ଶୁଦ୍ଧତା ପରୀକ୍ଷାରେ ୧୩ ମହୁ ବ୍ରାଣ୍ଡ୍‌ ଫେଲ୍‌, ଚିନି ସିରପ୍‌ ମିଶୁଥିବା ଅଭିଯୋଗ

ଦାବିକୁ କଂପାନି ପକ୍ଷରୁ ଖଣ୍ଡନ, ତର୍ଜମା କରିବ ଏଫ୍‌ଏସ୍‌ଏସ୍‌ଏଆଇ

ନୂଆଦିଲ୍ଲୀ: ବଜାରରେ ବିଭିନ୍ନ ପ୍ରତିଷ୍ଠିତ କଂପାନି ବିକ୍ରି କରୁଥିବା ମହୁ ଶୁଦ୍ଧତା ପରୀକ୍ଷାରେ ବିଫଳ ହୋଇଛନ୍ତି। ସେଣ୍ଟର ଫର ସାଇନ୍ସ ଆଣ୍ଡ୍‌ ଏନର୍ଭାର୍ଣ୍ଣମେଣ୍ଟ୍‌ (ସିଏସ୍‌ଇ) ତରଫରୁ ଏହି ପରୀକ୍ଷା କରାଯାଇଥିଲା। ମହୁ ବିଶୁଦ୍ଧ ବୋଲି ଦାବି କରିବା ପୂର୍ବରୁ ୧୮ଟି ମାନଦଣ୍ଡ ପୂରଣ କରିବାକୁ ପଡ଼ିଥାଏ। ଦେଶରେ ଡାବର୍‌, ପତଞ୍ଜଳି, ବୈଦ୍ୟନାଥ ଓ ଝଣ୍ଡୁ ଭଳି ବ୍ରାଣ୍ଡ୍‌ ନାମରେ ବିକ୍ରି ହେଉଥିବା ୧୩ଟି ମହୁ ବ୍ରାଣ୍ଡ୍‌ର ଶୁଦ୍ଧତା ପରୀକ୍ଷା କରାଯାଇଥିଲା। ତେବେ ମହୁର ଶୁଦ୍ଧତା ସମ୍ପର୍କରେ ସିଏସ୍‌ଇ ପକ୍ଷରୁ ଯେଉଁ ଦାବି କରାଯାଇଛି ତାହାକୁ ଖାଦ୍ୟ କ୍ଷେତ୍ରର ନିୟାମକ ସଂସ୍ଥା ଏଫ୍‌ଏସ୍‌ଏସ୍‌ଏଆଇ ତରଫରୁ ତଜର୍ମା କରାଯାଉଛି। ଆସନ୍ତାକାଲି ସିଏସ୍‌ଇର ଏକ ଟିମ୍ ଏଫ୍‌ଏସ୍‌ଏସ୍‌ଏଆଇରେ ପହଞ୍ଚି ତଦନ୍ତ ରିପୋର୍ଟ ଦାଖଲ କରିବେ। ରିପୋର୍ଟକୁ ଭଲ ଭାବେ ତର୍ଜମା କରିବା ପରେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ପରବର୍ତୀ କାର୍ଯ୍ୟପନ୍ଥା ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି। ମହୁ ଅପମିଶ୍ରଣ ଖବରକୁ ଡାବର ହନି ପକ୍ଷରୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି। ଜର୍ମାନିର କଂପାନି ବ୍ରୁକେର୍‌ ଜରିଆରେ କଂପାନି ଏହାର ମହୁର ପରୀକ୍ଷା କରାଇଛି। ଚିନି ସିରପ୍‌ ମିଶିଥିବାର କୌଣସି ପ୍ରମାଣ ମିଳିନାହିଁ। ଡାବର ହେଉଛି ଭାରତର ଏକ ମାତ୍ର କଂପାନି ଯାହାର ଲାବୋରେଟୋରିରେ ଏନ୍‌ଏମ୍‌ଆର ପରୀକ୍ଷା ଉପକରଣ ରହିଛି ଓ ଦେଶ ଭିତରେ ବିକ୍ରି ହେଉଥିବା ମହୁକୁ ନିୟମିତ ବ୍ୟବଧାନରେ ପରୀକ୍ଷା କରାଯାଇଥାଏ ବୋଲି ବୋଲି କଂପାନି ତରଫରୁ ଦାବି କରାଯାଇଛି।

ଉଲ୍ଲେଖଯୋଗ୍ୟ, ଜର୍ମାନିର ଏକ ଲ୍ୟାବ୍‌ରେ ପରୀକ୍ଷା କରାଯିବା ପରେ ନ୍ୟୁକ୍ଲିୟର ମ୍ୟାଗ୍ନେଟିକ୍ ରେଜୋନାନ୍ସ (ଏନ୍‌ଏମ୍‌ଆର୍‌) ମାନଦଣ୍ଡରେ ଭାରତର ମହୁ ବ୍ରାଣ୍ଡ୍‌ ବିଫଳ ହୋଇଥିଲେ। ତେବେ ଦେଶ ଭିତରେ ବିକ୍ରି କରିବା ଲାଗି ମହୁର ଏନ୍‌ଏମ୍‌ଆର୍‌ ପରୀକ୍ଷା କରିବା ଜରୁରୀ ନୁହେଁ। କେବଳ ରପ୍ତାନି ହେବାକୁ ଥିବା ମହୁ ଲାଗି ଏହି ପରୀକ୍ଷା କରାଯାଇଥାଏ। ସିଏସ୍‌ଇ ତଦନ୍ତ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଚୀନ୍‌ରୁ ସିନ୍ଥେଟିକ୍ ଚିନି ସିରପ୍‌ ମଗାଇ ମହୁ ସହିତ ଅପମିଶ୍ରଣ କରାଯାଉଛି।

ସମ୍ବନ୍ଧିତ ଖବର