ସୀମା ଶୁଳ୍କ ନିୟମର ୬୦ତମ ବର୍ଷ ପୂର୍ତ୍ତି: ସୀମା ଶୁଳ୍କ ସଂଗ୍ରହ ୮,୨୨୯ କୋଟି ଟପିଲା

ଭୁବନେଶ୍ବର: ଓଡ଼ିଶାରେ ସୀମା ଶୁଳ୍କ ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୮,୨୨୯.୨୪ କୋଟି ଟଙ୍କାର ସୀମା ଶୁଳ୍କ ସଂଗ୍ରହ ହୋଇଛି। ପୂର୍ବବର୍ଷ ଏହି ସମୟ ଭିତରେ ୬୯୫୬.୩୦ କୋଟି ଟଙ୍କାର ସୀମା ଶୁଳ୍କ ସଂଗ୍ରହ କରାଯାଇଥିଲା। ଏଥର ସେଥିରେ ୧୨୭୨.୯୪ କୋଟି ଟଙ୍କାର ବୃଦ୍ଧି ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ‌୧୧,୪୮୮.୫୮ କୋଟି ଟଙ୍କାର ସୀମା ଶୁଳ୍କ ସଂଗ୍ରହ କରାଯାଇଥିଲା। ଆଜି କଷ୍ଟମ୍‌ସ (ପ୍ରିଭେଣ୍ଟିଭ୍‌) କମିସନରେଟ୍‌, ଭୁବନେଶ୍ବର ପକ୍ଷରୁ ସୀମା ଶୁଳ୍କ ନିୟମ, ୧୯୬୨ର ୬୦ତମ ବର୍ଷ ପୂର୍ତ୍ତି ପାଳନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସୂଚନା ପ୍ରଦାନ କରାଯାଇଛି। ଇନଷ୍ଟିଚ୍ୟୁଟ୍‌ ଅଫ୍ ଲାଇଫ୍‌ ସାଇନ୍‌‌ସେସ୍‌ ଅଡିଟୋରିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସୀମା ଶୁଳ୍କ (ପ୍ରିଭେଣ୍ଟିଭ୍) ଭୁବନେଶ୍ବରର କମିସନର ମାଧବ ମିଶ୍ର କହିଛନ୍ତି ଯେ ସୀମାପାର କାରବାରରେ ଯେଉଁ ନୂଆ ନୂଆ ଆହ୍ବାନ ଦେଖାଦେଉଛି ତାହାର ଉଚିତ ମୁକାବିଲା କରିବା ଲାଗି ଅଧିକାରୀମାନେ ନିଜ ଦକ୍ଷତାରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି।

ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୁପ ନାରାୟେଣ ସୁନକର୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଡାକ ପାଳ ଶୁଭେନ୍ଦୁ କୁମାର ସ୍ବାଇଁ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଜିଏସ୍‌ଟି, କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ, ଭୁବନେଶ୍ବରର ଚିଫ୍‌ କମିସନର ବିଜୟ କୁମାର କର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବକ୍ତୃତା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ୧୦ ଏନ୍‌ସିସି କ୍ୟାଡେଟ୍‌ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଜିଏସ୍‌ଟି, କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ, ଭୁବନେଶ୍ବରର ଅତିରିକ୍ତ ଆୟୁକ୍ତ ଗୋପାଳ କୃଷ୍ଣ ପତି ଧନ୍ୟବାଦ ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର