ରୁକୁଣା ରଥଯାତ୍ରା ପାଇଁ ଲୁଟେରା ସକ୍ରିୟ
ଭୁବନେଶ୍ବର: ଆସନ୍ତା୨୯ ତାରିଖ ଦିନ ପବିତ୍ର ଅଶୋକାଷ୍ଟମୀ ତିଥି ଅବସରରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ପାଇଁ କମିସନରେଟ୍ ପୁଲିସର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ଦୁଇ ବର୍ଷ ହେଲା କରୋନା କଟକଣାରେ ଅନୁଷ୍ଠିତ ହୋଇଥିବା ଏହି ଯାତ୍ରା ଦେଖିବାକୁ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କ ଭିଡ଼ ନଥିଲା। କିନ୍ତୁ ଏଥର ଏହି ଯାତ୍ରା ଦେଖିବାକୁ ପ୍ରବଳ ଜନସମାଗମ ହେବ। ପୂର୍ବ ବର୍ଷ ଭଳି ଏଥର ବି ଲକ୍ଷ ଲକ୍ଷ ଭକ୍ତ ଏହି ଯାତ୍ରାକୁ ଆସିବେ। ତେଣୁ ଲୁଟେରାମାନେ ବି ସକ୍ରିୟ ହୋଇଉଠିଥିବା ଆଶଙ୍କା କରାଯାଉଛି। ଗତ ଜାଗର ଯାତ୍ରା ବେଳେ ଲୁଟେରାମାନେ ମୋବାଇଲ୍ ଫୋନ୍, ଚେନ୍ ଓ ପର୍ସ ଆଦି ଲୁଟ୍ କରିଥିବାରୁ ରୁକୁଣା ରଥଯାତରେ ବି ଲୁଟେରାମାନେ ଭିଡ଼ର ସୁଯୋଗକୁ ହାତଛଡ଼ା କରିବେ ନାହିଁ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ଜାଗର ଯାତ୍ରା ସମୟରେ ୬୦ଟି ମୋବାଇଲ ଚୋରି ହୋଇଥିବା ରେକର୍ଡ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ୨୬ଟି ମୋବାଇଲ ଚୋରି ହୋଇଥିବା ପୁଲିସ ରେକର୍ଡରୁ ଜଣାପଡ଼ିଛି। ସେହିଭଳି ବହୁ ଲୋକଙ୍କ ପର୍ସ ଓ ସୁନାଚେନ୍ ମଧ୍ୟ ଚୋରି ହୋଇଛି। ତେଣୁ ଚଳିତ ବର୍ଷ ରୁକୁଣା ରଥଯାତ୍ରାରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସମ୍ଭାବନା ଥିବାରୁ ଲୁଟ୍ ପରିମାଣ ବଢ଼ିବାର ଆଶଙ୍କା ରହିଛି। ଜାଗର ଯାତ୍ରା ସମୟରେ ଲୋକେ ଧାଡ଼ିରେ ରହିବା ସତ୍ତ୍ବେ ଲୁଟେରାମାନେ ଭିଡ଼ର ଫାଇଦା ଉଠାଇଥିଲେ। ରୁକୁଣା ରଥଯାତ୍ରା ସମୟରେ ରଥଦାଣ୍ଡରେ ପ୍ରବଳ ଗହଳି ହେଉଥିବାରୁ ଲୁଟେରାମାନଙ୍କୁ ସହଜ ହେବ। ତେବେ ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଲିଙ୍ଗରାଜ ଥାନା ପୁଲିସ ପକ୍ଷରୁ ଅଧିକ ଫୋର୍ସ, ପିଓପିଡି, ଟିମ ୬୦ ପୁଲିସ ଫୋର୍ସଙ୍କୁ ମଗାଯାଇଛି। ଭିଡ଼ ଭିତରେ ଅଧିକ ସଂଖ୍ୟାରେ ସାଦା ପୋଷାକରେ ପୁଲିସ କର୍ମଚାରୀ ରହିବାକୁ ନିଷ୍ପତ୍ତି ନିଆଯାଇଛି। ମାଇକ୍ ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯିବ ବୋଲି ଆଇଆଇସି ଶରତ ପାତ୍ର କହିଛନ୍ତି।