ବିମାନ ଚଳାଚଳ ପ୍ରତି ୫ଜି ବିପଦ

ଚିନ୍ତା ପ୍ରକଟ କଲା ଡିଜିସିଏ, ଟେଲିକମ୍ ବିଭାଗକୁ ଚିଠି ଲେଖିଲା

ନୂଆଦିଲ୍ଲୀ : ଦେଶରେ ୫ଜି ମୋବାଇଲ୍ ସେବାକୁ ନେଇ ଉତ୍ସାହ ଚରମ ସୀମାରେ ଥିବା ବେଳେ ବିମାନ ଚଳାଚଳ ପ୍ରତି ଏଥିରୁ ରହିଥିବା ବିପଦକୁ ନେଇ ଚିନ୍ତା ପ୍ରକଟ କରିଛି ଡିଜିସିଏ। ଏହା ହେଉଛି ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା। ୫ଜିରୁ ରହିଥିବା ସମସ୍ୟା ବିଷୟରେ ଡିଜିସିଏ ପକ୍ଷରୁ ଟେଲିକମ୍ ବିଭାଗକୁ ଚିଠି ଲେଖି ଅବଗତ କରାଯାଇଛି। ଆକାଶରେ ବିମାନ ଉଡ଼ୁଥିବା ବେଳେ ଭୂପୃଷ୍ଠ କିମ୍ବା ସମୁଦ୍ର ପତନଠାରୁ ତାହାର ଉଚ୍ଚତା ମାପିବା ଲାଗି ବ୍ୟବହାର ହେଉଥିବା ରେଡିଓ ଅଲ୍‌ଟିମିଟରକୁ ୫ଜି ପ୍ରଭାବିତ କରିବା ଆଶଙ୍କା ରହିଛି। କାରଣ ଯେଉଁ ସି-ବ୍ୟାଣ୍ଡ୍‌ରେ ଅଲ୍‌ଟିମିଟର କାମ କରୁଛି, ୫ଜିରେ ମଧ୍ୟ ସେହି ବ୍ୟାଣ୍ଡ୍‌ ରହିଛି। ଅଲ୍‌ଟିମିଟରରେ କୌଣସି ବିଭ୍ରାଟ ଘଟିଲେ ବିମାନ କେତେ ଉଚ୍ଚରେ ଉଡ଼ୁଛି ତାହାର ସଠିକ୍ ମାପ ମିଳିପାରିବ ନାହିଁ ଯାହା ବଡ଼ ଧରଣର ନିରାପତ୍ତା ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ଭାରତରେ ୫ଜି ସେବା ପାଇଁ ୩.୩ ଗିଗାହର୍ଜରୁ ୩.୬ ଗିଗାହର୍ଜର ସି-ବ୍ୟାଣ୍ଡ୍‌ ସ୍ପେକ୍ଟ୍ରମ୍ ନିଲାମ କରାଯାଇଛି। ବିମାନର ଅଲ୍‌ଟିମିଟର କିନ୍ତୁ ୪.୨ ଗିଗାହର୍ଜରୁ ୪.୪ ଗିଗାହର୍ଜ ‌ସ୍ପେକ୍ଟ୍ରମ୍‌କୁ ବ୍ୟବହାର କରୁଛି। ଏହି ଦୁଇ ପ୍ରକାର ସ୍ପେକ୍ଟ୍ରମ୍ ଭିତରେ ୫୦୦ ମେଗାହର୍ଜର ଅନ୍ତର ରହିଛି। ସୁରକ୍ଷିତ ଓ ନିରବଚ୍ଛିନ୍ନ ବିମାନ ଚଳାଚଳ ପାଇଁ ତାହା ଯଥେଷ୍ଟ ନା ନାହିଁ ତାହା ଜାଣିବାକୁ ପ୍ରୟାସ କରାଯାଉଛି। ଡିଜିସିଏ ଯେଉଁ ଚିନ୍ତା ପ୍ରକଟ କରିଛି ତାହାକୁ ମଧ୍ୟ ଟେଲିକମ୍ ବିଭାଗ ଗମ୍ଭୀରତାର ସହ ନେଇଛି। ଆମେରିକାରେ ୫ଜି ସେବା ଆରମ୍ଭ ହେବା ବେଳେ ସେଠାକାର ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଫେଡେରାଲ୍ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫ୍ଏଏ) ଏନେଇ ଆପତ୍ତି ଉଠାଇଥିଲା। ସେହି ଆଧାରରେ ଡିଜିସିଏ ଟେଲିକମ୍ ବିଭାଗକୁ ଏହାର ସମସ୍ୟା ଜଣାଇଛି।

ଆମେରିକାରେ ବିମାନର ପାଇଲଟ୍‌ ଠିକ୍ ଭାବେ ଦେଖାଯାଉନଥିବା ନେଇ ଅଭିଯୋଗ କରିବା ପରେ ବିମାନ ବନ୍ଦର ନିକଟବର୍ତୀ ଅଞ୍ଚଳରେ ସି-ବ୍ୟାଣ୍ଡ୍‌ ୫ଜି ସେବା ପ୍ରଦାନ କରିବା ନେଇ ସମସ୍ୟା ଦେଖାଦେଇଥିଲା। ନିୟାମକ ସଂସ୍ଥା ଏଫ୍ଏଏ ଓ ଟେଲିକମ୍ ବିଭାଗ ମଧ୍ୟରେ ଆଲୋଚନା ମାଧ୍ୟମରେ ସେହି ସମସ୍ୟାର ସମାଧାନ ହୋଇଥିଲା। ସେହି ସମୟରେ ଆମେରିକା ଯାତ୍ରା କରୁଥିବା କେତେକ ବିମାନର ଉଡ଼ାଣକୁ ଏୟାର ଇଣ୍ଡିଆ ବାତିଲ କରିଥିଲା। ଏହି ଘଟଣା ପରେ ୫ଜି ଯୋଗୁଁ ବିମାନ ଚଳାଚଳ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାକୁ ରୋକିବା ଲାଗି ବିମାନର କେତେକ ଉପକରଣ ବଦଳାଇବାକୁ ଏଫ୍ଏଏ ପରାମର୍ଶ ଦେଇଥିଲା।

ସମ୍ବନ୍ଧିତ ଖବର