ଗାନ୍ଧୀ-ଯୋଗାନନ୍ଦ ଭେଟ

ବିକଳ୍ପ ବିଶ୍ବ - ଭଗବାନପ୍ରକାଶ

୧୯୩୫ ମସିହା, ଅଗଷ୍ଟ ମାସ ‌େଶଷ ସପ୍ତାହର ଏକ ସ୍ମରଣୀୟ ଘଟଣା। ଦୁଇଟି ମୁଖ୍ୟ ଚରିତ୍ର- ମହାତ୍ମା ଗାନ୍ଧୀ ଓ ପରମହଂସ ଯୋଗାନନ୍ଦ। ପିଲାଦିନେ ପରମହଂସ ଯୋଗାନନ୍ଦଙ୍କ ଡାକ ନାଁ ଥିଲା ମୁକୁନ୍ଦ ଲାଲ୍। ଜଣେ କର୍ମଯୋଗୀ, ସତ୍ୟ ଅହିଂସାର ପୂଜାରୀ। ଆଉ ଜଣେ ସତ୍ୟାନ୍ବେଷୀ, ସନ୍ନ୍ୟାସୀ, ସ୍ବାମୀ, କ୍ରିୟାଯୋଗୀ। ମିଳନ ସ୍ଥାନ- ସେବାଗ୍ରାମ, ୱାର୍ଦ୍ଧା। ଏହାର ପ୍ରାୟ ଦଶ ବର୍ଷ ପୂର୍ବରୁ ୧୯୨୫ ମସିହାରେ ଉଭୟଙ୍କର ପ୍ରଥମ ସାକ୍ଷାତ ହୋଇଥିଲା ରାଞ୍ଚି କ୍ରିୟାଯୋଗ ଆଶ୍ରମରେ। ଆଶ୍ରମର ପ୍ରସିଦ୍ଧି ଓ ପ୍ରଶଂସା ଶୁଣି ଗାନ୍ଧୀ ଏହି ଆଶ୍ରମ ପରିଦର୍ଶନ ପାଇଁ ଆସିଥିଲେ ଓ ଯୋଗାନନ୍ଦଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ୱାର୍ଦ୍ଧା ରେଳ ଷ୍ଟେସନ‌ଠାରେ ଗାନ୍ଧୀଙ୍କ ସେକ୍ରେଟାରି ମହାଦେବ ଦେଶାଇ ଓ ଅନ୍ୟ ସାଥୀମାନେ ତାଙ୍କୁ ଏକ ହାତବୁଣା ଖଦଡ଼ର ଚାଦର ପିନ୍ଧାଇଦେଇ ସାଦର ଅଭ୍ୟର୍ଥନା ଜଣାଇଥିଲେ। ତା’ପରେ ଏକ ବଳଦ ଗାଡ଼ିରେ ଜିନିଷ ପତ୍ର ଲଦି ସେବାଗ୍ରାମରେ ପହଞ୍ଚିଲେ ସମସ୍ତେ। ସେଦିନ ରାଜନୈତିକ ସନ୍ଥ ଓ ଆଧ୍ୟାତ୍ମିକ ଯୋଗୀଙ୍କର ସାକ୍ଷାତକାର ଥିଲା ନିରବ, ଶାନ୍ତ। ଗାନ୍ଧୀ ନିରବରେ ଯୋଗାନନ୍ଦଙ୍କୁ ଖଣ୍ଡେ ସାଦା କାଗଜ ବଢ଼ାଇ ଦେଲେ।

ସେଥିରେ ଲେଖା ଥିଲା ‘‘ସ୍ବାଗତମ୍‌’’। କାରଣ ସେ ଦିନ ଥିଲା ସୋମବାର। ‌ବାପୁଙ୍କ ସାପ୍ତାହିକ ମୌନ ଦିବସ। ତେଣୁ ଉଭୟେ ପରସ୍ପରକୁ ସ୍ନେହଭରା ଦୃଷ୍ଟିରେ ଚାହିଁ ଚୁପ୍‌ ରହିଲେ। ସତେ ଯେମିତି ପୁରୁଣା ପରିଚିତ ବନ୍ଧୁ। ସ୍ବାମୀ ବିବେକାନନ୍ଦଙ୍କ ପରେ ଆମେରିକା ଓ ୟୁରୋପରେ ଭାରତୀୟ, ସଂସ୍କୃତି, ଯୋଗ, ପ୍ରାଣାୟମ ଧ୍ୟାନ ବିଜ୍ଞାନ ପରମ୍ପରାର ଦ୍ବିତୀୟ ପ୍ରବକ୍ତା ଥିଲେ ଯୋଗାନନ୍ଦ। ଗାନ୍ଧୀଙ୍କ ଆତ୍ମକଥା ଭଳି ତାଙ୍କର ଆତ୍ମଜୀବନୀ-ଅଟୋବାୟେ‌ାଗ୍ରାଫି ଅଫ୍‌ ଏ ଯୋଗୀ (ଯୋଗୀର ଆତ୍ମଚରିତ) ଏକ ବିଶ୍ବ ବିଖ୍ୟାତ ପୁସ୍ତକ। ତାଙ୍କ ଲେଖାଗୁଡ଼ିକରେ ଥିବା ଧ୍ୟାନ ଯୋଗ, ସନ୍ତୁଳିତ ଜୀବନଯାପନ କଳା ଓ ସମସ୍ତ ମହାନ ଧର୍ମ ମଧ୍ୟରେ ଥିବା ଅନ୍ତର୍ନିହିତ ସମାନତା ଓ ସମ୍ମାନ ଗାନ୍ଧୀଙ୍କୁ ଆକୃଷ୍ଟ କରିଥିଲା। ଗାନ୍ଧୀ ଭାବୁଥିଲେ ଯୋଗାନନ୍ଦଙ୍କର ଏପରି ବିଚାର ଓ ପ୍ରଚାର ବି ସ୍ବାଧୀନତା ଆନ୍ଦୋଳନକୁ ମଜଭୁତ କରିବ। ଗାନ୍ଧୀଙ୍କ ମହାପ୍ରୟାଣର ଚାରି ବର୍ଷ ପରେ ୧୯୫୨ରେ ଯୋଗାନନ୍ଦଙ୍କର ଦେହାବସାନ ହୋଇଥିଲା। ତାଙ୍କର ଆଧ୍ୟାତ୍ମିକ ଗୁରୁ ଥିଲେ ସ୍ବାମୀ ଯୁକ୍ତେଶ୍ବର ଗିରି, ଲାହିଡି ମହାଶୟ ଏବଂ ଏ ପର୍ଯ୍ୟନ୍ତ ଅମର ବୋଲି ବିଶ୍ବାସ କରାଯାଉଥିବା ବାବାଜୀ ମହାରାଜ। ଯୋଗା‌ନନ୍ଦ ପିଲାଦିନୁ କ୍ରିୟାଯୋଗ ପ୍ରତି ଆକୃଷ୍ଟ ଥିଲେ।

ଯୋଗାନନ୍ଦଙ୍କୁ ଆଶ୍ରମରେ ପାଇ ଖୁବ୍‌ ଖୁସି ଥିଲେ ଗାନ୍ଧୀ। ମୌନବ୍ରତ ସରିଲା ପରେ କହିଲେ- ସ୍ବାମୀଜୀ ଅାଉ ଥରେ ସ୍ବାଗତମ୍‌। ଆପଣଙ୍କ ରହିବା କାଳରେ ଆଶ୍ରମବାସୀ ଆପଣଙ୍କ ସବୁ ସୁବିଧା ଅସୁବିଧା କଥା ବୁଝିବେ। ବିଦେଶରେ ଭାରତୀୟ ସଂସ୍କୃତି ପ୍ରଚାର ପ୍ରସାର ପାଇଁ ଆପଣଙ୍କ ଉଦ୍ୟମ ପ୍ରଶଂସନୀୟ। ଏହା ଦ୍ବାରା ସତ୍ୟ, ଶାନ୍ତି, ସଦ୍‌ଭାବନା ବଳିଷ୍ଠ ଓ ବ୍ୟାପକ ହେବ। ଜନ ଚେତନା ଜାଗ୍ରତ ହେବ। ଏହା ପରେ ଉଭୟେ ପଢ଼ା ଘରେ ପଶିଲେ। ପ୍ରଥମ ପ୍ରତିକ୍ରିୟାରେ ଯୋଗାନନ୍ଦ ଲେଖିଛନ୍ତି: ଏହି ଶହେ ପାଉଣ୍ଡର ସନ୍ନ୍ୟାସୀ ନେତାଙ୍କ ଉଜ୍ଜ୍ବଳ ମୁଖମଣ୍ଡଳରେ ଥିଲା ପ୍ରଶାନ୍ତି ଓ ନିଷ୍ଠାର ଏକ ଆଭା। ମୌନ ଦିବସ ବିଷୟରେ ପଚାରିବାରୁ ବାପୁ ଅଳ୍ପ ହସି କହିଲେ- ‘‘ବହୁ ଦିନରୁ ମୁଁ ଏପରି ନିଷ୍ପତ୍ତି ନେଲିଣି। ମୋର ଚିଠିପତ୍ର ଦେଖାଶୁଣା ଓ ଉତ୍ତର ଦେବା ପାଇଁ ସମୟ ହେଉ ନ ଥିବାରୁ ସପ୍ତାହରେ ଗୋଟିଏ ଦିନ ମୌନ ରହିବାକୁ ନିଷ୍ପତ୍ତି ନେଇଥିଲି। ଏବେ ଏହା ଏକ ଆଧ୍ୟାତ୍ମିକ ଆବଶ୍ୟକତା ହେଇଗଲାଣି। ଏବଂ ଏକ ଆଶୀର୍ବାଦ ମଧ୍ୟ। ଏହା ବେଳେ ବେଳେ ଅତିଥିମାନଙ୍କୁ ଅଡୁଆରେ ପକାଉଛି।’’ ଏହା ପରେ ବାପୁ ମହାଦେବ ଦେଶାଇଙ୍କୁ ଡାକି କହିଲେ- ମହାଦେବ, ଏହା ଏକ ଅପୂର୍ବ ସୁଯୋଗ। କାଲି ଟାଉନ୍‌ହଲ୍‌ରେ ଯୋଗ ‌ଉପରେ ଏକ ସଭା ଆୟୋଜନ କର। ସେଥିରେ ସ୍ବାମୀଜୀ ଆମ ସମସ୍ତଙ୍କୁ ଏହି ବିଷୟରେ କହିବେ। ତା’ପର ଦିନ ସକାଳେ ଯୋଗାନନ୍ଦ ଦେଖିଲେ ଆଶ୍ରମ ଘାସ ପଡ଼ିଆରେ ଗାଈମାନେ ଆନନ୍ଦରେ ଚରୁଛନ୍ତି। ଗୋ ରକ୍ଷା ପ୍ରତି ଗାନ୍ଧୀଙ୍କର ଥାଏ ଏକ ବିଶେଷ ଆକର୍ଷଣ। ସେ କହନ୍ତି, ଗାଈ ସମଗ୍ର ମାନବେତର ଜଗତ୍‌ର ମୂକ ପ୍ରତୀକ। ଯାହା ମାଧ୍ୟମରେ ମଣିଷର ମାନବିକତା ଓ ସହାନୁଭୂତି ପ୍ରାଣୀ ଜଗତ୍‌ ଆଡ଼କୁ ପ୍ରସାରିତ ହୁଏ। ଗାଈ ହେଲା ଅନୁକମ୍ପାର ଏକ କାବ୍ୟ ରୂପ। କେବଳ ଦୁଗ୍‌ଧ ଦାନ ନୁହେଁ, ଗାଈ କୃଷିକାର୍ଯ୍ୟର ସହାୟିକା ଓ ଆମ ସନ୍ତାନ ମାନଙ୍କର ଦ୍ବିତୀୟ ମାତା। ଗୋରକ୍ଷାର ଅର୍ଥ ଈଶ୍ବର ସୃଷ୍ଟ ମୂକ ଜଗତ୍‌ର ସୁରକ୍ଷା। ଦେହବୋଧରେ ବାନ୍ଧି ହୋଇଥିବା ବାକ୍‌ ଶକ୍ତିହୀନ ପ୍ରାଣୀଙ୍କ ପ୍ରତି ଅନୁକମ୍ପା।

ତା’ପର ଦିନ, ଗାନ୍ଧୀ ନିଜେ ଦସ୍ତଖତ କରି ଏକ କାଗଜ ଯୋଗାନନ୍ଦଙ୍କୁ ଦେଇଥିଲେ। ସେଥିରେ ଲେଖା ଥିଲା ସବୁ ସତ୍ୟାଗ୍ରହୀଙ୍କ ପାଇଁ ଏକ ସଂକ୍ଷିପ୍ତ ବାର୍ତ୍ତା:

‘‘ଅହିଂସା, ସତ୍ୟ, ଆସ୍ତେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ, ଶରୀରଶ୍ରମ, ଅସ୍ବାଦ, ନିର୍ଭୀକତା, ସର୍ବଧର୍ମ ସମଭାବ, ସ୍ବଦେଶୀ ଓ ଅସ୍ପୃଶ୍ୟତା ପରିହାର। ଏହି ଏଗାରଟିକୁ ବ୍ରତ ଭାବରେ ନମ୍ରତାର ସହ ପାଳନ।’’

ଆଶ୍ରମରେ ଯୋଗାନନ୍ଦଙ୍କ ସହ ମୀରାବେନ୍‌ (ମାଡେଲିନ୍‌ ସ୍ଲେଡ୍‌)ଙ୍କର ଦେଖା ହେଲା। ବ୍ରିଟିସ ନାଗରିକ ମୀରା ଗାନ୍ଧୀ ଦର୍ଶନ ଦ୍ବାରା ପ୍ରଭାବିତ ହୋଇ ନିଜ ଦେଶ ଛାଡ଼ି ଗାନ୍ଧୀଙ୍କ ଆଶ୍ରମରେ ରହି ଚରଖା ଓ ଖଦି ଆନ୍ଦୋଳନ ପ୍ରସାର କାମରେ ଲାଗିଥିଲେ। ସେ ପ୍ରତିଦିନ ସକାଳେ ଗାଁ ଗାଁ ବୁଲି ଲୋକଙ୍କୁ ଗ୍ରାମ୍ୟ ପୁନର୍ଗଠନ ସଂପର୍କରେ ସଚେତନ କରୁଥିଲେ। ଆଶ୍ରମର ପାଇଖାନା ସଫା କରୁଥିଲେ। ଯୋଗାନନ୍ଦଙ୍କ ମତରେ ଏହା ଥିଲା ତାଙ୍କର ସଚ୍ଚା ଖ୍ରୀଷ୍ଟୀୟ ବିନମ୍ରତା, ବିଚାରଶୀଳତା ଓ ଆତ୍ମନିର୍ଭରଶୀଳତା। ଆଶ୍ରମରେ ପ୍ରାତଃ ଭୋଜନ ଥିଲା ଦୁଗ୍‌ଧ ଓ ଗୁଡ଼ ମିଶା ଗହମ ଖିରି। ସେମିତି ମଧ୍ୟାହ୍ନ ଭୋଜନରେ ଥିଲା ଲେମ୍ବୁ ଚଟଣି, ଢିଙ୍କିକୁଟା ଉସୁନା ଚାଉଳର ଭାତ, ଚୋକଡ଼ ରୁଟି, ସଜ ପନିପରିବା ଏବଂ ଅଳେଇଚ ଦାନା। ଗାନ୍ଧୀ ତା’ସହ ଖାଉଥିଲେ ‌ଛେଚା ନିମ୍ବପତ୍ର। ସବୁ ଆଡ଼େ ଆତ୍ମତ୍ୟାଗ ଓ ନିରାଡ଼ମ୍ବରତାର ପରିବେଶ। ଯୋଗାନନ୍ଦ ପୁଣି ଲେଖିଛନ୍ତି- ଗଦି ନ ଥିବା ମଶିଣାରେ ତାଙ୍କ ପାଖେ ବସି ପଚାରିଲି- ଆପଣଙ୍କ ମତରେ ଅହିଂସାର ପରିଭାଷା କ’ଣ? ଦୟାକରି ମୋତେ କୁହନ୍ତୁ। ଉତ୍ତରରେ ସେ କହିଲେ- ‘‘ଚିନ୍ତାରେ ବା କର୍ମରେ ଜୀବ ପ୍ରତି ଅନିଷ୍ଟ କରିବାର ଭାବ ପରିହାର କରିବା।’’ ସୁନ୍ଦର ଆଦର୍ଶ, କିନ୍ତୁ ଦୁନିଆ ପଚାରିବ ନିଜର ବା ଏକ ଶିଶୁର ପ୍ରାଣରକ୍ଷା ପାଇଁ ଗୋଟେ ନାଗସାପକୁ ମାରିବ କି ନାହିଁ। ବାପୁ କହିଲେ- “ଦେଖ, ନିର୍ଭୀକତା ଓ ଅହିଂସା- ଏ ଦୁଇଟି ବ୍ରତ ଭଙ୍ଗ ନ କରି ମୁଁ ନାଗସାପଟିକୁ ମାରିପାରିବି ନାହିଁ। ସାପକୁ ଶାନ୍ତ କରିବାକୁ ମନେ ମନେ ଚେଷ୍ଟା କରିବି।’’

ଗାନ୍ଧୀଙ୍କ ଭଳି କସ୍ତୁରବା ଥିଲେ ସଂଗ୍ରାମୀ ଜୀବନ ନାଟକର ଶାନ୍ତ ନାୟିକା। ତାଙ୍କର ଗାନ୍ଧୀଙ୍କୁ ଏକ ଚିଠି ଉଦ୍ଧାର କରିଛନ୍ତି ଯୋଗାନନ୍ଦ। କସ୍ତୁରବା ଗାନ୍ଧୀଙ୍କୁ ଲେଖିଛନ୍ତି: ତୁମେ ଭଗବାନ, ଅର୍ଥ ଉପାର୍ଜନ ନ କରି ଦେଶସେବାକୁ ଉଚ୍ଚ ଆସନ ଦେଇଚ… ମୋର ସବୁ ଅଳି, ଅଝଟ ଦୋଷ, ତ୍ରୁଟି ତମେ ଧୈର୍ଯ୍ୟର ସହ ସହ୍ୟ କରିଛ, ସେଥି ଲାଗି ମୁଁ ତୁମ ନିକଟରେ କୃତଜ୍ଞ। … ମୁଁ ଜାଣେ ମୃତ୍ୟୁ ପର୍ଯ୍ୟନ୍ତ ଆମେ ସ୍ବାମୀ-ସ୍ତ୍ରୀ ହୋଇ ରହିବା। … ହେ ଗୁରୁଦେବ, ଯଦି କେବେ ଆପଣଙ୍କ ମନରେ କଷ୍ଟ ଦେଇଥାଏ, ଦୟା କରି ମତେ କ୍ଷମା କରିଦେବେ। ଏହି ଆଲୋଚନା ବେଳେ ଗାନ୍ଧୀଜୀ ଯୋଗାନନ୍ଦଙ୍କ ଠାରୁ କ୍ରିୟାଯୋଗ ଶିଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କର ଖୋଲା ମନ ଓ ନୂଆ ନୂଆ କଥା ଶିଖିବା ପାଇଁ ଆଗ୍ରହ ଯୋଗାନନ୍ଦଙ୍କୁ ଅଭିଭୂତ କରିଥିଲା। ଈଶ୍ବର ଅନୁସନ୍ଧାନ ପାଇଁ ଗାନ୍ଧୀଙ୍କ ଆଗ୍ରହ ଓ ଉତ୍ସାହ ଥିଲା ଶିଶୁ ସୁଲଭ। ଅତି ଶ୍ରଦ୍ଧାର ସହ ବାପୁ ପୃଥିବୀର ସବୁ ଧର୍ମ ଅଧ୍ୟୟନ କରୁଥିଲେ। ଜୈନ ଧର୍ମଶାସ୍ତ୍ର, ବାଇବେଲ୍‌ର ନିଉ ଟେଷ୍ଟାମେଣ୍ଟ ଓ ଟଲଷ୍ଟୟଙ୍କର ସମାଜବାଦ ସଂପର୍କୀୟ ଲେଖାଗୁଡ଼ିକ ଥିଲା ଗାନ୍ଧୀଙ୍କ ଅହିଂସା ଦର୍ଶନର ମୂଳ ଉପାଦାନ।

ୱାର୍ଦ୍ଧା ସେବାଗ୍ରାମରେ ଯୋଗାନନ୍ଦଙ୍କ ରହଣୀର ଶେଷ ସଂଧ୍ୟାରେ ସେ ଉପସ୍ଥିତ ଲୋକଙ୍କୁ ଆସନ, ‌ପ୍ରାଣାୟମ, ଯୋଗ ଓ କ୍ରିୟାଯୋଗର ଆବଶ୍ୟକତା ଉପରେ ବକ୍ତୃତା ଦେଲେ। ସଭା ଭରପୂର ଓ ବସିବାକୁ ଜାଗା ନ ଥିଲା। ଗାନ୍ଧୀଙ୍କ ସହ ପ୍ରାତଃକାଳୀନ ପ୍ରାର୍ଥନାରେ ଯୋଗଦେବା ପରେ ‌ତାଙ୍କର ଚରଣ ସ୍ପର୍ଶ କରି ବିଦାୟ ନେବା ପୂର୍ବରୁ କହିଲେ- ‘‘ମହାତ୍ମାଜୀ! ଏବେ ବିଦାୟ ଦିଅନ୍ତୁ। ମୁଁ ନିଶ୍ଚିତ ଯେ ଆପଣଙ୍କ ଦିଗ୍‌ଦର୍ଶନ ଓ ନେତୃତ୍ବରେ ଭାରତବର୍ଷ ନିରାପଦ। ୧୯୫୨ ମାର୍ଚ୍ଚ ୭ରେ କାଲିଫର୍ନିଆରେ ଏକ ସଭାରେ ଅଭିଭାଷଣ ପରେ ସେ ସଂଜ୍ଞାନରେ ଶରୀର ତ୍ୟାଗ କଲେ। ଦୀର୍ଘ ୨୦ ଦିନ ଅତିବାହିତ ହେଲା ପରେ ବି ତାଙ୍କର ଜ୍ୟୋତିମୟ ଶରୀରରେ କୌଣସି ଅବକ୍ଷୟ ଦୃଷ୍ଟି ଗୋଚର ହୋଇନଥିଲା। ଏହା ଥିଲା ଏକ ଅଭୂତପୂର୍ବ ଘଟଣା। ଏହା ପରେ ତାଙ୍କୁ ସମାଧି ଦିଆଗଲା ଲସ୍‌ ଆଞ୍ଜେଲସ୍‌ରେ।

ମୋ: ୯୯୩୭୦୨୭୦୧୭

ସମ୍ବନ୍ଧିତ ଖବର