ଣ୍ଣ ପଦକ ହାସଲ କରିବା ସହିତ ଏଭଳି ସଫଳତା ଲାଭ କରିଥିବା ପ୍ରଥମ ଓଡ଼ିଆ ଭାବେ ଇତିହାସ ରଚନା କରିଛନ୍ତି। ଏହା ଆମ ଭଳି ସମସ୍ତ ଓଡ଼ିଆଙ୍କ ମନରେ ଆନନ୍ଦର ତରଙ୍ଗ ସୃଷ୍ଟି କରିଛି। କିନ୍ତୁ ଏହା ମଧୢ ସତ ଯେ ଏଭଳି ଜଣେ ଅସାମାନ୍ୟ ପ୍ରତିଭା ଆମ ଭିତରେ ବିଦ୍ୟମାନ ଥିବା ସତ୍ତ୍ବେ ଆମ ଦୃଷ୍ଟିପଟଳର ବାହାରେ ରହି ଯାଇଥିବା ଜନିତ ଗ୍ଳାନି ଆମକୁ ମୁହ୍ୟମାନ କରିଥାଏ। କାରଣ ଏହା ପ୍ରମୋଦଙ୍କ ପ୍ରଥମ ବିଶ୍ବ ସ୍ତରୀୟ ସଫଳତା ନୁହେଁ; ପୂର୍ବରୁ ସେ ବିଶ୍ବ ମାନ୍ୟତା ପ୍ରମାଣ ବହନକାରୀ ଛଅଟି ପଦକ ଲାଭ କରି ସାରିଛନ୍ତି ଏବ˚ ତାଙ୍କ ଘରଟି ତାଙ୍କ ଦ୍ବାରା ଅର୍ଜିତ ପଦକ ଏବ˚ ସିଲ୍‌ଡ ଦ୍ବାରା ଭରପୂର ବୋଲି ଗଣମାଧୢମ କହିଥାଏ। ଏହି ପରିପ୍ରେକ୍ଷୀରେ ପ୍ରମୋଦ ଭଗତ ଏବ˚ ତାଙ୍କ ସହିତ ଭାରତୀୟ ପାରାଲି˚ପିକ୍‌ସ ଦଳ ଲାଭ କରିଥିବା ଚମତ୍କାର ସାଫଲ୍ୟ (୫ଟି ସ୍ବର୍ଣ୍ଣ ପଦକ ସହିତ ସର୍ବମୋଟ ୧୯ଟି ପଦକ)ର ପୃଷ୍ଠଭୂମିରେ ଏହି ‘ଅସାଧାରଣ ସାମର୍ଥ୍ୟର ଅଧିକାରୀ’ମାନଙ୍କୁ ନେଇ ଆମମାନଙ୍କ ଦୃଷ୍ଟିଭଙ୍ଗୀ ଏକ ସ˚କ୍ଷିପ୍ତ ଆଲୋଚନାର ଅବକାଶ ସୃଷ୍ଟି କରିଥାଏ।

ଅନେକ କ୍ରୀଡ଼ାପ୍ରେମୀ ଏହା ସହିତ ଏକମତ ହେବେ ଯେ ଟୋକିଓ ଅଲି˚ପିକ୍‌ସରେ ଭାରତୀୟ ଖେଳାଳିମାନେ ଯେଉଁ ସଫଳତାର ଦୌଡ଼ ଆରମ୍ଭ କରିଥିଲେ, ସେମାନଙ୍କ ଠାରୁ ବ୍ୟାଟନ୍‌ ନେଇ ପାରାଲି˚ପିକ୍‌ସରେ ଅ˚ଶଗ୍ରହଣ କରିଥିବା ଭାରତୀୟ ଖେଳାଳିମାନେ ‘ଉପଲବ୍‌ଧି’ର ରିଲେ ରେସ୍‌କୁ ଖୁବ୍‌ ସଫଳତାର ସହିତ ଆଗକୁ ନେଇ ପାରିଛନ୍ତି, ଯାହା ଫଳରେ ଗଲା ପ୍ରାୟ ଦୁଇ ମାସ ହେଲାଣି ଅସ˚ଖ୍ୟ ଭାରତୀୟ କ୍ରୀଡ଼ାପ୍ରେମୀ ନିରବଚ୍ଛିନ୍ନ ଆନନ୍ଦ ଲାଭ କରିବାରେ ଲାଗିଛନ୍ତି। ଏଠାରେ ଯାହା ପ୍ରକାଶଯୋଗ୍ୟ ତାହା ହେଲା ଚଳିତ ବର୍ଷ ଭାରତ ଦ୍ବାରା ପ୍ରେରିତ ଦଳଟି ଆମ ରାଷ୍ଟ୍ରକୁ ଏଯାବତ୍ ପ୍ରତିନିଧିତ୍ବ କରିଥିବା ବୃହତ୍ତମ ପାରାଲି˚ପିକ୍‌ ଦଳ ଥିଲା, ଯହିଁରେ ୫୪ ଜଣ ଖେଳାଳି ଭାଗ ନେଇଥିଲେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଏହି ‘ଅସାମାନ୍ୟ ସାମର୍ଥ୍ୟର ଅଧିକାରୀ’ମାନଙ୍କୁ ଏକ ବିଶ୍ବ ପ୍ରାଙ୍ଗଣରେ ଅବତୀର୍ଣ୍ଣ କରି ପ୍ରତିଦ୍ବନ୍ଦ୍ବିତାର ସୁଯୋଗ ପ୍ରଦାନ କରିବା ଦିଗରେ ସରକାରଙ୍କ ଇଚ୍ଛା ଓ ଆଗ୍ରହ ପ୍ରତିଫଳିତ। ଏହି ଆଗ୍ରହର ଆଉ ଏକ ପ୍ରମାଣ ହେଲା କେନ୍ଦ୍ର ସରକାରଙ୍କ ଦ୍ବାରା ୨୦୧୭-୧୮ ମସିହାରେ ପ୍ରାରମ୍ଭ କରାଯାଇଥିବା ‘ଖେଲୋ ଇଣ୍ତିଆ’ କାର୍ଯ୍ୟକ୍ରମ, ଯହିଁରେ ବର୍ତ୍ତମାନ ସୁଦ୍ଧା ଦିବ୍ୟାଙ୍ଗ ଖେଳାଳିମାନଙ୍କ ସକାଶେ ପ୍ରାୟ ୧୪ କୋଟି ଟଙ୍କାର ଅର୍ଥ ରାଶି ବ୍ୟୟ କରାଯାଇଛି ଏବ˚ ଯାହା ଫଳରେ ସେମାନଙ୍କ ସକାଶେ ଉଚ୍ଚକୋଟୀର ଖେଳ ସର˚ଜାମ ଠାରୁ ଆରମ୍ଭ କରି ଉତ୍କୃଷ୍ଟ ପରିବେଶ ତଥା ପ୍ରଶିକ୍ଷଣର ସୁବିଧା ମଧୢ ସମ୍ଭବ କରାଯାଇପାରିଛି। ସୁତରା˚, ଏଥିରେ ଦ୍ବିରୁକ୍ତି ନାହିଁ ଯେ ସଦ୍ୟ ସମାପ୍ତ ଏହି ପାରାଲି˚ପିକ୍‌ରେ ଭାରତୀୟ ସଫଳତାର ପଛରେ ‘ଖେଲୋ ଇଣ୍ଡିଆ’ର ଯଥେଷ୍ଟ ଅବଦାନ ନିହିତ ଅଛି।

ଏହା ଅବଶ୍ୟ ସତ ଯେ ଅଲି˚ପିକ୍‌ରେ ଭାଗ ନେଉଥିବା ଖେଳାଳିମାନେ ଯେଉଁ ରେକର୍ଡମାନ ସ୍ଥାପନ କରିଥାଆନ୍ତି, ତାହାକୁ ଧରାଶାୟୀ କରିବା ଭଳି କୀତ୍ତିମାନ କୌଣସି ପାରାଲି˚ପିକ୍‌ ପ୍ରତିଯୋଗିତାରେ ଦୃଶ୍ୟମାନ ହୋଇ ପାରିବ ନାହିଁ; କିନ୍ତୁ ପାରାଲି˚ପିକ୍‌ରେ ଯୋଗଦାନ କରୁଥିବା ଖେଳାଳିମାନଙ୍କ ସାମର୍ଥ୍ୟ ଯେ ଅଲି˚ପିକ୍‌ରେ ଅ˚ଶ ଗ୍ରହଣ କରୁଥିବା ଖେଳାଳିମାନଙ୍କ ତୁଳନାରେ ଅଧିକ, ଏହାକୁ ମଧୢ ସ୍ବୀକାର କରିବାକୁ ହେବ। କାରଣ, ପାରାଲି˚ପିକ୍‌ର ଖେଳାଳିମାନଙ୍କୁ କେବଳ ଆପଣା ଶାରୀରିକ ଅସାମର୍ଥ୍ୟକୁ ଅତିକ୍ରମ କରିବାକୁ ପଡ଼ି ନ ଥାଏ; ସେମାନେ ଅଧିକା˚ଶ ସ୍ଥଳରେ ସାମାଜିକ ଲା˚ଛନା, ହେୟ ମନୋଭାବ, ଅଯାଚିତ ଦୟା ପ୍ରଦର୍ଶନ ଭଳି ପୀଡ଼ାଦାୟକ ଅନୁଭୂତିକୁ ମଧୢ ନଜରଅନ୍ଦାଜ କରି ଅଗ୍ରସର ହୋଇଥାଆନ୍ତି। କହିବା ବାହୁଲ୍ୟ ଯେ ଅଭିଳାଷ ପୂରଣ ଲାଗି ସେମାନେ ଦେଖୁଥିବା ସ୍ବପ୍ନ ଅଧିକା˚ଶ ସମୟରେ ପରିହାସର ଶରବ୍ୟ ମଧୢ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଟୋକିଓ ପାରାଲି˚ପିକ୍‌ ପ୍ରତିଯୋଗିତାର ଆୟୋଜକମାନଙ୍କୁ ମଧୢ ଧନ୍ୟବାଦ ଦିଆଯିବା ଉଚିତ, ଯେଉଁମାନେ ଏଭଳି ‘ଅସାମର୍ଥ୍ୟ ଅତିକ୍ରମୀ’ମାନଙ୍କ ସାହସ, ସ୍ବପ୍ନ ଓ ସାଧନାକୁ ଧୢାନରେ ରଖି ଭୟାବହ ପାନ୍‌ଡେମିକ୍‌ଜନିତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏହାକୁ ରୂପ ଦେଇଥିଲେ। ଏଠାରେ ଉଲ୍ଲେଖ କରାଯିବା ଉଚିତ ଯେ ଟୋକିଓ ଅଲି˚ପିକ୍‌ ପରେ ସେଠାରେ କୋଭିଡ୍‌ ସ˚କ୍ରମଣର ଏକ ଜୁଆର ସୃଷ୍ଟି ହୋଇ ପାରାଲି˚ପିକ୍‌ର ଆୟୋଜନକୁ ସହସା ଏକ ଅନିଶ୍ଚିତତା ମଧୢକୁ ଠେଲି ଦେଇଥିଲା। କାରଣ ପାରାଲି˚ପିକ୍‌ ଆୟୋଜନ ମଧୢ ଥିଲା ଏକ ଅତ୍ୟନ୍ତ ବିଶାଳ ଦାୟିତ୍ବ, ଯହିଁରେ ୪୪୦୩ ଜଣ ଖେଳାଳିଙ୍କ ସମେତ ସେମାନଙ୍କ ସହାୟକ, ପ୍ରଶିକ୍ଷକ, ଚିକିତ୍ସକ ଆଦି ମିଶି ଏକ ବିଶାଳ ସ˚ଖ୍ୟାର ଲୋକ ସମବେତ ହୋଇଥିଲେ। କେବଳ ସେତିକି ନୁହେଁ, ଏଥିରେ ଅ˚ଶଗ୍ରହଣ କରିଥିବା ଅନେକ ପ୍ରତିଯୋଗୀ ସେମାନଙ୍କ ଅତ୍ୟନ୍ତ ସ୍ପର୍ଶକାତର ସ୍ବାସ୍ଥ୍ୟଗତ ପରିସ୍ଥିତି କାରଣରୁ କୋଭିଡ୍‌-୧୯ର ସ˚କ୍ରମଣ ପରିପ୍ରେକ୍ଷୀରେ ଅଧିକ ବିପଦ ବରଣ କରିବାର ଆଶଙ୍କା ମଧୢ ରହିଥିଲା। ସେହି ଦୃଷ୍ଟିରୁ ଏହି ପାରାଲି˚ପିକ୍‌ର ଆୟୋଜକ ଏବ˚ ତହିଁରେ ଭାଗ ନେଇଥିବା ଖେଳାଳିମାନେ ଯେଉଁ ଦୃଷ୍ଟାନ୍ତ ସ୍ଥାପନ କରିଛନ୍ତି, ତାହା ଅଦ୍ବିତୀୟ।

କହିବା ଅନାବଶ୍ୟକ ଯେ ଏହି ସ୍ତମ୍ଭ ଆତ୍ମପ୍ରକାଶ କଲା ବେଳକୁ ପ୍ରମୋଦ ଭଗତ ଆମ ରାଜ୍ୟରେ ଘରେ ଘରେ ଏକ ଯଶ ବହନକାରୀ ନାମ ଭାବେ ପରିଚିତ ହୋଇସାରିବେଣି ଏବ˚ କହିବା ଅନାବଶ୍ୟକ ଯେ ତାଙ୍କ ସୁନାମ ଓଡ଼ିଶା ବାହାରେ ମଧୢ ପ୍ରସରି ଯିବଣି। ଏହାର ଅଧିକା˚ଶ ଶ୍ରେୟର ହକ୍‌ଦାର ଯଦିଓ ସେ ନିଜେ, ତେବେ ତାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ସୁଯୋଗ୍ୟ କରିପାରିଥିବା କୋଚ୍‌ ଶିବ ସୁନ୍ଦର ଦାଶଙ୍କ ଅବଦାନ ମଧୢ ତତ୍ତୁଲ୍ୟ ମହତ୍ତ୍ବପୂର୍ଣ୍ଣ। ସେହିଭଳି ଏହି ପାରାଲି˚ପିକ୍‌ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଗଣମାଧୢମ ଓ ବିଶେଷ କରି ସାମାଜିକ ଗଣମାଧୢମର ଭୂମିକା ମଧୢ ଉଲ୍ଲେଖର ଆବଶ୍ୟକତା ରଖିଛି। କାରଣ ୨୦୧୬ ମସିହାରେ ଅନୁଷ୍ଠିତ ହୋଇଥିବା ‘ରିଓ ପାରାଲି˚ପିକ୍‌’ରେ ଭାରତର ଦୁଇଟି ସ୍ବର୍ଣ୍ଣ ସହିତ ଚାରିଟି ପଦକ ବିଜୟ ବିଷୟ ସମ୍ଭବତଃ ଖୁବ୍‌ କମ୍‌ ଲୋକଙ୍କ ସ୍ମରଣରେ ରହିଥିବ। କିନ୍ତୁ ସାମାଜିକ ଗଣମାଧୢମର ପ୍ରସାରରୁ ଏହି ପାରାଲି˚ପିକ୍‌ ଯେଉଁଭଳି ଜନ ଆଗ୍ରହ ଉଦ୍ରେକ କରିଛି ତହିଁରୁ ଏହା ଅଧିକ କାଳ ଚର୍ଚ୍ଚା ଓ ସ୍ମରଣରେ ରହିବାର ଆଶା ରହିଛି।

ପାରାଲି˚ପିକ୍‌ ଖେଳାଳିମାନଙ୍କ ସମ୍ବନ୍ଧରେ ୨୦୧୬ରେ ‘ଦ ଗାର୍ଡିଆନ୍‌’ରେ ପ୍ରକାଶିତ ସ˚ପାଦକୀୟ କହିଥିଲା ଯେ ଗଣମାଧୢମ ଦ୍ବାରା ସେମାନେ ‘ସୁପର‌୍‌ ହିରୋ’ ରୂପେ ଆଖ୍ୟାୟିତ ହେବା ନେଇ ଅନେକ ଖେଳାଳି ଆପତ୍ତି ଜଣାଇ ଥିଲେ। କାରଣ ସେମାନଙ୍କ ମତରେ ଯେ କୌଣସି ସାଧାରଣ ଓ ସମର୍ଥ ମନୁଷ୍ୟ ଯେମିତି ବିଭିନ୍ନ ସମୟରେ ଅନ୍ୟର ସାହାଯ୍ୟ ଲୋଡ଼ିଥା’ନ୍ତି, ସେମିତି ସେମାନେ ମଧୢ ପ୍ରୟୋଜନ ହେଲେ କିଛି ନିର୍ଦ୍ଦିଷ୍ଟ ସାହାଯ୍ୟ ଆବଶ୍ୟକ କରି ଥାଆନ୍ତି। ତେଣୁ, ସେମାନଙ୍କୁ ସାଧାରଣ ମନୁଷ୍ୟଙ୍କ ସମକକ୍ଷ ବୋଲି ବିଚାର କରାଯିବାରେ ଭୁଲ ନାହିଁ। ସୁତରା˚, ସେମାନଙ୍କ ମତରେ ସେମାନଙ୍କ ସାମର୍ଥ୍ୟ ପ୍ରତିପାଦନକୁ ‘ମହାନାୟକତ୍ବ’ ପ୍ରଦାନ କରାଯିବା ହେଉଛି ପରୋକ୍ଷରେ ସେମାନଙ୍କ ଅସାମର୍ଥ୍ୟ ଆଡ଼କୁ ଇଙ୍ଗିତ କରିବା। ତେଣୁ ସେମାନେ ଯାହା ଲୋଡ଼ନ୍ତି ତାହା ହେଲା ସେମାନଙ୍କ ପାଇଁ ପ୍ରୟୋଗ କରାଯାଉଥିବା ‘ଅନନ୍ୟ’ ବା ‘ଭିନ୍ନ’ ବା ‘ଦିବ୍ୟ’ ଭଳି ବିଶେଷଣରୁ ମୁକ୍ତି।
ସୁତରା˚, ଏଭଳି ଆଭିମୁଖ୍ୟ କେବଳ ଏକ ‘ଅନ୍ତର୍ଭୁକ୍ତୀ ବିଚାର’ ଦ୍ବାରା ସମ୍ଭବ, ଯହିଁରେ ସେମାନଙ୍କ ବିଷୟରେ ଚିନ୍ତା ଏକ ସ୍ବାଭାବିକତାରେ ପରିଣତ ହେବ; ଉଦାହରଣ ସ୍ବରୂପ ଏକ ପାହାଚ ଶ୍ରେଣୀର ନିର୍ମାଣ କାଳରେ ଏକ ରୢା˚ପ୍‌ ନିର୍ମାଣର ଯୋଜନା ମଧୢ ତା’ ଭିତରେ ‘ଆପଣା ଛାଏଁ’ ସନ୍ନିବେଶିତ ହୋଇ ରହିଥିବ। ଏଭଳି ବିଚାର ଏମିତି ଅସ୍ଥିମଜ୍ଜାଗତ ହୋଇଯିବା ଆବଶ୍ୟକ, ଯେମିତି ଆମେମାନେ ସେମାନଙ୍କୁ ସ୍ବତନ୍ତ୍ର ଦୃଷ୍ଟିରେ ଦେଖୁଛୁ ବୋଲି ଆଦୌ ପ୍ରତୀୟମାନ ହେବ ନାହିଁ। ସୁତରା˚, ଆଜି ପାରାଲି˚ପିକ୍‌ର ବିଜୟୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ବେଳେ ଆମେମାନେ ନିଜ ଭିତରେ ଏଭଳି ଏକ ‘ଅନ୍ତର୍ଭୁକ୍ତୀ ବିଚାର’ର ଉନ୍ମେଷ ଘଟୁ ବୋଲି ଈଶ୍ବରଙ୍କ ଠାରେ ପ୍ରାର୍ଥନା କରିବା ଉଚିତ।

ସମ୍ବନ୍ଧିତ ଖବର