ଭୁବନେଶ୍ବର: ୨୦୦୧ରେ ସ୍ୱତନ୍ତ୍ର ଭାବେ ପ୍ରତିଷ୍ଠା ହୋଇଲା ମହିଳା ଥାନା। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ। ସେହି ଦିନଠାରୁ ମହିଳା ସମ୍ପର୍କିତ ସମସ୍ତ ମାମଲା, ଦୁଷ୍କର୍ମ, ଅସଦାଚରଣ ଭଳି ଅଭିଯୋଗ ମହିଳା ଥାନାରେ ରୁଜୁ ହେଲା। କିନ୍ତୁ ଗତ ୨୦୧୭ ମସିହାଠାରୁ ମହିଳା ଥାନା ପୁଲିସ ତାର ମତିଗତି ବଦଳାଇ ଦେଇଛି। ମହିଳା ଓ ନାବାଳିକାଙ୍କ ଅଭିଯୋଗ ନ ରଖିବାକୁ ଯେମିତି ଅଘୋଷିତ ପଣ କରିଛି। ଯିଏ ଅଭିଯୋଗ କରିବାକୁ ଆସୁଛନ୍ତି, ସେମାନଙ୍କୁ କୁହାଯାଇଛି, ସ୍ଥାନୀୟ ଥାନାରେ ଅଭିଯୋଗ କର। ଏହି କାରଣରୁ ପ୍ରତ୍ୟେକ ବର୍ଷ ମହିଳା ଥାନାରେ ମାମଲା ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯେଉଁ ଲକ୍ଷ୍ୟ ନେଇ ମହିଳା ଥାନା ପ୍ରତିଷ୍ଠା ହୋଇଥିଲା ତାହା ଏବେ ଠିକ୍ ଢ଼ଙ୍ଗରେ ଚାଲୁ ନ ଥିବା ଆଇନଜୀବୀମାନେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି, ମହିଳାଙ୍କୁ ସୁରକ୍ଷା ଦିଅ। ମହିଳା ସଂକ୍ରାନ୍ତୀୟ ମାମଲା ତୁରନ୍ତ ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। କିନ୍ତୁ ରାଜଧାନୀର ମହିଳା ଥାନା ଚିତ୍ର ଏବେ କିଛି ଅଲଗା ବୟାନ କରୁଛି। ସ୍ୱତନ୍ତ୍ର ଭାବେ ମହିଳାଙ୍କ ଅଭିଯୋଗ ଶୁଣିବା ପାଇଁ ଥିବା ଏହି ମହିଳା ଥାନା ଏବେ ମହିଳାଙ୍କ ଅଭିଯୋଗ ଶୁଣିବାକୁ ନାରାଜ। ଏପରିକି ଦୁଷ୍କର୍ମ ଓ ଅସଦାଚରଣ ମାମଲା ନେବାକୁ ସିଧାସିଧା ମନା କରି ଦିଆଯାଉଛି। ଥାନାକୁ ଯାଉଥିବା ଅଭିଯୋଗକାରୀଙ୍କୁ ଥାନା ମୁହଁରୁ ଦୁରଦୁର ମାରମାର କହି ବିଦା କରି ଦେଉଛନ୍ତି। ନଚେତ ଥାନାରେ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ଆପୋଷ ସମାଧାନ କରାଇ ଦେଉଛନ୍ତି। ଏବେ ମହିଳା ଥାନା ଉପରୁ ରାଜଧାନୀବାସୀଙ୍କ ଆସ୍ଥା ତୁଟି ଗଲାଣି। ଶେଷରେ ବାଧ୍ୟ ହୋଇ ସେମାନେ ଅନ୍ୟ ଥାନାରେ ଅଭିଯୋଗ କରୁଛନ୍ତି। ଅନ୍ୟ ଥାନା ପୁଲିସ ମଧ୍ୟ ଏକାଧିକ ଦୁଷ୍କର୍ମ ଓ ଦୁଷ୍କର୍ମ ଜନିତ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରୁଛି।
ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢ଼ି ବଢ଼ି ଚାଲିଛି। ବିଶେଷ କରି ରାଜଧାନୀରେ ଏଭଳି ଅଭିଯୋଗର ସଂଖ୍ୟା ଅଧିକ। ଯାହା ସୂଚନା ମିଳିଛି ଗତ ୪ ବର୍ଷରେ ରାଜଧାନୀରେ ୩୯୭ଟି ଦୁଷ୍କର୍ମ ମାମଲା ଓ ୨୧୪ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯିବା ଭଳି ମାମଲା ରୁଜୁ ହୋଇଥିଲା। ଏହି ୪ ବର୍ଷ ମଧ୍ୟରେ ଆଉ ହଜାର ହଜାର ସଂଖ୍ୟାରେ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି ରାଜଧାନୀରେ। ଗତ ଜୁଲାଇ ମାସରେ ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଏହି ତଥ୍ୟ ରଖିଥିଷଲ। କିନ୍ତୁ ଯଦି ଆମେ ଯଦି ମହିଳା ଥାନାରେ ଗତ ୭ ବର୍ଷରେ ରୁଜୁ ହୋଇଥବା ମାମଲାର ହିସାବ ଦେଖିବା ତାହା ଏହି ଭଳି। ୨୦୧୫ ମସିହାରେ ୩୪୭ଟି, ୨୦୧୬ରେ ୧୯୨ଟି, ୨୦୧୭ରେ ହଠାତ ହ୍ରାସ ପାଇ ୯୧, ଏହା ପଛରେ ୨୦୧୮ରେ ୧୨୫, ୨୦୧୯ର ୧୩୫, ୨୦୨୦ରେ ୯୨, ୨୦୨୧ରେ ୧୬୬, ୨୦୨୨ ଜୁନ ମାସ ଶେଷ ସୁଦ୍ଧା ୮୪ଟି ମାମଲା ରୁଜୁ ହୋଇଛି। କିନ୍ତୁ ୨୦୧୫ ମସିହା ପୂର୍ବରୁ ଏହି ସଂଖ୍ୟା ୫ଶହରୁ କମୁ ନ ଥିଲା। ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି ରାଜଧାନୀରେ ଦୁଷ୍କର୍ମ ମାମଲା ବଢ଼ିଛି। କିନ୍ତୁ ଥାନାରେ ମାମଲା ରୁଜୁ ନ ହେବା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।
ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ଦାସ କହିଛନ୍ତି, ମହିଳା ଥାନାରେ ଏକାଧିକ ଅଭିଯୋଗର ଆପୋଷ ସମାଧାନ ହେଉଛି। ସେ ରାଜନେତାଙ୍କ ଚାପ ହେଉ ଅବା ବରିଷ୍ଠ ପୁଲିସ ଅଧିକାରୀଙ୍କ ଚାପ, ତଦନ୍ତକାରୀ ଅଧିକାରୀମାନେ ମାମଲା ରୁଜୁ କରାଉ ନାହାନ୍ତି। ଆଇନଜୀବୀ ନିଜର ଏକ ଉଦାହରଣ ଦେଇ କହିଛନ୍ତି, ତାଙ୍କର ଜଣେ ବନ୍ଧୁଙ୍କ ଝିଅ ୪ ମାସ ତଳେ ଯୌତୁକ ନିର୍ଯାତନା ଜନିତ ଅଭିଯୋଗ କରିବାକୁ ପ୍ରଥମେ ଲିଙ୍ଗରାଜ ଥାନା ଯାଇଥିଲେ। କିନ୍ତୁ ସେଠାରେ କୁହାଯାଇଥିଲା ମହିଳା ଥାନାରେ ଯାଇ ଅଭିଯୋଗ କର। ମହିଳା ଥାନାରେ ଅଭିଯୋଗ କରିବା ପରେ ସେଠାରେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଚାପରେ ମହିଳା ଥାନା ପୁଲିସ ଅଭିଯୋଗ ରଖି ନ ଥିଲା। ଝିଅକୁ ଥାନାରେ ଲେଖାପଢ଼ା କରାଇ ବାପ ଘରକୁ ପଠାଇ ଦେଇଥିଲେ। ସେଠାରେ ୩ ମାସ ରହିବା ପରେ ପୁଣି ଥରେ ଝିଅଟି ଉପରେ ନିର୍ଯାତନା ବଢ଼ି ଚାଲିଲା। ଝିଅ ଏବେ ଆସି ବାପ ଘରେ। ଏହି ଭଳି ଏକାଧିକ ଉଦାହରଣ ରହିଛି ବୋଲି ଆଇନଜୀବୀ ଶ୍ରୀ ଦାସ କହିଛନ୍ତି।
ଅନ୍ୟପକ୍ଷରେ ଏ ସମ୍ପର୍କରେ ଜୋନାଲ ଏସିପି ମାନସ ଗଡ଼ନାୟକ କହିଛନ୍ତି, ଏବେ ବିଭିନ୍ନ ଥାନାରେ ମଧ୍ୟ ଯୌତୁକ ନିର୍ଯାତନା ଓ ଦୁଷ୍କର୍ମ ମାମଲା ରୁଜୁ ହେଉଛି। ଥାନାରେ ମହିଳା ଅଫିସରମାନଙ୍କୁ ନିଯୁକ୍ତି ମିଳିଛି। ଫଳରେ ସେମାନେ ଏ ସବୁ ମାମଲାର ତଦନ୍ତ କରୁଛନ୍ତି। ତେଣୁ ମହିଳା ଥାନାରେ ମାମଲା ସଂଖ୍ୟା କମୁଛି। ତେବେ ଏଠି ଗୋଟିଏ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ରାଜଧାନୀରେ ମହିଳା ଥାନା ପ୍ରତିଷ୍ଠା କଲେ କାହିଁକି?