ଆସୁଛନ୍ତି ମା’: ଭସାଣରେ ଦୁଲୁକେଇବ ନାସିକ୍‌ ଢୋଲ

ହାଟସାହି ପୂଜା କମିଟି

ପୁରୁଣା ଭୁବନେଶ୍ୱର: ଭୁବନେଶ୍ବରର ଅନ୍ୟତମ ପ୍ରାଚୀନ ଦୁର୍ଗାପୂଜା ଭାବେ ଖ୍ୟାତି ଲାଭ କରିଥିବା ହାଟସାହି ପୂଜା ଚଳିତ ବର୍ଷ ୭୨ ବର୍ଷରେ ପହଞ୍ଚିଛି। ୧୯୫୧ ମସିହାରୁ ହୋଇଆସୁଥିବା ଏହି ବନଦୁର୍ଗା ପୂଜାରେ ମା’ ମହିଷାମର୍ଦ୍ଦିନୀଙ୍କୁ ପୂଜା କରାଯାଉଛି। ସବୁବେଳେ ବିଧି ଓ ପରମ୍ପରାକୁ ଗୁରୁତ୍ବ ଦେଇଆସୁଥିବା ଏହି ପୂଜା କମିଟି ଚଳିତ ବର୍ଷ ଭସାଣ ଉତ୍ସବକୁ ବେଶ୍ ଧୁମ୍‌ଧାମରେ ପାଳନ କରିବ। ଏଥିପାଇଁ ମହାରାଷ୍ଟ୍ର ନାସିକ୍‌ରୁ ଆସୁଛି ଭାରତ ପ୍ରସିଦ୍ଧ ଢୋଲ ବାଦ୍ୟ। ଏହି ଟିମ୍‌ରେ ଥିବା ପ୍ରାୟ ୩୫ରୁ ଅଧିକ ମହିଳା ସଦସ୍ୟ ଢୋଲ ବଜାଇ ପୁରୁଣା ଭୁବନେଶ୍ବର ଦାଣ୍ଡ ଦୁଲୁକାଇବେ। ଏଥିସହିତ ବ୍ରହ୍ମପୁରର ବ୍ୟାଣ୍ଡପାର୍ଟି, ସମ୍ବଲପୁରୀ ଦୁଲ୍‌ଦୁଲି ବାଦ୍ୟ, ଘଣ୍ଟ, ଘୋଡ଼ା ନାଚ ଓ ବାଘ ନାଚ ଭସାଣର ପ୍ରମୁଖ ଆକର୍ଷଣ ସାଜିବ।

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାପାମା’ଙ୍କ ମନ୍ଦିର ନକଟରେ ଆରମ୍ଭ ହୋଇଥିବା ଏହି ପୂଜାରେ ପ୍ରଥମରୁ ହରପାର୍ବତୀ ପୂଜା ପାଉଥିଲେ। ପରେ ବନଦୁର୍ଗା ପୂଜା ପାଇଲେ। ଏଠା‌ରେ ମହାଷ୍ଟମୀ ତିଥିରେ ଶଙ୍କୁଡ଼ି ଭୋଗ ସାଙ୍ଗକୁ ଦେଶୀ ମାଛ ଲାଗି କରିବା ବିଧି ରହିଆସିଛି। ତେବେ ଏହା ପୂର୍ବରୁ ଷଷ୍ଠୀ ତିଥିରେ ସାହିର ମୁରବିମାନଙ୍କୁ ସମ୍ମାନିତ କରିବା‌ ପରମ୍ପରା ମଧ୍ୟ ବଜାୟ ରହିଆସିଛି। ଚଳିତ ବର୍ଷ ପୂଜା ପାଇଁ ବଜେଟ୍‌ ଅଟକଳ ରହିଛି ୧୦ ଲକ୍ଷ ଟଙ୍କା। ମଣ୍ଡପ ଓ ସାହିର ପ୍ରମୁଖ ସ୍ଥାନରେ ଆକର୍ଷଣୀୟ ଲାଇଟ୍ ଗେଟ୍ ଓ ତୋରଣ ନିର୍ମାଣ କରାଯିବ।

ମହାଷ୍ଟମୀରେ ଲାଗି ହେବ ମାଛ ଭୋଗ
ଆମ ପୂଜାରେ ମା’ଙ୍କ ବିଧି ଉପଚାରକୁ ଗୁରୁତ୍ବ ଦିଆଯାଏ। ଏଠାରେ ମା’ଙ୍କୁ ମହାଷ୍ଟମୀ ଦିନ ମାଛ ଭୋଗ ଲାଗି କରାଯାଏ। ସେହିଭଳି ହଜାରେ ଦୀପ ଜଳିବା ବିଧି ମଧ୍ୟ ପାଳନ କରାଯାଏ। ଜଗତକଲ୍ୟାଣ ପାଇଁ ଏହି ପୂଜା ଅନୁଷ୍ଠିତ ହେଉଥିବାରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ଆମ ପାଇଁ ବଡ଼ କଥା।
ପ୍ରସନ୍ନ କୁମାର ରଥ, ସଭାପତି

ମୁରବିଙ୍କୁ ସମ୍ମାନ ଦେବା ଆମ ପରମ୍ପରା
ପ୍ରତିବର୍ଷ ସାହିର ମୁରବିମାନଙ୍କୁ ସମ୍ମାନିତ କରାଯାଉଛି। ଏହା ଆମ ପରମ୍ପରା ପାଲଟିଛି। ପୂଜା ଅବସରରେ ନୂଆ ପିଢ଼ିଙ୍କୁ ସଂସ୍କାର ଶିକ୍ଷା ଦେବା ଆମ ଲକ୍ଷ୍ୟ। ଆମ ପିଲାମାନେ ଗୁରୁଜନଙ୍କୁ ଉଚିତ ସମ୍ମାନ ଦେବା ଏଇଠୁ ଶିଖିବେ ବୋଲି ଆମେ ମା’ଙ୍କ ପୂଜାରେ ଏହି ପରମ୍ପରା ରଖିଆସିଛୁ।
ରାଜେନ୍ଦ୍ର କୁମାର ସମର୍ଥା, ସମ୍ପାଦକ

ସମ୍ବନ୍ଧିତ ଖବର