ଗୋପାଳପୁର ବନ୍ଦରକୁ କିଣିଲେ ଆଦାନି: ୩୦୮୦ କୋଟିର ଡିଲ୍‌

ଭୁବନେଶ୍ବର: ଦୀର୍ଘଦିନର ମୁଲଚାଲ ପରେ ଶେଷରେ ଶିଳ୍ପପତି ଗୌତମ ଆଦାନି ଗୋପାଳପୁର ବନ୍ଦରକୁ କିଣିଛନ୍ତି। ଏଥି ସହିତ ଓଡ଼ିଶାର ଉତ୍ତର ଓ ଦକ୍ଷିଣ ଭାଗରେ ଥିବା ଦୁଇଟି ଘରୋଇ ବନ୍ଦର ତାଙ୍କ ଅଧୀନକୁ ଆସିଛି। ପୂର୍ବରୁ ଭଦ୍ରକରେ ଥିବା ଧାମରା ବନ୍ଦରକୁ ସେ ଟାଟାଠାରୁ କିଣିଥିଲେ। ଗୋପାଳପୁର ବନ୍ଦରର ସିଂହ ଭାଗ ଅଂଶଧନକୁ ଆଦାନିଙ୍କ କମ୍ପାନି ଆଦାନି ପୋର୍ଟସ୍‌ ଆଣ୍ଡ୍ ଏସ୍‌ଇଜେଡ୍‌ (ଏପିଏସ୍‌ଇଜେଡ୍‌) କିଣିଛି ଯାହା ଆଦାନିଙ୍କ ପୁଅ କରନ ଆଦାନିଙ୍କ ଅଧୀନରେ ପରିଚାଳିତ ହେଉଛି। ବନ୍ଦରର ୯୫ ପ୍ରତିଶତ ଅଂଶଧନକୁ ଆଦାନି ୩୦୮୦ କୋଟି ଟଙ୍କାରେ କିଣିଛନ୍ତି। ସାପୁରଜୀ ପାଲୋଞ୍ଜି ଗ୍ରୁପ୍‌ର ୫୬ ପ୍ରତିଶତ ଏବଂ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ୩୯ ପ୍ରତିଶତ ଅଂଶଧନକୁ ଆଦାନି କିଣିଛନ୍ତି।

ଏହି ଅବସରରେ ଆଦାନି ପୋର୍ଟସ୍ ଆଣ୍ଡ୍‌ ଏସ୍‌ଇଜେଡ୍‌ର ପରିଚାଳନା ନିର୍ଦ୍ଦେଶକ କରନ ଆଦାନି କହିଛନ୍ତି ଯେ ଗୋପାଳପୁର ବନ୍ଦରକୁ ଅଧିଗ୍ରହଣ କରିଥିବାରୁ ଆମେ ଗ୍ରାହକଙ୍କୁ ଆହୁରି ସମନ୍ବିତ ଓ ଉନ୍ନତ ସମାଧାନ ପ୍ରଦାନ କରିପାରିବୁ। ଏହାର ଭୌଗୋଳିକ ଉପସ୍ଥିତି ଆମକୁ ଓଡ଼ିଶାର ଖଣି ହବ୍‌ ପାଖରେ ପହଞ୍ଚିବାରେ ସହାୟକ ହେବ। ଏହି ବନ୍ଦର ଆମ ଜାତୀୟ ନେଟ୍‌ୱର୍କରେ ଯୋଡ଼ି ହେବା ପରେ ଆମ ମାଲ ପରିବହନ କ୍ଷମତାରେ ଉନ୍ନତି ହେବ ବୋଲି ସେ କହିଛନ୍ତି।
ଗୋପାଳପୁର ବନ୍ଦରର ମାଲ ପରିବହନ କ୍ଷମତା ହେଉଛି ବାର୍ଷିକ ୨୦ ନିୟୁତ ଟନ୍। ୨୦୨୩-୨୪ରେ ଏହା ୧୧.୩ ନିୟୁତ ଟନ୍ ମାଲ୍ ପରିବହନ କରିଥିବା ଆକଳନ କରାଯାଇଛି ଯାହା ପୂର୍ବବର୍ଷ ତୁଳନାରେ ୫୨ ପ୍ରତିଶତ ଅଧିକ। ଏହାର ରାଜସ୍ବ ୫୨୦ କୋଟି ଟଙ୍କା ଥିବା ବେଳେ ଇବିଆଇଟିଡିଏ ୨୩୨ କୋଟି ଟଙ୍କା ରହିଛି। ଗଭୀର ବନ୍ଦର ଭାବେ ପରିଚିତ ଗୋପାଳପୁର ବନ୍ଦର ଜରିଆରେ ଲୁହାପଥରଠାରୁ ଆରମ୍ଭ କରି କୋଇଲା, ଚୁନପଥର ଓ ଆଲୁମିନା ଆଦି ପରିବହନ କରାଯାଉଛି। ବନ୍ଦରକୁ ବିକାଶ କରିବା ଲାଗି ବ୍ୟାପକ ସୁଯୋଗ ରହିଛି। ଏହା ପାଖରେ ବିକାଶ ପାଇଁ ୫୦୦ ଏକରରୁ ଅଧିକ ଜମି ରହିଛି। ଭବିଷ୍ୟତର ସମ୍ପ୍ରସାରଣ ଆବଶ୍ୟକତା ପୂରଣ କରିବା ଲାଗି ଏହାକୁ ଅଧିକ ଜମି ଦେବାର ବ୍ୟବସ୍ଥା ମଧ୍ୟ ରହିଛି।

ଭୌଗୋଳିକ ଦୃଷ୍ଟିକୋଣରୁ ଗୋପାଳପୁର ବନ୍ଦର ବହୁତ ଭଲ ସ୍ଥାନରେ ରହିଛି। ଏହା ପାରାଦୀପ ବନ୍ଦର ଓ ବିଶାଖାପାଟଣା ବନ୍ଦର ମଝିରେ ରହିଛି। ଜାତୀୟ ରାଜପଥ-୧୬ ଏହା ପାଖ‌ ଦେଇ ଯାଇଥିବା ବେଳେ ଚେନ୍ନାଇ-ହାୱଡ଼ା ମେନ୍ ଲାଇନ୍ ସହିତ ଏକ ରେଳପଥ ସଂଯୋଗ ମଧ୍ୟ ରହିଛି। ବିକ୍ରେତାଙ୍କ ସହ ହୋଇଥିବା ବୁଝାମଣା ଅନୁସାରେ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ ହେଲେ ଆଉ ୨୭୦ କୋଟି ଟଙ୍କା ପ୍ରଦାନ କରିବା ବ୍ୟବସ୍ଥା କରାଯିବ। ଗୋପାଳପୁର ବନ୍ଦର ଲାଗି ୨୦୦୬ରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌), ସାରା ଇଣ୍ଟରନ୍ୟାସନାଲ୍ ଓ ହଂକଂର ନବଲ୍ ଗ୍ରୁପ୍‌ ମିଳିତ ଉଦ୍ୟମ ଆରମ୍ଭ କରିଥିଲେ। ୨୦୦୮ରେ ରାଜ୍ୟ ସରକାର ସେମାନଙ୍କୁ ବନ୍ଦର ବିକାଶ କରିବା ଦାୟିତ୍ବ ଦେଇଥିଲେ। ଏହାର ଦୁଇ ବର୍ଷ ପରେ ୨୦୧୦ରେ ନବଲ୍ ଗ୍ରୁପ୍ ପ୍ରକଳ୍ପରୁ ଓହରିଯାଇଥିଲା। ତଥାପି ୨୦୧୩ରେ ଏହି ବନ୍ଦର ବାଣିଜ୍ୟିକ ଭାବେ କାର୍ଯ୍ୟକ୍ଷମ ହୋଇଥିଲା। ୨୦୧୬ ନଭେମ୍ବରରେ ବନ୍ଦରର ୫୧ ପ୍ରତିଶତ ଅଂଶଧନକୁ ସାପୁରଜୀ ପାଲୋଞ୍ଜି ଗ୍ରୁପ୍ କିଣିଥିଲା। ଏହା ସାରା ଇଣ୍ଟରନ୍ୟାସନାଲ୍‌ ପାଖରେ ଥିବା ଅଂଶଧନକୁ କିଣିଥିଲା। ୨୦୧୧‌ରେ ସଜ୍ଜନଙ୍କ ସାନ ଭାଇ ନବୀନ ଜିନ୍ଦଲଙ୍କ କଂପାନି ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍‌ ପାୱାର ଗୋପାଳପୁର ବନ୍ଦରକୁ କିଣିବା ଲାଗି ଉଦ୍ୟମ କରିଥିଲା। କିନ୍ତୁ ସେହି ଉଦ୍ୟମ ସଫଳ ହୋଇନଥିଲା। ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ମୁଖ୍ୟ ତଥା ନବୀନଙ୍କ ଭାଇ ସଜ୍ଜନ ଜିନ୍ଦଲ ମଧ୍ୟ ଗୋପାଳପୁର ବନ୍ଦରକୁ କିଣିବା ଲାଗି ଆଗ୍ରହ ଦେଖାଇଥିଲେ।

ସମ୍ବନ୍ଧିତ ଖବର