ଆଇପିଏଲ୍‌, ନିର୍ବାଚନ ବେଳେ ଅଧିକ ବିଜ୍ଞାପନ: କମ୍ପାନିଙ୍କ ବିଜ୍ଞାପନ ବଜେଟ୍‌ ୮୦% ବଢ଼ିବ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଆରମ୍ଭ ହୋଇଥିବା ବେଳେ ଦେଶରେ ସାଧାରଣ ନିର୍ବାଚନକୁ ନେଇ ମଧ୍ୟ ଜୋରଦ‌ାର ପ୍ରସ୍ତୁତି ଚାଲିଛି। କ୍ରିକେଟ୍‌ ଓ ରାଜନୀତି ଦୁନିଆରେ ଘଟୁଥିବା ଘଟଣାଗୁଡ଼ିକୁ ଜାଣିବା ଲାଗି ଏହି ସମୟରେ ଅଧିକ ଲୋକ ଗଣମାଧ୍ୟମ ଉପରେ ନଜର ରଖିବେ। ସେହି ସୁଯୋଗକୁ କମ୍ପାନିଗୁଡ଼ିକ ହାତଛଡ଼ା କରିବାକୁ ଚାହୁନାହାନ୍ତି। ଅଧିକରୁ ଅଧିକ ଲୋକଙ୍କ ପାଖରେ ନିଜର ଉତ୍ପାଦ କିମ୍ବା ବାର୍ତ୍ତା ପହଞ୍ଚାଇବା ଲାଗି ଚଳିତ ବର୍ଷ ଏପ୍ରିଲ୍‌ରୁ ଜୁନ୍ ମଧ୍ୟରେ ନିଜର ବିଜ୍ଞାପନ ବଜେଟ୍‌ରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କମ୍ପାନିଗୁଡ଼ିକ ଲକ୍ଷ୍ୟ ରଖିଛନ୍ତି। ବିଜ୍ଞାପନର ଏହି ଧାରା ଟି୨୦ ବିଶ୍ବକପ୍ ସମୟରେ ମଧ୍ୟ ଜାରି ରହିବ। ମାଡିସନ୍ ମିଡିଆ ତଥ୍ୟ ଅନୁସାରେ ୨୦୨୩ର ଏପ୍ରିଲ୍-ଜୁନ୍‌ରେ ବିଜ୍ଞାପନରେ ୯୯,୦୩୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଚଳିତ ବର୍ଷ ସେହି ତିନି ମାସରେ ବିଜ୍ଞାପନରେ ୧,୧୧,୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ମାରୁତି ସୁଜୁକି, ଟାଟା ମୋଟର୍ସ, ହୁଣ୍ଡାଇ ମୋଟର୍ସ, ଡାବର ଓ ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ ଭଳି କମ୍ପାନି ଏପ୍ରିଲ୍‌-ଜୁନ୍ ତ୍ରୈମାସିକରେ ବିଜ୍ଞାପନରେ ଅଧିକ ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି। ଉତ୍ସବ ସମୟରେ ବିଜ୍ଞାପନରେ ଯେତିକି ଖର୍ଚ୍ଚ ହୋଇଥିଲା ଚଳିତ ବର୍ଷ କ୍ରିକେଟ୍ ଓ ନିର୍ବାଚନ ଋତୁରେ ତା’ଠାରୁ ଅଧିକ ଖର୍ଚ୍ଚ ହେବ। ଛାପା ଗଣମାଧ୍ୟମଠାରୁ ଆରମ୍ଭ କରି ଟିଭି ଏବଂ ଡିଜିଟାଲ୍‌ ମିଡିଆ ପର୍ଯ୍ୟନ୍ତ ସବୁଥିରେ ବିଜ୍ଞାପନ ଖର୍ଚ୍ଚ ବଢ଼ିବ। ଏଫ୍‌ଏମ୍‌ସିଜି, ଆଟୋମୋବାଇଲ୍‌, ଟେଲିକମ୍, ଇଲେକ୍ଟ୍ରୋନିକ୍ସ, ପାନୀୟ, ଆଇସ୍‌କ୍ରିମ୍, ଏସି, ଫ୍ରିଜ୍ ଓ ସ୍କିନ୍‌କେୟାର ସାମଗ୍ରୀର ବିଜ୍ଞାପନ ଅଧିକ ଦେଖିବାକୁ ମିଳିବ।

ଏସି କମ୍ପାନି ହାୟର ଗତବର୍ଷ ଏପ୍ରିଲ୍‌-ଜୁନ୍‌ରେ ୩୦ କୋଟି ଟଙ୍କାର ବିଜ୍ଞାପନ ଦେଇଥିଲା। ଚଳିତ ବର୍ଷ ସେହି ବଜେଟ୍‌କୁ ୭୫ କୋଟି ଟଙ୍କାକୁ ବୃଦ୍ଧି କରିଛି। ବିସ୍କୁଟ କମ୍ପାନି ପାର୍ଲେ ଏହାର ବିଜ୍ଞାପନ ‌ବଜେଟ୍‌କୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛି। ପ୍ରତୀକ୍ଷା ସମୟ କମିଥିବାରୁ ବିଜ୍ଞାପନରେ ମାରୁତି ସୁଜୁକି ଅଧିକ ଖର୍ଚ୍ଚ କରିବ। ଟାଟା ମୋଟର୍ସ ମଧ୍ୟ ବିଜ୍ଞାପନ ଖର୍ଚ୍ଚ ବଢ଼ାଇବ। ଇମାମି ଏହାର ବିଜ୍ଞାପନ ଖର୍ଚ୍ଚ ୨୦ ପ୍ରତିଶତ ବଢ଼ାଇବା ଉପରେ ବିଚାର କରୁଛି। ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ଶେଷ ଆଡ଼କୁ ଆଇପିଏଲ୍‌ ଆରମ୍ଭ ହୋଇଥିବାରୁ ବିଜ୍ଞାପନ ବଜାର ମାନ୍ଦା ରହିଥିଲା। କାରଣ କମ୍ପାନିଗୁଡ଼ିକର ବିଜ୍ଞାପନ ବଜେଟ୍‌ ପ୍ରାୟ ଶେଷ ହୋଇଯାଇଥିଲା। ଆଗକୁ ବିଜ୍ଞାପନ ତ୍ବରାନ୍ବିତ ହେବ। ଆଇପିଏଲ୍‌ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ବେଳେ ମେ’ ୨୬ରେ ଶେଷ ହେବ। ଲୋକସଭା ନିର୍ବାଚନ ଏପ୍ରିଲ୍‌ ୧୯ରୁ ଆରମ୍ଭ ହୋଇ ଜୁନ୍‌ ୧ରେ ଶେଷ ହେବ। ଭୋଟ ଗଣତି ଜୁନ୍ ୪ରେ ହେବ। ଟି୨୦ ବିଶ୍ବକପ୍ ଜୁନ୍ ୨ରୁ ଆରମ୍ଭ ହୋଇ ଜୁନ୍ ୨୯ରେ ଶେଷ ହେବ।

 

ସମ୍ବନ୍ଧିତ ଖବର