ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସ୍‌ରେ କ୍ଷୁଦ୍ରତମ କ୍ୟାମେରା

ବିଜ୍ଞାନର ଅଗ୍ରଗତି ଦ୍ବାରା ମଣିଷ ନୂଆ ନୂଆ ଜିନିଷ ଉଦ୍ଭାବନ କରିବା ସହ ସମାଜର ହିତ ସାଧନ ପାଇଁ ସର୍ବଦା ତତ୍ପର। କ୍ୟାମେରା କ୍ଷେତ୍ରରେ ଏହି ବିପ୍ଳବ ଅତ୍ୟନ୍ତ ଉତ୍ସାହଜନକ। ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସ୍‌ରେ ବିଶ୍ବର ସବୁଠାରୁ କ୍ଷୁଦ୍ର କ୍ୟାମେରାର ମାନ୍ୟତା ପାଇଛି ‘ଓମନିଭିଜନ୍ ଓଭି୬୯୪୮’। ଏହାର ଆକାର ବାଲିର କଣିକାଠାରୁ ମଧ୍ୟ କ୍ଷୁଦ୍ର। ଓମନିଭିଜନ୍ ଦ୍ବାରା ଉଠାଯାଉଥିବା ଫଟୋଗୁଡ଼ିକ ଉଚ୍ଚମାନର। ମନୁଷ୍ୟ ଶରୀରର ଆଭ୍ୟନ୍ତରୀଣ ଭାଗରେ ଏହି କ୍ଷୁଦ୍ର କ୍ୟାମେରାକୁ ରୋଗ ଚିହ୍ନଟ କରିବା ଏବଂ ନିରାକରଣ କରିବା ଭଳି କାର୍ଯ୍ୟରେ ବ୍ୟବହାର କରିହେବ। ଏହି କ୍ୟାମେରାକୁ ଚିକିତ୍ସାକ୍ଷେତ୍ରରେ କିପରି ବହୁଳ ମାତ୍ରାରେ ବ୍ୟବହାର କରାଯିବ ସେ ନେଇ ଗବେଷଣା ଚାଲିଛି। ଏହି କ୍ୟାମେରାର ଆକାର ଅଧ ଇଞ୍ଚରୁ ମଧ୍ୟ କମ୍‌। ଏହାର ବ୍ୟବହାର ବେଳେ ବିପଦର ଆଶଙ୍କା କମ୍‌ ଥିବା ହେତୁ ଏହି କ୍ୟାମେରାର ଚାହିଦା ବଢ଼ିବାରେ ଲାଗିଛି। ଓମନିଭିଜନର ଓଜନ ୮୭ ମିଲିଗ୍ରାମ; ଏହାକୁ କ୍ଷୁଦ୍ର ରୋବୋଟରେ ସ୍ଥାପନ କରି ଅତି ସୂକ୍ଷ୍ମ ଅଞ୍ଚଳକୁ ନେଇ ବ୍ୟବହାର କରାଯାଇପାରିବ। ଏହାର ଉଚ୍ଚ କ୍ଷମତା ସଂପନ୍ନ କାର୍ଯ୍ୟଦକ୍ଷତା ଏହାକୁ ସୁପର୍‌ କ୍ୟାମେରାର ଆଖ୍ୟା ଦେଇଛି।

ସମ୍ବନ୍ଧିତ ଖବର