ନୂଆଦିଲ୍ଲୀ : ଭୁବନେଶ୍ୱର ସମେତ ଭୋପାଳ, ରାୟପୁର, ପାଟନା, ଯୋଧପୁର ଏବଂ ଋଷିକେଶରେ ସ୍ଥାପିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ୍)ଗୁଡ଼ିକରେ ଭିତ୍ତିଭୂମି ଏବଂ ଜରୁରୀକାଳୀନ ସେବା ଉପଲବ୍ଧିକୁ ସୁଧାରିବାପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତତ୍ପରତା ପ୍ରକାଶ କରିଛି। ଏହିସବୁ ଜାତୀୟ ପ୍ରତିଷ୍ଠାନଗୁଡ଼ିକରେ ଦିଲ୍ଲୀ ଏମ୍ସ୍ ଭଳି ବ୍ୟବସ୍ଥା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ଦିଲ୍ଲୀ ଏମ୍ସ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଉପରୋକ୍ତ ୬ଟି ଏମ୍ସ୍ରେ ସମ୍ପୂର୍ଣ୍ଣ ଭିତ୍ତିଭୂମି ଅଭାବ ସାଙ୍ଗକୁ ବହୁସଂଖ୍ୟାରେ ପଦବି ଖାଲି ରହିବା କାରଣରୁ ଆବଶ୍ୟକ ଚିକିତ୍ସା ପ୍ରତିବନ୍ଧକ ସୃଷ୍ଟି ହେଉଥିବା ଅନୁମାନ କରାଯାଉଛି। ତେଣୁ ଏଣିକି ଦିଲ୍ଲୀ ଏମ୍ସ୍ର ବିଶେଷଜ୍ଞ ଡାକ୍ତରମାନେ ଏହି ସବୁ ଏମ୍ସ୍କୁ ଯାଇ ସେଠାର ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଜଟିଳ ଅସ୍ତ୍ରୋପଚାରଗୁଡ଼ିକରେ ମଧ୍ୟ ସେଠାର ଡାକ୍ତରୀ ଦଳକୁ ସହଯୋଗ କରିବେ। ଏତଦ୍ ବ୍ୟତୀତ ଦିଲ୍ଲୀ ଏମ୍ସ୍ର କିଛି ଡାକ୍ତରଙ୍କୁ ସେହି ସବୁ ଏମ୍ସ୍ରେ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇଁ ନିଯୁକ୍ତି ଦିଆଯିବା ପାଇଁ ମଧ୍ୟ ଯୋଜନା ରହିଛି। ଏହାଦ୍ୱାରା ସେଠାରେ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକର ମଧ୍ୟ ସ୍ଥାପନ କରାଯାଇପାରିବ।
ଦିଲ୍ଲୀ ଏମ୍ସ୍ରୁ ଅବସର ନେଇଥିବା ପ୍ରଫେସରମାନଙ୍କୁ ସେହି ୬ଟି ଏମ୍ସ୍ରେ ସ୍ୱଳ୍ପକାଳୀନ ନିଯୁକ୍ତି ପାଇଁ ମଧ୍ୟ ପ୍ରାଥମିକତା ଦିଆଯିବ ଏବଂ ସେଠାର କିଛି ଡାକ୍ତରଙ୍କୁ ଦିଲ୍ଲୀ ଏମ୍ସ୍ରେ ନୂଆ ମେଡିକାଲ ଉପକରଣ ଗୁଡ଼ିକର ସଞ୍ଚାଳନ ଓ ଅସ୍ତ୍ରୋପଚାର ସମ୍ପର୍କିତ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ ବୋଲି ବିଶେଷ ସୁତ୍ରରୁ ଜଣାପଡ଼ିଛି। ଏଥି ସହିତ ୬ଟି ଏମ୍ସ୍ରେ ଖାଲି ପଡ଼ିଥିବା ୭୬ ପ୍ରତିଶତ ପ୍ରଫେସର ପଦଗୁଡ଼ିକର ପୂରଣ କରାଯିବା ପାଇଁ ମଧ୍ୟ ମନ୍ତ୍ରାଳୟ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଦେଶର ଏହି ୬ଟି ଏମ୍ସ୍ ପାଇଁ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ବଜେଟର ବ୍ୟବସ୍ଥା କରାଯାଇଛି। ୨୦୧୨-୧୩ରେ ଏଥି ପାଇଁ ୯୮୯ କୋଟି ଟଙ୍କାର ବଜେଟ ଥିବା ବେଳେ ୨୦୧୭-୧୮ ରେ ଏହା ୩୯୭୫ କୋଟିକୁ ବୃଦ୍ଧି ପାଇଛି।