ପ୍ରଚାରକୁ ବିଶ୍ବାସ କରି ଭାରତ ବଡ଼ ଭୁଲ କରୁଛି: ରାଜନ

ନୂଆଦିଲ୍ଲୀ: ଦେଶରେ ଥିବା ଢାଞ୍ଚାଗତ ସମସ୍ୟାର ସମାଧାନ କରିବା ବଦଳରେ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ହେଉଥିବା ପ୍ରଚାର ଉପରେ ବିଶ୍ବାସ କରି ଭାରତ ବଡ଼ ଭୁଲ କରୁଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ମୋଦୀ ସରକାରଙ୍କ ନୀତିକୁ ସମାଲୋଚନା କରିବାର ସୁଯୋଗ ହାତଛଡ଼ା କରୁନଥିବା ରାଜନ କହିଛନ୍ତି ଯେ ବହୁ ବର୍ଷର କଠିନ ପରିଶ୍ରମ ପରେ ଏହି ପ୍ରଚାର ସତ ହୋଇଛି। ମାତ୍ର ରାଜନେତାମାନେ ଏହି ବିଶ୍ବାସ ଦେବାକୁ ଚାହୁଛନ୍ତି ଯେ ଆମେ ଆସି ଠିକ୍ ଜାଗାରେ ପହଞ୍ଚିଯାଇଛନ୍ତି। ତେବେ ସେହି ପ୍ରଚାର ଉପରେ ବିଶ୍ବାସ କରିବା ଭାରତ ପାଇଁ ସବୁଠୁ ବଡ଼ ଭୁଲ ହେବ ବୋଲି ସେ କହିଛନ୍ତି।ରାଜନଙ୍କ ମତରେ ନିର୍ବାଚନ ପରେ ଗଠନ ହେବାକୁ ଥିବା ନୂଆ ସରକାରଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ହେଉଛି ଶିକ୍ଷା ଓ ଦକ୍ଷତା ବିକାଶରେ ଉନ୍ନତି ଆଣିବା। ତାହା ନକଲେ ଜନସଂଖ୍ୟାରେ ଥିବା ଯୁବବର୍ଗର ଲାଭକୁ ଭାରତ ହାସଲ କରିପାରିବ ନାହିଁ।

ଭାରତର ୧୪୦ କୋଟି ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକଙ୍କ ବୟସ ୩୦ ବର୍ଷରୁ କମ୍ ରହିଛି। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯେଉଁ ଆକାଂକ୍ଷା ରହିଛି ସେ ସମ୍ପର୍କରେ ରାଜନ କହିଛନ୍ତି ଯେ ଯେଉଁଠାରେ ଦେଶର ଅଧିକାଂଶ ପିଲା ହାଇସ୍କୁଲ ପର୍ଯ୍ୟନ୍ତ ପଢ଼ିପାରୁନାହାନ୍ତି ଏବଂ ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ଏତେ ଅଧିକ ରହିଛି, ସେଠାରେ ଏଭଳି ଆକାଂକ୍ଷା ଅତ୍ୟନ୍ତ ବାଜେ କଥା। ଆମ ପାଖରେ ବହୁ ସଂଖ୍ୟାରେ ଯୁବକଯୁବତୀ ରହିଛନ୍ତି। ଯଦି ସେମାନଙ୍କୁ ନିଯୁକ୍ତି ମିଳିବ ତେବେ ତାହାର ଲାଭ ଅର୍ଥନୀତିକୁ ମିଳିବ। ଏହା ନହେବା ଆମ ପାଇଁ ସବୁଠୁ ବଡ଼ ଦୁଃଖର ବିଷୟ। ଭାରତକୁ ପ୍ରଥମେ ଶ୍ରମ ଶକ୍ତିକୁ ନିଯୁକ୍ତି ପାଇବା ଲାଗି ଯୋଗ୍ୟ କରିବାକୁ ପଡ଼ିବ ଏବଂ ପରେ ସେମାନଙ୍କ ଲାଗି ନିଯୁକ୍ତି ସୃଷ୍ଟି କରିବାକୁ ପଡ଼ିବ ବୋଲି ରାଜନ କହିଛନ୍ତି। ଭାରତୀୟ ସ୍କୁଲରେ ଶିକ୍ଷାର ମାନରେ ଅବନତି ଘଟିଛି। ୨୦୧୨ ପୂର୍ବ ସମୟ ଭଳି ସ୍ଥିତି ଫେରି ଆସିଛି। ସାକ୍ଷରତା ହାରରେ ଭିଏତନାମ୍‌ଠାରୁ ଭାରତ ପଛରେ ରହିଛି। ଶିକ୍ଷାରେ ଅଧିକ ବ୍ୟୟ କରିବା ବଦଳରେ ଚିପ୍ ନିର୍ମାଣ ଲାଗି ସବ୍‌ସିଡି ଆକାରରେ ଅଧିକ ପାଣ୍ଠି ଦେବା ପାଇଁ ‌ସରକାର ଯେଉଁ ନୀତି ପ୍ରସ୍ତୁତ କରିଛନ୍ତି ତାହା ବିଭ୍ରାନ୍ତୀକରଣ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର