ତିରୁପତି ବିମାନ ବନ୍ଦର ଭିତରକୁ ପ୍ରବେଶ ବାରଣ କରାଯିବାରୁ ଜଳଯୋଗାଣ ବନ୍ଦ କରିଦେଲେ ଆନ୍ଧ୍ର ବିଧାୟକଙ୍କ ପୁଅ
ଆନ୍ଧ୍ରପ୍ରଦେଶ: ତିରୁପତିର ଡେପୁଟି ମେୟର ଥିବା ବିଧାୟକ ବି କରୁଣାକର ରେଡ୍ଡୀଙ୍କ ପୁଅ ଅଭିନୟ ରେଡ୍ଡୀ ବିମାନ ବନ୍ଦର କର୍ମଚାରୀଙ୍କ ପାଇଁ ଜଳ ଯୋଗାଣ ବନ୍ଦ କରିଦେଇଛନ୍ତି। ଫଳରେ ତିରୁପତି ବିମାନବନ୍ଦର ଏବଂ କର୍ମଚାରୀଙ୍କ ଆବାସିକ କ୍ୱାର୍ଟର୍ସ ଜଳ ଯୋଗାଣରେ ବାଧା ଉପୁଜିଛି। ବିମାନବନ୍ଦର ମ୍ୟାନେଜର ସୁନୀଲ ଏବଂ ତିରୁପତି ଡେପୁଟି ମେୟର ଅଭିନୟ ରେଡ୍ଡୀଙ୍କ ମଧ୍ୟରେ ବିବାଦ ପରେ ଏଭଳି ପରିସ୍ଥିତି ଉପୁଜିଛି। ବିମାନବନ୍ଦର ଅଧିକାରୀମାନେ ତାଙ୍କୁ ବିମାନବନ୍ଦରରେ ପ୍ରବେଶକୁ ବାରଣ କରିବା ପରେ ଅଭିନୟ ଜଳ ଯୋଗାଣ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ସପ୍ତାହରେ ଏକ ଜାତୀୟ ସ୍ତରୀୟ କବାଡ଼ି ପ୍ରତିଯୋଗିତାର ଉଦ୍ଯାପନୀ ସମାରୋହରେ ଯୋଗଦେବା ପାଇଁ ମନ୍ତ୍ରୀ ବି ସତ୍ୟନାରାୟଣ ବିମାନ ଯୋଗେ ଆସୁଥିଲେ। ତାଙ୍କୁ ସ୍ବାଗତ କରିବା ପାଇଁ ଅଭିନୟ ବିମାନ ବନ୍ଦରକୁ ଯାଇଥିଲେ। ବିମାନ ବନ୍ଦର କର୍ତ୍ତୃପକ୍ଷ ତାଙ୍କ ପ୍ରବେଶକୁ ବାରଣ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବହୁ ଯୁକ୍ତିତର୍କ ହୋଇଥିଲା। ପରେ ରେନିଗୁଣ୍ଟା ବିମାନବନ୍ଦର ଏବଂ କର୍ମଚାରୀଙ୍କ ଆବାସିକ କ୍ୱାର୍ଟର୍ସକୁ ଜଳ ଯୋଗାଣ ବନ୍ଦ ହୋଇଯାଇଥିଲା। ଏହାକୁ ଅଭିନୟ ରେଡ୍ଡୀଙ୍କ ପ୍ରତିଶୋଧ ଭାବରେ ଦେଖାଯାଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଭିନୟଙ୍କୁ ସମାଲୋଚନା କରାଯିବା ସହ ସୋସିଆଲ ମିଡିଆରେ ଦୃଢ଼ ନିନ୍ଦା କରାଯାଇଥିଲା। ଏହି ଘଟଣାର ଯାଞ୍ଚ ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି।